• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୨ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ସାହେବଙ୍କ ନିବିଡ଼ ଓ ନିଆରା ସଂପର୍କର ଭିନ୍ନ ଏକ କାହାଣୀ । ଗୋଟିଏ କାହାଣୀ ହେଉଛି, ରାଜ୍ୟ ପୋଲିସ ମୁଖ୍ୟାଳୟର, ଅନ୍ୟଟି ରାଜଭବନର । ଅବସରକାଳୀନ ବିଦାୟବେଳେ ଡିଜିପି ଆଲିଙ୍ଗନ କରି ଯେଉଁ ଶ୍ରଦ୍ଧା ଆଉ ସମ୍ମାନ ଜଣାଇଲେ, ତାକୁ ନେଇ ଝାଡୁଦାର ଜଣକ ଭାବବିହ୍ୱଳ ହୋଇଥିବା ବେଳେ ରାଜଭବନରେ ପାଣି ଦେଉଥିବା କର୍ମଚାରୀଙ୍କ ଝିଅ ବିବାହରେ ଅତିଥି ସାଜିଥିବା ରାଜ୍ୟପାଳଙ୍କ ବଡ଼ପଣ ଏବେ ଚର୍ଚ୍ଚାରେ ।

ଜଣେ ହେଲେ ରାଜ୍ୟ ପୋଲିସ ମୁଖ୍ୟାଳୟର ଝାଡୁଦାର...ଅନ୍ୟ ଜଣେ ହେଲେ ରାଜ୍ୟ ପୋଲିସ ବିଭାଗର ମୁଖିଆ...ଜଣେ ହେଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ, ଅନ୍ୟ ଜଣେ ହେଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ । ଯାହାଙ୍କୁ ସାରା ପୋଲିସ ବିଭାଗ ସାଲ୍ୟୁଟ୍ ମାରେ, ତାଙ୍କୁ କୁଣ୍ଢାଇ ଆଜି କୁଣ୍ଢେମୋଟ ଏହି ତଳିଆ କର୍ମଚାରୀଙ୍କ ମନ ଆଉ ପ୍ରାଣ ।

ଭାବବିହ୍ୱଳ କରିଛି ବଡ଼ସାରଙ୍କ ଆଲିଙ୍ଗନ, ଲୁହରେ ବତୁରି ଯାଇଛି ଆଖି । ଧନୀ ନାୟକ..ଦୀର୍ଘ ବର୍ଷ ଧରି କଟକ ସ୍ଥିତ ପୋଲିସ ମୁଖ୍ୟାଳୟର ଝାଡୁଦାର ତଥା ସୁଇପର୍ ଭାବେ ଯୋଗାଇ ଆସୁଥିଲେ ନିରନ୍ତର ସେବା । ଆଉ, ଏବେ ଚାକିରିରୁ ଅବସର ନେଇଛନ୍ତି । ଆଉ ଅବସରକାଳୀନ ସମ୍ବର୍ଦ୍ଧନାବେଳେ ଶ୍ରଦ୍ଧା ଏବଂ ସମ୍ମାନ ସ୍ୱରୂପ ଏଭଳି କୋଳେଇ ନେଇ ବିଦାୟ ଜଣାଇଛନ୍ତି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ ।

ଏହି ସମୟରେ ଆତ୍ମହରା ହୋଇ କେବଳ ଯେ ଧନୀ ନାୟକଙ୍କ ଆଖି ଲୁହ ଛଳଛଳ ହୋଇଥିଲା ତା’ନୁହେଁ, ଡିଜିପି ମଧ୍ୟ ଭାବବିହ୍ୱଳ ହୋଇଥିଲେ ।

ଆଉ ଗୋଟିଏ ଚିତ୍ର ତ ପ୍ରତ୍ୟେକଙ୍କୁ ବାନ୍ଧି ରଖିଛି । ଯିଏ ଦେଖୁଛନ୍ତି ପ୍ରଶଂସା କରୁଛନ୍ତି, ରାଜ୍ୟପାଳ ରଘୁବର ଦାସଙ୍କ ବଡ଼ପଣକୁ ସାବାସୀ ଜଣାଉଛନ୍ତି । ଯାହାଙ୍କ ବାହାଘରକୁ ଯାଇ ଅତିଥି ସାଜିଛନ୍ତି ରାଜ୍ୟପାଳ, ନା ତାଙ୍କର କୌଣସି ସଂପର୍କୀୟ ନା କେହି ଆତ୍ମୀୟ ସ୍ୱଜନ । ବରଂ ରାଜଭବନରେ ପାଣି ଯୋଗାଉଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ପତିତ ପାବନ ରାଉତରାୟଙ୍କ ଝିଅ ଅନୁପମା ।

ଯାହାଙ୍କ ବାହାଘରକୁ ନିଜେ ଯାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଫୁଲତୋଡ଼ା ଦେଇ ଶୁଭେଛା ଜଣାଇବା ସହ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କାମନା କରିଛନ୍ତି, ତା’ସହ ପରିବାର ସହ ଫଟୋ ଉଠାଇଛନ୍ତି । ରାଜ୍ୟପାଳଙ୍କ ଏଭଳି ବଡ଼ପଣକୁ ଆଜି ଭୁରି ଭୁରି ପ୍ରଶଂସା କରିଛନ୍ତି ପତିତ ପାବନ ରାଉତରାୟ ।

ଏହି ୨ଟି କାହାଣୀ ଦେଖିଲା ପରେ ଗୋଟିଏ କଥା କୁହାଯାଇପାରିବ, ଅନ୍ୟକୁ ଯଦି ଆପଣାର କରିବାର ଅଛି ତ ପଦ ଏବଂ କ୍ଷମତା ବଳରେ ନୁହେଁ, ବରଂ ଏଭଳି ମାନବପଣିଆ ଜରୁରୀ ।

  • Reported by:
  • DEBASHISH MOHANTY , ATULYA BOUT