Advertisment

BahiBarsha: ‘ବହିବର୍ଷା-୨’ରେ ଲୋକାର୍ପିତ ହେଲା ୨୪ଟି ପୁସ୍ତକ

ଆୟୋଜିତ ହୋଇଥିଲା ‘ଟାଇମ୍‍ପାସ୍‍ ବହିବର୍ଷା’ର ଦ୍ୱିତୀୟ ସଂସ୍କରଣ।  ଲୋକାର୍ପିତ ହେଲା ୨୪ଟି ପୁସ୍ତକ ।

author-image
Sujit kumar Swain
BahiBarsha

BahiBarsha

ବାହାରେ ମେଘୁଆ ପାଗ। ଶୀତୁଆ ପବନରେ ଅଳ୍ପଅଳ୍ପ ଶିହରଣ ସୃଷ୍ଟି ହେଉଥିଲା ଦେହରେ। ଆଉ ଏମିତି ଏକ ଅଳସୀ ରବିବାରିଆ ସକାଳେ ଓଡ଼ିଶାର ବିଭିନ୍ନ କୋଣରୁ ଆସି ବୁଦ୍ଧମନ୍ଦିର ପରିସରରେ ଏକାଠି ହୋଇଥିଲେ ନବୀନ-ପ୍ରବୀଣ-ବରିଷ୍ଠ ଶତାଧିକ ଲେଖକ ଲେଖିକା। ଆୟୋଜିତ ହୋଇଥିଲା ‘ଟାଇମ୍‍ପାସ୍‍ ବହିବର୍ଷା’ର ଦ୍ୱିତୀୟ ସଂସ୍କରଣ।  ଲୋକାର୍ପିତ ହେଲା ୨୪ଟି ପୁସ୍ତକ ।

Advertisment

ପ୍ରକାଶନ ସଂସ୍ଥା ଟାଇମପାସ ପକ୍ଷରୁ ଆୟୋଜିତ ଏହି ଅପାରଂପରିକ ଉତ୍ସବ ଆରମ୍ଭ ହୋଇଥିଲା ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତିଙ୍କ ଏକ ହୃଦୟଗ୍ରାହୀ କବିତା ପାଠରୁ ଏବଂ ଶେଷ ହୋଇଥିଲା କଥାକାର ପ୍ରକାଶ ମହାପାତ୍ରଙ୍କ ବଂଶୀବାଦନରେ। ଏହି ଅବସରରେ କଇଳାଶ ପଟ୍ଟନାୟକଙ୍କ ‘ଶବ୍ଦରେ ମୃଗୟା’, ସଙ୍ଘମିତ୍ରା ମିଶ୍ରଙ୍କ ‘କହ୍ନେଇ କଥା’ ଆଦି ପ୍ରବନ୍ଧ ସଂକଳନ, ନେତାଜୀ ଅଭିନନ୍ଦନଙ୍କ ‘ତିନ୍‍’, ପତିତପାବନ ପାଣିଙ୍କ ‘ତୁମ ପରେ ତୁମେ’ ଆଦି ଉପନ୍ୟାସ; ଦେବଦାସ ଛୋଟରାୟଙ୍କ ‘ମ୍ୟାଟିନୀ ସୋ’, ମୌସୁମୀ ଦାସଙ୍କ ‘ସରୁନଥିବା ରାସ୍ତା’, ଶୈଳେନ୍ଦ୍ର ଜେନାଙ୍କ ‘ଗପ କେବେ ଶେଷ ହୁଏନାହିଁ’, ଭୁବନେଶ୍ୱରୀ ପଣ୍ଡାଙ୍କ ‘ସିନ୍ଦୂର’, କାଞ୍ଚନ ମଲ୍ଲିକଙ୍କ ‘ନିଜ ନିଆଁରେ ନିଜେ’, ସନ୍ତୋଷ କୁମାର ସାହୁ ‘ଝିଙ୍କା’ ଆଦି ଗଳ୍ପ ସଂକଳନ ଏବଂ ଅପର୍ଣ୍ଣା ମହାନ୍ତିଙ୍କ ‘ଶ୍ରେଷ୍ଠ କବିତା’, ସୁମିତ ପଣ୍ଡାଙ୍କ ‘ମାଟି ଖୋଜେ ପକ୍ଷୀ’, ମମତା ସାହୁଙ୍କ ‘ଲମ୍ବା ରାତି’ ଆଦି କବିତା ସଂକଳନ ଲୋକାର୍ପିତ ହୋଇଥିଲା। 

Bahi BarshaBahi Barsha

ଓଡ଼ିଆ ଲେଖକଙ୍କ ପ୍ରଥମ ପାଣ୍ଡୁଲିପି ପ୍ରତିଯୋଗିତା ‘ପ୍ରଥମା’ର ସପ୍ତମ ସଂସ୍କରଣରେ ସଫଳ ହୋଇଥିବା ଅନୁଲିପ୍ତା ମିଶ୍ର, ସୁନିତା ପ୍ରଧାନ, ସ୍ୱପ୍ନାଜିତା ଶଙ୍ଖୁଆ, ଶିବଚରଣ ମହାପାତ୍ର, ପଦ୍ମିନୀ ପ୍ରିୟଦର୍ଶିନୀ ରଥ, ଜ୍ୟୋତିରଞ୍ଜନ ସାହୁ, ସୁନୟନା ଓଝା, କେତନ ରଣା, ମୌସୁମୀ ଦାଶ, ସୁନୀତା ସାହୁ ପ୍ରମୁଖ ନବଲେଖକମାନଙ୍କର ପୁସ୍ତକ ମଧ୍ୟ ଏହି ଅବସରରେ ଲୋକାର୍ପିତ ହୋଇଥିଲା। ଏହି ନବଲେଖନ ପରମ୍ପରାକୁ ଉତ୍ସାହିତ କରିଥିଲେ କଇଳାଶ ପଟ୍ଟନାୟକ, ପ୍ରକାଶ ମହାପାତ୍ର ଓ ପ୍ରବୀଣା ମହାନ୍ତି ପ୍ରମୁଖ ବରିଷ୍ଠ ଅତିଥି।

Advertisment

ପ୍ରମୁଖ ଅତିଥି ଭାବେ ଉତ୍ସବରେ ଶେଷସ୍ପର୍ଶ ଦେଇ ବିଶିଷ୍ଟ କବି ଓ କଥାକାର ଦେବଦାସ ଛୋଟରାୟ ‘ପ୍ରଥମା’ର ଅଷ୍ଟମ ସଂସ୍କରଣରେ ସଫଳ ହୋଇଥିବା ଅର୍ପିତା ପତି, ମନୀଷା ବିଶ୍ୱାଳ, ପ୍ରତିଭା ଖିଲାର, ସରୋଜିନୀ ଶଙ୍ଖୁଆ, ଶୀତଲ ମିଶ୍ର, ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ ପ୍ରମୁଖ ଲେଖିକାମାନଙ୍କୁ ସ୍ୱାଗତ କରିଥିଲେ। ଯବୁ କଥାକାର ପ୍ରଜ୍ଞା ପାରମିତା ରଥ ଓ କବି ଅଂଶୁମାନ ସାହୁ ଉତ୍ସବ ସଂଚାଳନ କରିଥିବାବେଳେ ଅଧ୍ୟକ୍ଷତା କରିଥିଲେ ‘ଟାଇମପାସ୍‍’ର ନିର୍ଦ୍ଦେଶକ ସରୋଜ ବଳ। ପରିଚାଳନାରେ ସହଯୋଗ କରିଥିଲେ ଅରୁଣ କୁମାର ଦାସ, ଅବିନାଶ ସାହୁ, ସତ୍ୟଜିତ୍‍ ମିଶ୍ର ଏବଂ ଆଶିଷ କୁମାର ମିଶ୍ର। ଅଜୟ ସ୍ୱାଇଁ, ସୁପ୍ରିୟା ପଣ୍ଡା, କେଦାର ମିଶ୍ର, କ୍ଷୀରୋଦ ପରିଡ଼ା ପ୍ରମୁଖ ଶତାଧିକ ଲେଖକ ଓ ସାହିତ୍ୟପ୍ରେମୀ ଯୋଗଦେଇ ‘ବହିବର୍ଷା’କୁ ସଫଳ କରିଥିଲେ।

Advertisment
Advertisment