• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sumitra Padhi

ପିଲାଦିନେ ଗାଁରେ ଚାଳ ଛପର କାମ ହେଲାବେଳେ, ନଡ଼ିଆ କତାରେ ତିଆରି ଦଉଡ଼ି ବ୍ୟବହାର ହେଉଥିବାର ଆମ ଭିତରୁ ଅନେକ ଦେଖିଥିବେ। ଆମେ ତାକୁ କତା ଦଉଡ଼ି କହୁଥିଲୁ। ପୁରୁଣା ଚାଳ ଓଲୁରା ହେଲାବେଳେ ଆମେ ପିଲାମାନେ ତା' ଭିତରେ ଡିଆଁକୁଦା ହେଇ ଆଗରୁ ଚାଳରେ ଖୋସା ହୋଇଥିବା ଛୋଟମୋଟ ଜିନିଷ ସବୁ ଖୋଜୁଥିଲୁ। ଭିତରୁ ବାହାରିଲା ବେଳକୁ ଏମିତି କାଳିଆ ଭୂତ ହୋଇ ବାହାରୁଥିଲୁ ଯେ, ସବୁ ଏକା ପରି ଦିଶୁଥିଲୁ। ବାଉଁଶରେ ବନ୍ଧା ଥିବା ଯେଉଁ ପୁରୁଣା ଦଉଡି ସବୁ ଫିଙ୍ଗି ଦିଆଯାଇଥାଏ, ସେସବୁକୁ ବି ଗୋଟେଇକି ଆଣି ରଖୁ। ସେ ଦଉଡ଼ି ଆମର ବହୁତ କାମରେ ଲାଗେ। ଏଇ ଯେମିତି, ତାଳ ଖାଇ ସାରିଲା ପରେ ତାକୁ ଚକ କରି କାଠିରେ ଖୋସି ଦି' ଚକିଆ ଗାଡି ତିଆରି କରି ଟାଣିବା ପାଇଁ; କାଠି ଓ କାଗଜରେ ତିଆରି ରଥ ଟାଣିବା ପାଇଁ; ବତା, କାଠି, ପୁରୁଣା ଶାଢୀ ବାନ୍ଧି ଖେଳଘର ତିଆରି କରିବା ଇତ୍ୟାଦି। ଏମିତି ଆହୁରି ଅନେକ ପିଲାଳିଆ କାମରେ ଆମେ ତାକୁ ଲଗାଉ।

Coir Handicraft of Odisha
ନଡ଼ିଆ କତା ଶିଳ୍ପ

ପରେ ଜାଣିଲି ଆମ ପ୍ରାଚୀନ ସିନ୍ଧୁ ସଭ୍ୟତା କାଳରୁ ଏହାର ବ୍ୟବହାର ହୋଇଆସୁଛି ବିଭିନ୍ନ କାମ ପାଇଁ। ବିଶେଷ କରି ଦଉଡି, ମାଛ ଜାଲ ଓ ଡଙ୍ଗା ତିଆରି କାମରେ। କାରଣ ଏହା ବହୁତ ଶକ୍ତ ଓ ବହୁତ ଦିନ ରହେ ମଧ୍ୟ। ଭାରତରେ ବିଶେଷ କରି କେରଳରେ ନଡ଼ିଆ ଚାଷ ଅଧିକ ହେଉଥିବାରୁ ଏହା ସେଠାକାର ଏକ ପ୍ରମୂଖ ହସ୍ତଶିଳ୍ପ ହୋଇ ରହିଆସିଛି। ୧୯୫୩ରେ ପ୍ରଥମ କରି 'କୟର୍ ବୋର୍ଡ' ସ୍ଥାପନ ହେଲା ପରେ ଏହା ଆମ ଦେଶର ଅର୍ଥନୀତିରେ ମଧ୍ୟ ଏକ ପ୍ରମୂଖ ଭୂମିକା ଲିଭେଇ ଆସିଛି। ଏଥିରେ ଦଉଡି, ପାପୋଛ, ଆସନ, ବ୍ରସ୍ ଆଦି ବିଭିନ୍ନ ଜିନିଷ ତିଆରି ହେଉଛି। ଏସବୁକୁ କୁହାଯାଏ କୟର ପ୍ରଡକ୍ଟ ବା କୋକ୍ୱାନଟ୍ ଫାଇବର୍ ପ୍ରଡକ୍ଟ । ଏବେ ଖେଳନା ଯୋଡି ହେଲାପରେ କୟର କ୍ରାଫ୍ଟ ବି କୁହାଯାଉଛି । ଆମ ଓଡ଼ିଶାରେ ବି ତିଆରି ହୁଏ ଅନେକ କୟର ପ୍ରଡକ୍ଟ।

କତା କଣ୍ଢେଇର ଗାଁ ନଢ଼ଣା:

ଓଡି଼ଶାର ପୁରୀ ଜିଲ୍ଲାରେ ଅଛି ଗୋଟିଏ ଗାଁ। ନାଁ ତା'ର ନଢ଼ଣା। ଏହା ଏକମାତ୍ର ଗାଁ ଯାହାକୁ ସରକାରଙ୍କ ତରଫରୁ କତା କଣ୍ଡେଇ ଗାଁ'ର ମାନ୍ୟତା ମିଳିଛି। ମୁଁ ଏଇ କିଛିଦିନ ତଳେ ସେଠାକୁ ଯାଇଥିଲି। ଯିବା ଦିନ ଦିଗନ୍ତ ବିସ୍ତାରୀ ସବୁଜ ଧାନକ୍ଷେତ ସେପାଖରେ ଗାଢ ନୀଳ ଆକାଶର ଛାତିରେ ଠିକ୍ ଦିଗବଳୟ ଉପରକୁ ସଫେଦ ରଙ୍ଗର ମେଘ ସବୁ ମୁହଁ ଟେକି ଚାହିଁଥିଲେ। ତାଙ୍କ ଉପସ୍ଥିତି ଚିତ୍ରମୟ କରୁଥିଲେ ଆକାଶକୁ। ମୁଁ ସତରେ ବିଭୋର ହୋଇଯାଇଥିଲି ତା'ର ସୌନ୍ଦର୍ଯ୍ୟରେ। ଗାଁରେ ପହଞ୍ଚିଲା ବେଳକୁ ଅମୀୟ ଓ ତାଙ୍କ ସୋସାଇଟିର ସଦସ୍ୟମାନେ ପାରମ୍ପରିକ ଭାବେ ଦୁବ ବରକୋଳି, ଚାଉଳ ପକାଇ ହୁଳହୁଳି ଦେଇ ସ୍ୱାଗତ କଲେ। ସେତେବେଳକୁ ଯାଇ ମୁଁ ପ୍ରକୃତିସ୍ଥ ହେଲି। ପ୍ରାୟ କୋଡ଼ିଏ ସରିକି ମହିଳା ବସି ତିଆରି କରୁଥାନ୍ତି ବିଭିନ୍ନ ରକମର କତା କଣ୍ଢେଇ। କିଏ ହାତୀ ତିଆରି କରୁଥାଏ ତ କିଏ ହରିଣ ଅବା କଇଁଛ। କଦଳୀ ଗଛ, ପଦ୍ମଫୁଲ, ଲ୍ୟାମ୍ପସେଡ୍ ଆଦି ବି ତିଆରି ଚାଲୁଥାଏ। ତାପରେ ବାହାରିଲି ଗାଁ ବୁଲି। ଗାଁରେ ବି ଆହୁରି ପଚାଶ ସରିକି ମହିଳା ନିଜ ନିଜ ଘରେ ଏସବୁ ଖେଳନା ତିଆରି କରୁଥାନ୍ତି। ଅମୀୟ ଗୋଟିଗୋଟି କରି ମୋତେ ସବୁ ଦେଖାଉଥାନ୍ତି। ବଡ ଉତ୍ସାହୀ ଯୁବକ ଆମ ଅମୀୟ। ପୁରା ନାଁ ଅମୀୟ ପୋଦାର। ଗାଁର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପଛରେ ଅମୀୟଙ୍କର ହାତ ରହିଛି। ନିଜେ ଶିଖି ମହିଳାମାନଙ୍କ ପାଇଁ ସରକାରୀ ସହାୟତାରେ ଟ୍ରେନିଂ ବି କରାଇଛନ୍ତି। ଦଶରୁ ଆସି ଏବେ ଶହେ ସରିକି କାରିଗର ଏଥିରେ ଯୋଡି ହେଲେଣି। ୬୦-୭୦ ଜଣ ତ ନିୟମିତ କାମ ବି କରୁଛନ୍ତି। ସେମାନଙ୍କୁ କେଉଁଠୁ ନା କେଉଁଠୁ ବରାଦ ଧରି କାମ ବି ଯୋଗାଉଛନ୍ତି ଅମୀୟ।

Coir Artefact
କତାରେ କଣ୍ଢେଇ

ଗାଁ ବୁଲାରେ ଦେଖୁ ଦେଖୁ ଗୋଟେ ଦିନ ସରିଗଲା। ଆଉ ଗୋଟେ ଦିନ ରହିଲି କେବଳ ସେମାନଙ୍କ ହାତ ତିଆରି କତା କଣ୍ଢେଇ ଜିନିଷ ସବୁ ଦେଖିବା ପାଇଁ। ମୋ ଅନୁସାରେ ରହିବାକୁ ମାଟି ଘରଟିଏ ମିଳିଗଲା। ମିଳିଗଲା ବି ତୋଫା ଜହ୍ନରାତି। ଗାଁର ଶେଷଭାଗରେ ଖାଲି ଧାନକ୍ଷେତ। ପୁରା ଖାଲି ଜାଗା। ଦୂର ଦୂରାନ୍ତ ପର୍ଯ୍ୟନ୍ତ କିଛି ଆଲୁଅ ଦିଶୁନଥାଏ। ପୃଥିବୀର ଗାଢ଼ ଅନ୍ଧକାର ଉପରେ ଖାଲି ଜହ୍ନର ଆଲୁଅ। ବହୁ ଦିନ ପରେ ଏମିତି ଏକ ସୁଯୋଗ ମିଳିଥାଏ। ସେଇଠି ବିତିଗଲା କେଇ ଘଣ୍ଟା। ପରଦିନ ସେଠାର କାରିଗରମାନଙ୍କୁ ଭେଟି ଦେଖିଥିଲି କତା କଣ୍ଢେଇ ତିଆରି ପ୍ରକ୍ରିୟା। ସେମାନଙ୍କ ପାଖରେ ବସି ନିଜେ ଟିକେ ତିଆରି କରିବା ଶିଖିଲି ବି।

Coir Handicraft of Odisha
ଜୀବନ ପାଉଛି ନଡ଼ିଆ କତା

କତା କଣ୍ଢେଇ ତିଆରି ପାଇଁ ଆବଶ୍ୟକୀୟ ସାମଗ୍ରୀ:

ନଡ଼ିଆ କତାରେ ତିଆରି କତା କଣ୍ଢେଇ ପାଇଁ ସମୟ ସିନା ବହୁତ ଲାଗେ, ଜିନିଷ କିନ୍ତୁ ବେଶୀ କିଛି ଦରକାର ହୁଏନି। ଖାଲି ନଡ଼ିଆ କତା, କଇଁଚି, ଅଠା, ସୂତା ଓ କାର୍ଡବୋର୍ଡ। କଇଁଚି ଦୁଇ ପ୍ରକାର ଦରକାର ହୁଏ; ଗୋଟେ ନଡ଼ିଆ କତା କାଟିବା ପାଇଁ, ଆଉ ଗୋଟିଏ ସୂତା କାଟିବା ପାଇଁ। ସୂତା ବି ଦୁଇ ପ୍ରକାର ବ୍ୟବହାର ହୁଏ; ଗୋଟେ କଟନ୍ ସୂତା ଓ ଅନ୍ୟଟି ଉଲ୍। ଅଠା ମଧ୍ୟ ଦୁଇ ପ୍ରକାରର। କେହି କେହି ପାରମ୍ପରିକ ପଦ୍ଧତିରେ ମଇଦା ଅଠା ତିଆରି କଲା ବେଳେ ଅନ୍ୟମାନେ ଫେବିକଲ୍ ଅଠାକୁ ପାଣିରେ ମିଶାଇ ବ୍ୟବହାର କରନ୍ତି।

କତା କଣ୍ଢେଇ ତିଆରି ପ୍ରକ୍ରିୟା:

  • ନଡ଼ିଆ କତାକୁ ପ୍ରଥମେ ଧଳା, ନାଲି ଆଦି ରଙ୍ଗ ଓ କଞ୍ଚା-ପାକଳ, ନରମ-ଟାଣ ଆଦି ସମାନତା ଆଧାରରେ ଅଲଗା କରି ସଜା ହୋଇ ରଖାଯାଏ। କାହିଁକି ନା ଛୋଟ ଛୋଟ କଣ୍ଢେଇ ତିଆରି ବେଳେ ନରମ, କଞ୍ଚା ଓ ଟିକେ ଧଳା ଦିଶୁଥିବା କତାରେ କାମ କରିବା ସହଜ ହେବା ବେଳେ ବଡ ବଡ ଫୁଲତୋଡା ଓ ଅନ୍ୟାନ୍ୟ ଜିନିଷ ପାଇଁ ଦରକାର ହୁଏ ପାକଳ କତା।
  • କତାକୁ ସାଇଜ୍ କରି ରଖିବା ପରେ ଖେଳନା ପାଇଁ ଗୋଟେ ଡିଜାଇନ୍ ଚୁଡାନ୍ତ କରାଯାଏ। ଆବଶ୍ୟକ ଥିଲେ ତାକୁ ଗୋଟିଏ କାଗଜରେ ଅଙ୍କାଯାଏ । ନୂଆ ଖେଳନା ଗୋଟେ ଆରମ୍ଭ ହେଲା ବେଳେ ତାକୁ ଡିଜାଇନ୍ କରିଥିବା ବ୍ୟକ୍ତି ଜଣକ ଅନ୍ୟମାନଙ୍କ ପାଇଁ ବି ଗୋଟେ ମଡେଲ୍ ବି ତିଆରି କରନ୍ତି। ମଡେଲ୍ ତିଆରି ବେଳେ ତା'ର ବିଭିନ୍ନ ଅଂଶର ଅନୁପାତ ଜଣାପଡିଯାଏ।
  • ଏଥର ଆରମ୍ଭ ହୁଏ ଖେଳନାର ବିଭିନ୍ନ ଅଂଶ ତିଆରି। ଉଦାହରଣ ସ୍ୱରୁପ ଗୋଟିଏ ହରିଣ ତିଆରି କରିବା ପାଇଁ ତା'ର ଦେହ, ଦୁଇଟା ସିଙ୍ଗ, ଚାରୋଟି ଗୋଡ ଓ ଲାଞ୍ଜକୁ ଅଲଗା ଅଲଗା ତିଆରି କରି ରଖାଯାଏ । କତା ଉପରେ ରଙ୍ଗ ବେରଙ୍ଗର ସୂତା ଗୁଡେଇ ସେସବୁ ତିଆରି ହୁଏ।
  • ବିଭିନ୍ନ ତିଆରି ହୋଇଥିବା ଅଂଶକୁ ଏହାପରେ ଛୁଞ୍ଚି, ସୂତା ସହାୟତାରେ ଯୋଡାଯାଏ।
  • ଥରେ ଖେଳନାଟି ତିଆରି ହୋଇଯିବା ପରେ ଫେବିକଲ୍ ଅଠାକୁ ପାଣିରେ ମିଶାଇ ତା' ଉପରେ ଦିଆଯାଇ ପୁଣି ଗୋଟେ ଥର ସୂତା ଗୁଡାଯାଏ। ଏହାଦ୍ୱାରା ସୂତା କି କତା ବାହାରି ଯିବାର ଆଉ ସମ୍ଭାବନା ନଥାଏ । ପାଣି କି ତରଳ ଜିନିଷ କିଛି ଅଚାନକ ପଡିଗଲେ ବି ସହଜରେ ନଷ୍ଟ ହେବାର ସମ୍ଭାବନା ନଥାଏ। ଆଖି ପାଇଁ ଟିକିଲି ନହେଲେ ଭେଲଭେଟ୍ କାଗଜ ବ୍ୟବହାର କରାଯାଏ।
  • ଖେଳନା ବା ଉତ୍ପାଦଟି ଯଦି ନିହାତି ଛୋଟ ହୋଇଥାଏ ତେବେ ଏଥିପାଇଁ କୟର୍ ଫାଇବରରେ ତିଆରି କାର୍ଡବୋର୍ଡ ବ୍ୟବହାର କରାଯାଏ। ତା' ପରର ତିଆରି ପ୍ରଣାଳୀ କିନ୍ତୁ ସମାନ ରହେ।
Coir Handicraft of Odisha
ଗାଁର ମହିଳାମାନେ ତିଆରି କରିଥିବା କତା କଣ୍ଢେଇ

ଏ ଭିତରେ ଓଡିଶାରେ ତିଆରି କତା କଣ୍ଢେଇ ବେଶ୍ ପରିଚିତ ହେଲାଣି ଦେଶ ବିଦେଶରେ। ଏହାର ଚାହିଦା ମଧ୍ୟ ଦିନକୁ ଦିନ ବଢୁଛି। କିନ୍ତୁ ସେହି ଅନୁସାରେ ଆମେ ଉତ୍ପାଦ ଯୋଗାଇ ପାରୁନାହାଁନ୍ତି। ଆମକୁ ତେଣୁ ଆହୁରି ଅଧିକରୁ ଅଧିକ ମହିଳାଙ୍କୁ ଏହି କଳା ଶିଖାଇବାକୁ ହେବ। ଓଡ଼ଶାରେ ନଡ଼ିଆ ଉତ୍ପାଦନ ବେଶ୍ ଭଲ ହେଉଥିବାରୁ ଏଠାରେ କୋକ୍ୱାନଟ ଫାଇବରରୁ ତିଆରି ବିଭିନ୍ନ ଜିନିଷ କରି ସ୍ୱାବଲମ୍ବୀ ହେବାର ସମ୍ଭାବନା ମଧ୍ୟ ବେଶ୍ ଅଧିକ । ତେଣୁ ସରକାରଙ୍କ ତରଫରୁ ଅଧିକରୁ ଅଧିକ କତା କଣ୍ଢେଇର ଗାଁ ହେବାର ପ୍ରଚେଷ୍ଟା କରାଯାଉ ଓ ଆମ ମହିଳାମାନେ ଏଥିରେ ଯୋଡିହୋଇ ସ୍ୱାବଲମ୍ବୀ ହେବାର ସୁଯୋଗ ପାଆନ୍ତୁ। ୟୁଟ୍ୟୁବରେ ମୁଁ ଏହି କ୍ରାଫ୍ଟର ପ୍ରଚାର ପ୍ରସାର ପାଇଁ ଏକ ଡକ୍ୟୁମେଣ୍ଟାରୀ ଭିଡିଓ କରିଛି। ଆପଣମାନେ ମଧ୍ୟ ସୋସିଆଲ୍ ମିଡିଆ ମାଧ୍ୟମରେ ପ୍ଲାଷ୍ଟିକ୍ ବଦଳରେ କତା କଣ୍ଢେଇ ବ୍ୟବହାରକୁ ପ୍ରୋତ୍ସାହନ ଦେଇପାରିବେ। ଓଡ଼ିଶାର କଳାକୁ ବଞ୍ଚେଇ ରଖିବା ପାଇଁ ଆମର ଛୋଟ ଛୋଟ ପ୍ରଚେଷ୍ଟା ମଧ୍ୟ ଖୁବ୍ ମୂଲ୍ୟବାନ।

Coir Handicraft of Odisha
ଜୀବନ ପାଉଛି ନଡ଼ିଆ କତା

OTV is now on Whatsapp

ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ

Join Now