Advertisment

ଶ୍ରୀମନ୍ଦିର ଚାରିପାଖ ଅନୁଧ୍ୟାନ କଲା ASI, ହେଲେ ଉତ୍ତର ଦେବାକୁ କୁନ୍ଥୁ କୁନ୍ଥୁ

ଐତିହ୍ୟ କରିଡର୍ କାମ ସବୁ ନିୟମ ମୁତାବକ ହେଉଛି କି ? ବୋଲି ପ୍ରଶ୍ନରେ କେହି ଜଣେ ହେଲେ କିନ୍ତୁ ମୁହଁ ଖୋଲିନଥିଲେ ।

author-image
Satyendu Shekher Mishra
ASI

ASI

ଶ୍ରୀମନ୍ଦିର ଚୌହଦିରେ ଚାଲିଛି କି କି ନିର୍ମାଣ ? ଐତିହ୍ୟ କରିଡର୍ ପାଇଁ କେତେ ଗଭୀରରୁ ଉଠିଛି ପିଲାର୍, ସଂଖ୍ୟା କେତେ ? ନିର୍ମାଣାଧୀନ ବିମ୍ ସବୁର ସାଇଜ୍ କେତେ ? ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷା ପ୍ରତି ଏଭଳି ଖନନ ଓ ନିର୍ମାଣ ଯୋଗୁଁ ବିପଦ ରହିଛି ନା ନାହିଁ ? ସେକଥା ଜାଣିବାକୁ ଆଜି ଏସବୁର ମାପଚୁପ କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା-ASI ।

Advertisment

ଶ୍ରୀମନ୍ଦିର କରିଡର ପ୍ରକଳ୍ପକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବାସ୍ତବ ସ୍ଥିତି ପରଖିବାକୁ ଆଜି ପୁରୀ ଯାଇଥିବା ତିନି ଜଣିଆ ଟିମ୍‌ରେ ଥିଲେ ASI ରିଜିଓନାଲ୍ ଡିରେକ୍ଟର ଦିଲ୍ଲିପ ଖମାରୀ, ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ । ସାଥିରେ ଥିଲେ କରିଡର ନିର୍ମାଣ ଓ ତଦାରଖ ଦାୟିତ୍ୱରେ ଥିବା ସଂସ୍ଥା ଟାଟା ପ୍ରୋଜେକ୍ଟ ଏବଂ ଓବିସିସି ସହ ପୁରୀ ଜିଲ୍ଲାପାଳ ।

ଟିମ୍ ପ୍ରଥମେ ଶ୍ରୀମନ୍ଦିର ପଶ୍ଚିମଦ୍ୱାର ପଟେ ନିର୍ମାଣ ଚାଲିଥିବା ଇନଫରମେସନ କିଓସ୍କ, ସେଲ୍ଟର ପାଭିଲିଅନ୍, କ୍ଲୋକ୍ ରୁମ୍ ଓ ଟୟଲେଟ୍ କାମର ଯାଞ୍ଚ କରିଥିଲେ । ପରେ ଦକ୍ଷିଣ ଦ୍ୱାର ଓ ଏମଆର ମଠ ପରିସରକୁ ଯାଇ ଅନୁଧ୍ୟାନ କରିଥିଲେ । ହେଲେ ସବୁଠାରୁ ବଡ଼ କଥା ହେଲା, ଐତିହ୍ୟ କରିଡର୍ କାମ ସବୁ ନିୟମ ମୁତାବକ ହେଉଛି କି ? ବୋଲି ପ୍ରଶ୍ନରେ କେହି ଜଣେ ହେଲେ କିନ୍ତୁ ମୁହଁ ଖୋଲିନଥିଲେ ।

Advertisment

ତେବେ ASI ଅଧିକାରୀଙ୍କୁ ଘନ ଘନ ପ୍ରଶ୍ନ ପରେ, ଶେଷରେ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାର ଦ୍ୱାହି ଦେଇ କେବଳ ଯାଞ୍ଚ ରିପୋର୍ଟ ନ୍ୟାୟାଳୟଙ୍କୁ ଦେବେ ବୋଲି କହିଥିଲେ ସଂସ୍ଥାର ରିଜିଓନାଲ୍ ଡିରେକ୍ଟର ଦିଲୀପ ଖମାରୀ ।

ସେପଟେ ଐତିହ୍ୟ କରିଡର କାମରେ ASIର ନିରବତାକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଇ ଆସୁଥିବା ବୁଦ୍ଧୀଜୀବୀ ଓ ଆଇନଜୀବୀ କିନ୍ତୁ ପ୍ରକଳ୍ପ କାମ ଯାଞ୍ଚକୁ ସ୍ୱାଗତ କରିଛନ୍ତି । ସେମାନେ କହିଛନ୍ତି-ASI କୋର୍ଟରେ ସଠିକ୍ ତଥ୍ୟ ଦାଖଲ କଲେ ନିଶ୍ଚିତ ଭାବେ ଆମସାର୍ ଆକ୍ଟର ଉଲ୍ଲଂଘନ ହୋଇଥିବା କଥା ପଦାକୁ ଆସିବ । ତେଣେ ପ୍ରକଳ୍ପ କାମକୁ ସମର୍ଥନ କରୁଥିବା ପରିକ୍ରମା ସୁରକ୍ଷାମଞ୍ଚ କହିଛି, ରାଜ୍ୟ ସରକାର ଯେଉଁ କାମ କରୁଛନ୍ତି ସେଥିପାଇଁ ଏନଏମଏର ଅନୁମତି ରହିଛି । କିଛି ଲୋକ ପ୍ରକଳ୍ପ କାର୍ଯ୍ୟକୁ ବିରୋଧ କରୁଛନ୍ତି, ହେଲେ ରାଜ୍ୟ ସରକାର କୌଣସି ବେଆଇନ୍ କାମ କରିନାହାନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆମ୍‌ସାର୍‌ ଆକ୍ଟର ଖୋଲାଖୋଲି ଉଲ୍ଲଂଘନ ସହ ବେଆଇନ୍ ଖନନକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି । ଏସବୁ ଭିତରେ ଆସନ୍ତା ୯ ତାରିଖରେ ହାଇକୋର୍ଟରେ ରହିଛି ଏ ସମ୍ପର୍କିତ ମାମଲାର ଶୁଣାଣି । ତା’ପୂର୍ବରୁ ପ୍ରକଳ୍ପର ବାସ୍ତବ ସ୍ଥିତି ସମ୍ପର୍କରେ ୭ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଏଏସ୍ଆଇକୁ ଅଦାଲତଙ୍କ ରହିଛି କଡ଼ା ନିର୍ଦ୍ଦେଶ ।

Srimandir ASI Lord Jagannath
Advertisment
Advertisment