• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାଗ୍ୟର ବିଡ଼ମ୍ବନା । ଦିନେ ଥିଲେ ଶିକ୍ଷକ । ଆଉ ତାପରେ ଡେଲିଭରି ବୟ । ହଠାତ ମିଳିଲା ବଡ଼ ଉପହାର । କଥାରେ ଅଛି ଯିଏ ପରିଶ୍ରମ କରେ ସିଏ ନିଶ୍ଚୟ ଫଳ ପାଏ । ଦିନେ ଶିକ୍ଷକତା କରୁଥିଲେ ଦୁର୍ଗା ମୀନା । ହେଲେ ହଠାତ୍‌ ଚାଲିଗଲା ଚାକିରି । କରୋନା ଭାଙ୍ଗିଦେଲା ଆର୍ଥିକ ମେରୁଦଣ୍ଡ । ଆଉ ନିରାଶ ହୋଇପଡ଼ିଲେ ଦୁର୍ଗା । ହେଲେ ଯିଏ ପରିଶ୍ରମ କରି ଝାଳ ବୁହାଇ ରୋଜଗାର କରିବା ଶିଖିଛି, ସେ ଘରେ ଖାଲିରେ ବସିବ ବା କେମିତି ? ତେଣୁ ଦୁର୍ଗା ଆରମ୍ଭ କଲେ ନୂଆ ଚାକିରି । ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି ଆପ୍‌ ଜୋମାଟୋରେ ଡେଲିଭରୀ ବୟ ଭାବେ କାମ କଲେ ।

ଆଉ ଆପଣ ତ ଜାଣନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଛି ଅନଲାଇନ୍‌ ଅର୍ଡରର ଡିମାଣ୍ଡ । କାରଣ ଲୋକଙ୍କୁ ଏହା ବେଶ ସୁହାଉଛି । ଯେତେବେଳେ ମନ ହେଲା, ମୋବାଇଲ କାଢ଼ିଲେ ଆଉ ଆପ୍‌କୁ ଯାଇ ଅର୍ଡର ଦେଲେ, ମାତ୍ର କିଛି ସମୟ ମଧ୍ୟରେ ଖାଇବା ଆସି ପହଞ୍ଚିଯାଏ ଆପଣଙ୍କ ପାଖରେ । ଏମିତିକି ବିଳମ୍ବିତ ରାତିରେ ମଧ୍ୟ ଏହି ଅନଲାଇନ୍ ଅର୍ଡର ଓ ଡେଲିଭରୀ ବ୍ୟବସ୍ଥା ରହିଛି । ଦିନବେଳେ ଲୋକଙ୍କୁ ଖରାରେ ବାହାରକୁ ବାହାରିବା ପାଇଁ ପଡ଼ୁନି କି ଟ୍ରାଫିକ୍‌ ଜାମ୍‌ରେ ଫସିଥିବାର ଚାନ୍ସ ନାହିଁ । ଅର୍ଡର ଦେଲେ ଘରେ ଆସି ପହଞ୍ଚିଯାଉଛି ଖାଦ୍ୟ ।

ତେବେ ଆପଣ ଦେଖିଥିବେ ପ୍ରାୟ ସବୁ ଡେଲିଭରୀ ବୟ ବାଇକ୍‌ ଧରି ଘରକୁ ଘର ବୁଲି ଖାଦ୍ୟ ପହଞ୍ଚାଇଥାନ୍ତି । ହେଲେ ନୂଆ ଚାକିରିରେ ଯୋଗଦେବା ଦୁର୍ଗା କିନ୍ତୁ ସାଇକେଲରେ କରୁଥିଲେ ଡେଲିଭରି । କାରଣ ତାଙ୍କ ପାଖରେ ନଥିଲା ବାଇକ୍‌ କିଣିବାର ସାମର୍ଥ୍ୟ । ହେଲେ ଭଗବାନ ସହାୟ ହେଲା ଭଳି ହଠାତ୍‌ ଦିନେ ଦୁର୍ଗାଙ୍କୁ ମିଳିଲା ନୂଆ ବାଇକ୍‌ ଉପହାର ।

ସାଇକେଲରେ ବୁଲି ବୁଲି ଟାଣ ଖରାରେ ଡେଲିଭରି ଦେବା କେତେ ଯେ କଷ୍ଟ ତାହା ଆପଣ ନିଶ୍ଚୟ ବୁଝିପାରୁଥିବେ । ତେବେ ଜଣେ ବ୍ୟକ୍ତି ଆଦିତ୍ୟ ଶର୍ମା ଦୁର୍ଗାଙ୍କ ଏହି ଦୁଃଖକୁ ବୁଝିପାରିଥିଲେ ଏବଂ ନିଜ ସୋସିଆଲ ପେଜ୍‌ ଦୁର୍ଗାଙ୍କ ଏକ ଫଟୋ ସେୟାର କରିଥିଲେ । ଯାହାକୁ ଦେଖିବା ପରେ ଅନେକ ବଦାନ୍ୟ ବ୍ୟକ୍ତି ଦୁର୍ଗାଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛନ୍ତି । ଆଉ ଲୋକଙ୍କ ସହାଯ୍ୟ ପାଇ ଦୁର୍ଗା ଆଜି ନୂଆ ବାଇକ୍‌ କିଣିବାରେ ସଫଳ ହୋଇଛନ୍ତି ।

ଦୁର୍ଗାଙ୍କ ଲକ୍ଷ ଥିଲା ସେ ବାଇକ୍‌ କିଣିଲେ ଅଧିକରୁ ଅଧିକ ଡେଲିଭରି କରିପାରିବେ ଏବଂ ଅଧିକ ରୋଜଗାର ମଧ୍ୟ କରିବେ । ଆଉ ସେହି ଟଙ୍କାରେ ତାଙ୍କର ପାଠ ପଢ଼ିବା ଆଶା ପୁରଣ କରିବେ । ଦୁର୍ଗାଙ୍କ ଆଶା ସେ ଏମ୍‌ କମ୍‌ ପଢ଼ିବେ । ହେଲେ ଆର୍ଥାଭାବରୁ ସେ ଏମ୍‌ କମ୍‌ ପଢ଼ିପାରୁ ନଥିଲେ । ଆଦିତ୍ୟ ମିଶ୍ର ନାମକ ଏହି ବଦାନ୍ୟ ବ୍ୟକ୍ତି ନିଜ ସୋସିଆଲ ପେଜ୍‌ରେ ଦୁର୍ଗାଙ୍କ ଫଟୋ ସେୟାର କରିବା ସହ ପୁରା ଘଟଣା ଲେଖିଥିଲେ । ଯାହା ଫଳରେ ଦୁର୍ଗା ଆଜି ନିଜ ସ୍ୱପ୍ନ ପୁରା କରିବାରେ ଆଉ ପାଦେ ଆଗକୁ ବଢ଼ିଛନ୍ତି ।

ତେବେ ଏହି ଖବରକୁ ନେଇ ଏବେ ସୋସିଆଲ ମିଡିଆରେ ଢ଼େର ଚର୍ଚ୍ଚା ହେଉଛି । କେହି କେହି ଏହାକୁ ସୋସିଆଲ ମିଡିଆର ପାୱାର ବୋଲି ମଧ୍ୟ କହୁଛନ୍ତି । ଆଉ କେହି କେହି କହୁଛନ୍ତି ଯିଏ ନିଷ୍ଠାର ସହ ପରିଶ୍ରମ କରିବ ସେ ନିଶ୍ଚୟ ଦିନେ ନା ଦିନେ ଫଳ ପାଇବ । ଭଗବାନ ତାଙ୍କ ସହ କେବେ ବି ଅନ୍ୟାୟ କରିବେ ନାହିଁ ।