• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଏଠି ମହିଷା ମର୍ଦ୍ଦିନୀ ରୂପରେ ନୁହେଁ, କୋଡ଼ିଏଟି ଭୁଜା ସହ ପୂଜା ପାଆନ୍ତି ମାଆ । କାହିଁ କେଉଁ କାଳରୁ ମାଆ ଏଠି ବିଂଶ ଭୁଜା ରୂପେ ପୂଜିତା । ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧାରଣ କରି ମାଆ ଏଠାରେ ବିଶ୍ଵରୂପା ଶକ୍ତି ସ୍ୱରୂପିଣୀ ଭାବରେ ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ ।

ମାଆଙ୍କର ଏଭଳି ବେଶ ଦର୍ଶନ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ଆଗମନ ହୁଏ । ପାଖାପାଖି ୨୦ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସ୍ଥାପନ ହୁଏ । ଏପରି ନିଆରା ଭାବେ ମାଆ ବିଶ୍ବରୂପାଙ୍କର ପୂଜା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଗୋପପୁର ଗ୍ରାମରେ କରାଯାଏ ।

ଏହି ଗାଁରେ ବରଧାରୀପୀଠରେ ମାଆ ଦର୍ଶନ ଦିଅନ୍ତି ବିଂଶଭୁଜା ଭାବରେ । ବର୍ତ୍ତମାନ ମାଆଙ୍କର ଖଡ଼ିକାମ ପରେ ରଙ୍ଗକାମ ଚାଲିଛି । ଅଳଙ୍କାର ମଧ୍ୟ ଖଞ୍ଜା ଚାଲିଛି । ଏଠାରେ ମାଆଙ୍କ ନିକଟରେ ମହିଷାଶୁର ନଥାଏ ।

କିମ୍ବଦନ୍ତୀ କହେ କାହିଁ କେଉଁ କାଳରୁ ଏହି ଅଞ୍ଚଳରେ ହଇଜା ମହାମାରୀ ବ୍ୟାପିଥିଲା । ଧୁଳିଆ ବାବାଜୀ ବୋଲି ଜଣେ ସାଧୁ କେଉଁ ଆଡ଼ୁ ଆସି ଏହି ଜାଗାରେ ମାଆଙ୍କୁ ପୂଜାର୍ଚ୍ଚନା କରିଥିଲେ । ମାଆ ତାଙ୍କ ଭକ୍ତିରେ ପ୍ରୀତ ହୋଇ ତାଙ୍କୁ ବିଂଶଭୁଜା ଭାବରେ ଦର୍ଶନ ଦେଇଥିଲେ ।

ସେବେଠାରୁ ମାଆ ଏଠାରେ ବିଂଶଭୁଜା ରୂପେ ପୂଜା ପାଉଛନ୍ତି । ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ । ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ସହ ମିଳିତଭାବେ ସମସ୍ତ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଆୟୋଜକ ।

  • Reported by:
  • Manoj Acharya