• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ । ସାରା ରାଜ୍ୟରେ ବିଜୁ ବାବୁଙ୍କ ସ୍ମୃତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୧୯୧୬, ମାର୍ଚ୍ଚ ୫ରେ ବିଜୁ ବାବୁ କଟକରେ ଜନ୍ମ ଗ୍ରହଣ କରିଥିଲେ । ୧୯୯୭ ମସିହା ଏପ୍ରିଲ ୧୭ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଏକାଧାରରେ ଜଣେ ଦକ୍ଷ ରାଜନେତା, ବିମାନ ଚାଳକ ଓ ଶିଳ୍ପପତି ଥିଲେ । ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ଯାଏଁ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ଯାଏଁ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ରାଜନୀତି ଓ ବିକାଶ କ୍ଷେତ୍ରରେ ବିଜୁ ବାବୁଙ୍କ ଭୂମିକା ଆଜି ବି ସ୍ମରଣୀୟ ।

କେବଳ ଓ଼ଡିଶା ନୁହେଁ ଜାତୀୟ ରାଜନୀତିରେ ବିଜୁବାବୁଙ୍କର ଥିଲା ସ୍ୱତନ୍ତ୍ର ସ୍ଥାନ । ସେଥିପାଇଁ ତ ଏହି ସ୍ୱର୍ଗତ ଜନନାୟକଙ୍କ ଶେଷ ଦର୍ଶନ ଲାଗି ସ୍ୱର୍ଗଦ୍ୱାରକୁ ଛୁଟିଥିଲା ବଡ଼ବଡ଼ ଜାତୀୟସ୍ତରର ନେତାଙ୍କ ସୁଅ । ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ,ଏଚ୍‌ଡି ଦେବେଗୌଡ଼ା, ଚନ୍ଦ୍ରଶେଖର, ଲାଲୁ ପ୍ରସାଦ ଯାଦବ, ରାମବିଳାଶ ପାସଓ୍ୱାନଙ୍କ ପରି ନେତା ସ୍ୱର୍ଗଦ୍ୱାରକୁ ଆସି ବିଜୁ ବାବୁଙ୍କ ଶେଷ ଦର୍ଶନ କରିଥିଲେ ।

ଅନ୍ତିମ ସଂସ୍କାର ବେଳେ ଦୁଇ ପୁଅ ପ୍ରେମ୍ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସହ ଜାନକୀବଲ୍ଲଭ ପଟ୍ଟନାୟକ, ନିରଂଜନ ପଟ୍ଟନାୟକ, ଦିଲୀପ ରାୟ, ରାମକୃଷ୍ଣ ପଟ୍ଟନାୟକ, ନଳିନୀ ମହାନ୍ତି, ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ଅନଙ୍ଗଉଦୟ ସିଂହଦେଓ, ଅଶୋକ ଦାଶ, ମହେଶ୍ୱର ମହାନ୍ତିଙ୍କ ଭଳି ପ୍ରମୁଖ ନେତା ମଧ୍ୟ ଉପସ୍ଥିତ ଥିଲେ । ୧୯୯୭ ମସିହା ଏପ୍ରିଲ ୧୭ରେ ଦିଲ୍ଲୀରେ ବିଜୁବାବୁଙ୍କ ଦେହାନ୍ତ ହୋଇଥିବା ବେଳେ ତା ପରଦିନ ୧୮ ତାରିଖରେ ଓଡ଼ିଶା ଆସିଥିଲା ପାର୍ଥିବ ଶରୀର । ଏହାପରେ ଭୁବନେଶ୍ୱରୁ ପୁରୀ ଯାଏଁ ବିରାଟ ଶୋଭାଯାତ୍ରାରେ ବିଜୁବାବୁଙ୍କ ପାର୍ଥିବ ଶରୀର ନିଆଯାଇ ସ୍ୱର୍ଗଦ୍ୱାରରେ କରାଯାଇଥିଲା ଅନ୍ତିମ ସଂସ୍କାର ।

ବିଜୁବାବୁଙ୍କ ଅନ୍ତିମ ବିଦାୟଠାରୁ ପଞ୍ଚଭୂତରେ ବିଲୀନ ହେବା ଯାଏ ସବୁ ଦୃଶ୍ୟକୁ ତୋଳିଧରିଥିଲା ଓଡ଼ିଶା ଟେଲିଭିଜନ OTV । ଯଦିଓ କିଛି ଦିନ ପରେ ଆନୁଷ୍ଠାନିକ ଭାବେ ଓଟିଭି ଲଞ୍ଚ୍ ହେବାର ଥିଲା । କିନ୍ତୁ ସେହିଦିନ ମହାନ ଜନନାୟକ ବିଜୁବାବୁଙ୍କ ଅନ୍ତିମ ସଂସ୍କାରରୁ ହିଁ ଆରମ୍ଭ ହୋଇଥିଲା ଓଟିଭିର ପ୍ରଥମ ପ୍ରସାରଣ । ବିଜୁ ବାବୁଙ୍କ ମହାଯାତ୍ରାରୁ ଆରମ୍ଭ ହୋଇଥିବା ଓଟିଭିର ଖବର ଯାତ୍ରା ଦୀର୍ଘ ୨୫ ବର୍ଷ ଧରି ଆପଣଙ୍କ ପାଇଁ ଓ ଆପଣଙ୍କ ସହ ସେହି ବିଶ୍ୱାସ ଓ ଭରସା ଅକ୍ଷୁର୍ଣ୍ଣ ରଖି ଜାରି ରହିଛି ।

ଜଣେ ନିର୍ଭିକ ପାଇଲଟ୍ ଭାବେ ବିଜୁ ବାବୁ ଥିଲେ ବେଶ ଜଣାଶୁଣା । ୧୯୪୭ ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀ ସୁଲତାନ ସାହରିକ୍‌ଙ୍କୁ ଡଚ୍‌ଙ୍କ କବଳରୁ ଉଦ୍ଧାର ଏହାର ଜଏକ ଜ୍ୱଳନ୍ତ ଉଦାହରଣ । ଆଜି ରାଜ୍ୟ ବିଧାନସଭା ପରିସର ବିଜୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କୁ ଏହି ଅବସରରେ ମନେ ପକାଇବା ସହ ତାଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତାଛଡ଼ା ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କ ସମେତ ବିଭିନ୍ନ ସ୍ଥାନରେ ବିଜୁଙ୍କୁ ମନେ ପକାଇବା ସହ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ତିନି ବିଧାୟକଙ୍କ ସମେତ ବିଜେଡିର ବରିଷ୍ଠନେତା ଏଥିରେ ସାମିଲ ହୋଇଥିଲେ । ସେହିପରି ପୁରୀରେ ବିଜୁ ବାବୁଙ୍କ ଉର୍ଦ୍ଦେଶ୍ୟରେ ମହାପ୍ରଭୁଙ୍କ ନିକଟରେ ଦ୍ୱୀପ ଦାନ କରାଯାଇଛି ।