• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୂଜା ଘଣ୍ଟିର ଶବ୍ଦ ହୁଏତ ସେ ଶୁଣିପାରନ୍ତିନି କିନ୍ତୁ ପୂଜା ପାଉଥିବା ଠାକୁର ନିଶ୍ଚୟ ଶୁଣୁଥିବେ ତାଙ୍କୁ । ଶାରୀରିକ ଭାବେ ମନ୍ତ୍ର ଉଚ୍ଚାରଣ ପାଇଁ ସେ ଅକ୍ଷମ ସିନା ହେଲେ ଭାବନାର ଠାକୁରଙ୍କୁ ଗୁହାରୀ କରନ୍ତି ସମ୍ବଲପୁରର ଶିକ୍ଷାବିତ ଭକ୍ତପ୍ରସାଦ ନନ୍ଦଙ୍କ ପତ୍ନୀ ନିରୁପମା ।

ନିରୁପମାଙ୍କୁ ଅର୍ଦ୍ଧାଙ୍ଗିନୀ କରିବା ପାଇଁ ଭକ୍ତପ୍ରସାଦଙ୍କ ପାଖରେ ନା ଥିଲା ବାଧ୍ୟବାଧକତା । ନା ଥିଲା ସୌନ୍ଦର୍ଯ୍ୟର ମୋହ । ଜୀବନରେ ବିବାହ ନକରିବାକୁ ମନସ୍ଥ କରିଥିବା ସେଦିନର ସାଧାରଣ ଶିକ୍ଷକଙ୍କୁ କିନ୍ତୁ ଆଜୀବନ ଶ୍ରବଣ ସହ ବାକ୍ତି ହରାଇଥିବା ନିରୂପମା ଆନମନା କରିଥିଲେ ।

ପରସ୍ପରକୁ ଜୀବନ ସାଥୀ ବାଛିବାର ଇତିମଧ୍ୟରେ ବିତିଯାଇଛି ୫୪ଟି ଫଗୁଣ । ପ୍ରଥମେ ଭାବ ବିନିମୟରେ ସମସ୍ୟା ଯୋଗୁ ପତ୍ନୀ ନିରୁପମାଙ୍କୁ ପ୍ରତ୍ୟେକ କଥାକୁ କାଗଜରେ ଲେଖି ଜଣାଉଥିଲେ ଭକ୍ତପ୍ରସାଦ । ଏହାପରେ କଥାବାର୍ତ୍ତା ହେଉ ହେଉ ନିରୁପମା ବି ବୁଝିଗଲେ ଭକ୍ତଙ୍କ ଭାବକୁ ।

ବାସ୍ ତା’ ପରଠୁ ଚାଲିଛି ଉଭୟଙ୍କ ପ୍ରେମମୟ ଜୀବନ । ଦେଶ ଦୁନିଆର ଖବର ପଢୁଛନ୍ତି ନିରୂପମା, ସ୍ୱାମଙ୍କଠୁ ସାମାଜିକ ଦାୟିତ୍ୱବୋଧ କଥା ବି ଜାଣୁଛନ୍ତି ।

ଦମ୍ପତ୍ତିଙ୍କ ଭାବ ଆଉ ଆବେଗର ସଂପର୍କ ଭିତରେ ସମର୍ପଣର କଥା ଯେତେବେଳେ ଉଠେ, ସେତେବେଳେ ଆଖି ସାମ୍ନାକୁ ଭାସି ଆସେ ଏହି ପତି-ପତ୍ନୀଙ୍କ କଥା । ବାଲେଶ୍ୱର ଖଇରାର ଶୁଭ୍ରାଂଶୁ ମହାପାତ୍ର ଓ ତାଙ୍କ ପତ୍ନୀ ଦେବସ୍ମିତା ପଣ୍ଡା ।

ଯାହାଙ୍କ ୭ ବର୍ଷର ପ୍ରେମ ସଂପର୍କ ଭିତରେ କେବେ ଅନ୍ତରାୟ ସୃଷ୍ଟି କରିନି ଦେବସ୍ମିତାଙ୍କ ସ୍ନାୟୁଗତ ସମସ୍ୟା । ଏକଦା ସୋର କଲେଜରେ ପ୍ରେମପକ୍ଷୀ ଥିଲେ ଉଭୟେ । ୨୦୧୯ରେ ବାହାଘର ପାଇଁ ଧାର୍ଯ୍ୟ ହୋଇଥିଲା ଉଭୟଙ୍କର, କିନ୍ତୁ ଦୁର୍ଯୋଗକୁ ବିବାହ ଆଗରୁ ହଠାତ ଦେବସ୍ମିତାଙ୍କ ଗୋଡ଼ ଅଚଳ ହୋଇଗଲା।

ଡାକ୍ତର କହିଲେ ଦେବସ୍ମିତା ଆଉ କେବେ ଚାଲିପାରିବେ ନାହିଁ । ସେଦିନଠୁ ହ୍ୱିଲ୍ ଚେୟାରରେ କଟୁଛି ଜୀବନ । ଏହାସତ୍ୱେ ହାତ ଛାଡ଼ିନଥିବା ଶୁଭ୍ରାଂଶୁ ଦେବସ୍ମିତାଙ୍କୁ ଏହି ଅବସ୍ଥାରେ ମଥାରେ ସିନ୍ଦୂର ଦେଇ, ଅଗ୍ନିକୁ ସାକ୍ଷୀ ରଖି ଜୀବନ ସାଥୀ କରିନେଇଛନ୍ତି ।

ସାତ ଦରିଆ ପାରି ହୋଇ ଓଡ଼ିଶା ଆସିଥିବା ଏ ହେଲେ ଇଣ୍ଡୋନେସିଆର ଝିଅ ମାରିଆଣା । ବଲାଙ୍ଗିର କଣ୍ଟାବାଞ୍ଜି ଆଶ୍ରମପଡ଼ାର ମହମ୍ମଦ ୱାସିମ ଖାନଙ୍କୁ ବିବାହ କରି ବନିଛନ୍ତି ଓଡ଼ିଆ ବୋହୂ ।

ହୁଏତ ଫେସବୁକରେ ଦେଖାଚାହାଁ, ଆଉ ଚାଟିଂ କରୁ କରୁ ଉଭୟେ ବାନ୍ଧିଯାଇଥିଲେ ଭାବର ବନ୍ଧନରେ । ସେହି ପ୍ରେମପକ୍ଷୀ ୨୦୧୪ରୁ ବନିଯାଇଛନ୍ତି ଜୀବନସାଥୀ । ବିବାହ ପ୍ରସ୍ତାବ ଧରି ଇଣ୍ଡୋନେସିଆ ଯାଇଥିଲେ ୱାସିମ l

ପରିବାର ଲୋକେ ବି ଇଣ୍ଡୋନେସିଆ ଯାଇ ୨୦୧୩ରେ କରିଥିଲେ ନିର୍ବନ୍ଧ । ଇତିମଧ୍ୟରେ ୯ ବର୍ଷ ହୋଇଯାଇଛି । ଓଡ଼ିଆ ଚଳଣି, ରୀତିନୀତି ସହ ସାମାଜିକ ସଂପର୍କକୁ ବୁଝିସାରିଛନ୍ତି ମାରିଆଣା । ଭଲ ହିନ୍ଦୀ ବି କହିପାରୁଛନ୍ତି ସେ ।