• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିପଦରେ ଗଜରାଜ । ସାଢ଼େ ୮ ବର୍ଷରେ ଚାଲିଗଲାଣି ୬୯୮ ହାତୀଙ୍କ ଜୀବନ । ବିଧାନସଭାରେ ଖୋଦ୍ ସରକାର ରଖିଛନ୍ତି ଏହି ତଥ୍ୟ । ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଥିବା ବେଳେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ରାଜ୍ୟରେ ବଢ଼ୁଛି ହାତୀ ବଂଶ । କେବଳ ଗଜରାଜ ନୁହନ୍ତି, ବାଘ ବଂଶ ବି ବିପଦରେ । ଏହି ସମୟ ଭିତରେ ରାଜ୍ୟରେ ୭ଟି ମହାବଳ ଓ ୪୮ଟି କଲରାପତରିଆ ବାଘର ମୃତ୍ୟୁ ହୋଇଛି ।

ସେପ୍ଟେମ୍ବର ୫ । ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ଟାଇଁସି ସଂରକ୍ଷିତ ଜଙ୍ଗଲରୁ ମିଳିଲା ୨ ହାତୀଙ୍କ ମୃତଦେହ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୋଟିଏ ଦନ୍ତା ସହ ଛୁଆ ମାଈ ହାତୀର ମୃତ୍ୟୁ ଘଟିଥିଲା । ସେପ୍ଟେମ୍ବର ୨୧ । ହାତୀ ମୃତ୍ୟୁ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଆଠଗଡ଼ ନରସିଂହପୁର ଜଙ୍ଗଲରୁ ଉଦ୍ଧାର ହେଲା ଆଉ ଏକ ଦନ୍ତା ହାତୀର ଶବ । ଯେଉଁଭଳି ଭାବେ ହାତୀ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି, ମନକୁ ଆପେ ପ୍ରଶ୍ନ ଆସୁଛି, ବୁଡ଼ିଯିବ କି ଗଜରାଜ ବଂଶ ? ଏହାରି ଭିତରେ ହାତୀ ମୃତ୍ୟୁକୁ ନେଇ ଖୋଦ୍ ସରକାର ରଖିଛନ୍ତି ଚମକାଇ ଦେଲା ଭଳି ତଥ୍ୟ ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରଖିଥିବା ଉତ୍ତର କହୁଛି, ଗତ ସାଢ଼େ ୮ ବର୍ଷରେ ରାଜ୍ୟରେ ୬୯୮ ହାତୀଙ୍କ ମୃତ୍ୟୁ ହୋଇଛି । ମାନେ ୨୦୧୫-୧୬ରୁ ଗତ ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ଫି' ବର୍ଷ ହାରାହାରି ୮୨ ହାତୀଙ୍କ ଜୀବନ ଯାଉଛି । ସେ ଭିତରୁ ବିଦ୍ୟୁତ୍ ଆଘାତରେ ୧୧୩ଟି ହାତୀଙ୍କ ଜୀବନ ଯାଇଥିବା ବେଳେ ରେଳ ଦୁର୍ଘଟଣାରେ ୨୫, ଶିକାରୀ ନେଇଛନ୍ତି ୨୨ ହାତୀଙ୍କ ଜୀବନ । ଯୋଜନାବଦ୍ଧ ଭାବେ ୨ ହାତୀଙ୍କୁ ହତ୍ୟା କରାଯାଇଥିବା ବେଳେ ବିଷକ୍ରିୟା ଯୋଗୁ ଗୋଟିଏ, ରୋଗରେ ପଡ଼ି ୨୬୧ ହାତୀର ମୃତ୍ୟୁ ହୋଇଛି । ୭୦ ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ହାତୀ ମୃତ୍ୟୁହାର ବୃଦ୍ଧି ଅଭିଯୋଗକୁ ଖଣ୍ଡନ କରି ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ରାଜ୍ୟରେ ହାତୀ ସଂଖ୍ୟା ବଢ଼ୁଛି । ଆସନ୍ତା ଏପ୍ରିଲରେ ହେବାକୁ ଥିବା ହାତୀ ଗଣନାରୁ ଏହା ସ୍ପଷ୍ଟ ହେବ ।

ଏପଟେ ହାତୀ ମୃତ୍ୟ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । କହିଛନ୍ତି, ପୂର୍ବରୁ ରାଜ୍ୟରେ ହାତୀଙ୍କ ବସତି ସହ ସ୍ୱତନ୍ତ୍ର କରିଡର ଓ ପ୍ୟାସେଜ୍ ଥିଲା । ହେଲେ ସେ ସବୁ ନଷ୍ଟ ହୋଇଗଲାଣି । ଏହି କାରଣରୁ ପୂର୍ବରୁ ରାଜ୍ୟରେ ବର୍ଷକୁ ୬୦-୭୦ ହାତୀଙ୍କ ମୃତ୍ୟୁ ହେଉଥିଲା ବେଳେ ଏବେ ଏ ସଂଖ୍ୟା ୮୦ ଡେଇଁଲାଣି । ନେଡ଼ିଗୁଡ଼ କହୁଣୀକୁ ବହିବା ପୂର୍ବରୁ ହାତୀ ସୁରକ୍ଷା ଲାଗି ସରକାର ଏବେଠୁ ସ୍ୱତନ୍ତ୍ର ୟୁନିଟ୍ ଗଠନ କରି ପଦକ୍ଷେପ ନିଅନ୍ତୁ । ଖାଲି ହାତୀ ନୁହନ୍ତି, ରାଜ୍ୟରେ ମହାବଳ ଓ କଲରାପତରିଆ ବଂଶ ବି ସଙ୍କଟରେ । ସରକାରଙ୍କ ତଥ୍ୟ କହୁଛି, ଗତ ସାଢ଼େ ୮ ବର୍ଷରେ ରାଜ୍ୟରେ ୭ଟି ମହାବଳ ଓ ୪୮ଟି କଲରାପତରିଆ ବାଘର ମୃତ୍ୟୁ ହୋଇଛି ।

  • Reported by:
  • KAPILENDRA PRADHAN