• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାନଦୀ ଶଯ୍ୟା ହୀରାକୁଦ ତଳ ଅଞ୍ଚଳକୁ ସତର୍କ ସୂଚନା ଜାରି କଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲା ଯାଇଛି । ତେଣୁ ସତର୍କ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ତଳିଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ରହିଛି ତେଣୁ ସତର୍କ ରହିବା ଆବଶ୍ୟକ । ତଳିଆ ଅଞ୍ଚଳରେ ନଦୀକୁ ନଯିବାକୁ ମଧ୍ୟ କହିଛନ୍ତି ଜିଲ୍ଲାପାଳ । ଏନେଇ ମାଇକ୍‌ ଯୋଗେ ପ୍ରଚାର କରି ଲୋକଙ୍କୁ ସତର୍କ କରାଯାଇଛି । ଏହାସହ ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଅନ୍ୟପଟେ ପ୍ରବଳ ବର୍ଷା ଜନିତ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ EIC ସୂଚନା ଦେଇଛନ୍ତି । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବର୍ଷା ହେବ ତେଣୁ ପରିସ୍ଥିତି ଉପରେ ଆମେ ନଜର ରଖିଛୁ । ସବୁ ନଦୀର ଜଳସ୍ତର ବଢ଼ିଛି, କିନ୍ତୁ ବିପଦ ସଂକେତ ତଳେ ରହିଛି । କେବଳ ଜଳକା ନଦୀ ଯାହା ବିପଦ ସଂକେତ ଉପରେ ରହିଛି । ମୁଣ୍ଡଳିରେ ଆଜି ୩.୪୭ କ୍ୟୁସେକ୍ ଜଳ ପ୍ରବାହ ହେଉଛି । ଏବେ ହୀରାକୁଦର ୨୦ଟି ଗେଟ୍ ମଧ୍ୟ ଖୋଲାଯାଇଛି । ସେହି ପାଣି ଏଯାଏ ଆସିନି ।

ହୀରାକୁଦ ପାଣି ମୁଣ୍ଡୁଳି ପର୍ଯ୍ୟନ୍ତ ଆସିଲା ବେଳକୁ ଏହି ପାଣି ଖସି ଯାଇଥିବ । ତେଣୁ ସେହିଭଳି କିଛି ଚିନ୍ତାଜନକ ସ୍ଥିତି ନାହିଁ, ତଥାପି ଆମେ ସଜାଗ ରହିଛୁ । ଆମ ଷ୍ଟାଫ୍ ସଜାଗ ରହିଛନ୍ତି, ଆଲର୍ଟ ରହିବାକୁ ମଧ୍ୟ କୁହାଯାଇଛି ବୋଲି କହିଛନ୍ତି EIC ।

ସେପଟେ ହୀରାକୁଦ ଡ୍ୟାମ୍ ସ୍ଥିତି ନେଇ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କ ସୂଚନା । ୨୦ଟି ଗେଟ୍ ଖୋଲାଯାଇଛି । ପ୍ରତି ସେକେର୍ଡରେ ୩ ଲକ୍ଷ ୪୧ ହଜାର ୫୬୦ କ୍ୟୁସେକ୍ ଜଳ ବାହାରକୁ ଛଡ଼ାଯାଉଛି । ସେହିଭଳି ପ୍ରତି ସେକେଣ୍ଡରେ ୪ ଲକ୍ଷ ୦୧ ହଜାର ୯୦୪ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ହିରାକୁଦ୍‌ରୁ ଛଡ଼ା ଯାଇଥିବା ପାଣି ମୁଣ୍ଡଳିରେ ପହଞ୍ଚିବାକୁ ୩୬ ଘଣ୍ଟା ଲାଗିବ । ସେଥିମଧ୍ୟରେ ତଳମୁଣ୍ଡ ପାଣି ମୁଣ୍ଡଳି ଦେଇ ଚାଲି ଯାଇଥିବ । ତେଣୁ ହୀରାକୁଦ ପାଣି ମିଶିଲେ ବି କିଛି ଚିନ୍ତାଜନକ ସ୍ଥିତି ହେବ ନାହିଁ । ଅନ୍ୟ ପକ୍ଷରେ ଛତିଶଗଡ଼ରେ ବର୍ଷା ନାହିଁ, ତେଣୁ ଡ୍ୟାମକୁ ଇନ୍‌ଫ୍ଲୋ କମିଛି ।