ମହାଦେବଙ୍କ ଆରାଧନା ପାଇଁ ସବୁଆଡେ ଭକ୍ତିମେୟ ପରିବେଶ । ସବୁଠି ଚାଲିଛି ପୂଜାର୍ଚ୍ଚନା । ଶିବଙ୍କୁ କରାଯାଉଛି ଉପାସନା । ଅନେକ ଶୈବାଳୟର ଭିନ୍ନ ଆକର୍ଷଣ ରହିଛି । ଧର୍ମଗଡ ଠାରେ ପ୍ରତିଷ୍ଠିତ ପାରଦେଶ୍ୱର ମନ୍ଦିରର ବି ରହିଛି କିଛି ସ୍ୱତନ୍ତ୍ରତା । ଏଠାରେ ପ୍ରତିଷ୍ଠିତ ଶିବଲିଙ୍ଗ ଯେତିକି ରହସ୍ୟମୟ ସେତିକି ଅଲୌକିକ ବୋଲି ଲୋକଙ୍କ ବିଶ୍ୱାସ । କୁହାଯାଏ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ କଲେ ଯେତିକି ଫଳ ମିଳିଥାଏ ପାରଦେଶ୍ୱରଙ୍କ ଦର୍ଶନରେ ସମାନ ଫଳ ମିଳେ ।
ଆପଣ ତ ଅନେକ ଶିବମନ୍ଦିର ଯାଇଥିବେ ଶିବଲିଙ୍ଗଙ୍କୁ ଦର୍ଶନ କରିଥିବେ । କିନ୍ତୁ ଧର୍ମଗଡରେ ଥିବା ବାବା ପାରଦେଶ୍ୱରଙ୍କ ମନ୍ଦିର ଅନନ୍ୟ । ୫୨ କେଜି ପାରଦରେ ନିର୍ମିତ ବିଶାଳକାୟ ଶିବଲିଙ୍ଗ । ସାଧାରଣତଃ ପାରଦ ହେଉଛି ତରଳ ପଦାର୍ଥ । ଶିବଲିଙ୍ଗ ପାଇଁ ଏହାକୁ କଠିନରେ ପରିଣତ କରିବାକୁ ୭ ବର୍ଷ ସମୟ ଲାଗିଥିଲା ।
Also Read
ଅଧିକ ପଢ଼ନ୍ତୁ: ଗଣ୍ଡା ପାଇଁ ମହାଦେବଙ୍କ ସହ ଓ ଗନ୍ଧର୍ବ ପାଇଁ କୃଷ୍ଣଙ୍କ ସହ ଅର୍ଜୁନଙ୍କ ଯୁଦ୍ଧର କାହାଣୀ
ଏହାକୁ ପୃଥିବୀର ତୃତୀୟ ଶିବଲିଙ୍ଗର ମାନ୍ୟତା ମିଳିଛି । ଓଡିଶାରେ ୫୨ କେଜି ପାରଦରେ ନିର୍ମିତ ଏହା ପ୍ରଥମ ଶିବଲିଙ୍ଗ । ୨୦୦୧ ମସିହାରେ ଧର୍ମଗଡ ଠାରେ ପାରଦେଶ୍ୱର ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଏହାକୁ ଦେଖିବାପାଇଁ ଏବେ ରାଜ୍ୟତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଆସୁଛନ୍ତି ।
ପ୍ରଥମ ହରିଦ୍ୱାର, ଦ୍ୱିତୀୟ କାଶୀ ଏବଂ ତୃତୀୟରେ ଧର୍ମଗଡରେ ଏହାକୁ ପ୍ରତିଷ୍ଠା କରାଯାଇଛି । ପୁରୀ ବଳରାମ କୋଠ ମଠର ମହନ୍ତ ସ୍ୱର୍ଗତ ଅଯୋଧ୍ୟା ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା । ଲୋକକଥା ରହିଛି ଯେ ଏହି ଲିଙ୍ଗ ଗୁଜରାଟରୁ ଓଡିଶାକୁ ଆସିବା ଦିନ ହିଁ ଭୂଜ୍ରେ ଭୂମିକମ୍ପ ହୋଇଥିଲା । ବର୍ଷତମାମ ଏଠାରେ ଅଷ୍ଟାଧ୍ୟାୟୀ ରୂଦ୍ରାଭିଷେକ ଏବଂ ନମକ ଚମକ ପାଠ କରାଯାଇଥାଏ । ଶିବରାତ୍ର ରେ ଏହା ସ୍ୱତନ୍ତ୍ର ବିଧିରେ ପୂଜା କରାଯାଏ ।