• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟ୍ରେନ୍‌କୁ ଅପେକ୍ଷା କରିଥିବା ବେଳେ ମାଡ଼ି ଆସିଲା ମୃତ୍ୟୁ । ଯାଜପୁର କୋରେଇ ଷ୍ଟେସନର ଯାତ୍ରୀ ବିଶ୍ରାମାଗାର ଭିତରକୁ ଟ୍ରେନ୍‌ ମାଡ଼ିଯିବାରୁ ୩ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣାରେ ଏକାଧିକ ଆହତ ହୋଇଥିବା ବେଳେ ଆହୁରି ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି । ତେବେ ମୃତକଙ୍କ ସଂଖ୍ୟା ଆଗାମୀ ସମୟରେ ବଢ଼ିପାରେ ବୋଲି କୁହାଯାଉଛି । ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ଆରପିଏଫ୍‌ ଓ ପୋଲିସ୍‌ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ: ସମୟ ୬ଟା ୪୦. . .ପ୍ରଚଣ୍ଡ ଶଦ୍ଦ କରି ମାଡ଼ି ଆସିଲା ଲୌହଦାନବ. . .ନେଇଗଲା ଜୀବନ

ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟରେ ଏହି ରେଳ ଦୁର୍ଘଟଣା ଘଟିଛି । ଏବେ ବି  ୬ଟି ବଗି ଷ୍ଟେସନ୍‌ ପାର ହୋଇଥିବା ଅବସ୍ଥାରେ ପଡ଼ିରହିଛି । ‌ଭାରସାମ୍ୟ ହରାଇ ଟ୍ରେନ୍‌ର ତିନୋଟି ବଗି ଓଲଟି ଷ୍ଟେସନ ଭିତରକୁ ମାଡ଼ିଯିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏଥିରେ ଷ୍ଟେସନରେ ଥିବା ଫୁଟ୍‌ ଓଭରବ୍ରିଜ୍ ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିପାରେ । କିଛି ଆହତଙ୍କୁ ଉଦ୍ଧାର କରି ବର୍ତ୍ତମାନ ସ୍ଥାନୀୟ ମେଡିକାଲକୁ ନିଆଯାଉଛି । 

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବଗି ଗୁଡ଼ିକ ବିକ୍ଷିପ୍ତ ହୋଇ ଏଣେ ତେଣେ ଚଢ଼ିଯାଇଥିବା ଦେଖିବାକୁ ମିଳୁଛି । ଏଥିରୁ ସ୍ପଷ୍ଟ ହେଉଛି କେତେ କ୍ଷୀପ୍ର ବେଗରେ ଆସୁଥିଲା ମାଲବାହୀ ଟ୍ରେନ୍‌ । ତେବେ ଏହାକୁ ଏକ ବିରଳ ଦୁର୍ଘଟଣା ବୋଲି କୁହାଯାଉଛି । କାରଣ ଷ୍ଟେସନ୍‌ ଭିତରକୁ ପଶି ଦୁର୍ଘଟଣା ଘଟିବା ବୋଧହୁଏ ନୂଆ । ପୂର୍ବରୁ ଏପରି ଅଘଟଣ ଘଟିନାହିଁ । 

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ମାଲବାହୀ ଟ୍ରେନ୍‌ଟି ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟ୍‌ରେ କୋରେଇ ଷ୍ଟେସନରେ ପଶିଥିଲା । ଟ୍ରେନ୍‌ଟି ଦ୍ରୁତ ଗତିରେ ଥିବା ବେଳେ ପ୍ରଥମ ୬ଟି ବଗି ଚାଲି ଯାଇଥିଲା । ଏହାପରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବଗି ଲାଇନ୍‌ଚ୍ୟୁତ ହୋଇ ଯାଇଥିଲା । ଏହି ବଗିଗୁଡ଼ିକ ମଧ୍ୟରୁ ପ୍ରାୟ ୪ ବଗି ଯାତ୍ରୀ ବିଶ୍ରାମାଗାଗ ଉପରକୁ ମାଡ଼ି ଯାଇଥିଲା । 

ସେହି ସମୟରେ ସେଠାରେ ବହୁ ଲୋକ ବିଶ୍ରାମ ନେଉଥିବା ବେଳେ ବହୁ ଲୋକ ଟ୍ରେନ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ଟ୍ରେନ୍‌ଟି ମାଡ଼ି ଆସିବା ଦେଖି  ବହୁ ଲୋକ ଛତ୍ରଭଙ୍ଗ ଦେଖି ସେଠାରୁ ଦୌଡ଼ି ପଳାଇଥିଲେ । ମାତ୍ର ଟ୍ରେନ୍‌ ବଗି ତଳେ ଚାପି ହୋଇ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । 

 

ସେପଟେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି ଫସିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ଦାବି କରାଯାଇଛି । ବିଳମ୍ବ ହେଲେ ଅଧିକ ଜୀବନହାନି ଆଶଙ୍କା କରାଯାଇଛି  । ବର୍ତ୍ତମାନ ରିଲିଫ ଟ୍ରେନକୁ ଦୁର୍ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖୋର୍ଦ୍ଧା ରୋଡ୍ DRM ମଧ୍ୟ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଥିବା ଜଣାପଡ଼ିଛି ।