• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pragyan Paramita Behera

News Highlights

  • PHONE

ସାଥୀ ବିନା ଜୀବନ ବାସହୀନ ଫୁଲ ପରି..ଜଳଶୂନ୍ୟ ନଦୀ ପରି । ଜୀବନର ଚଲାପଥରେ ଉତ୍ତମ ସାଥୀଟିଏ ମିଳିଗଲେ ସବୁ କିଛି ନୂଆ ନୂଆ ଲାଗେ । ସମସ୍ତେ ଚାହାନ୍ତି ସାଥୀ ସହ ଏକ ସୁନ୍ଦର ଓ ଦୀର୍ଘସ୍ଥାୟୀ ସମ୍ପର୍କ । ନିଜ ପସନ୍ଦର ପୁରୁଷ କିମ୍ବା ମହିଳାଙ୍କ ସହ ସମ୍ପର୍କ ଗଢ଼ିବା ଯେତିକି ସହଜ, ତା’ଠାରୁ ଢେର କଷ୍ଟକର, ସେହି ସମ୍ପର୍କରେ ଘନିଷ୍ଠତା ଓ ମଧୁରତା ବଜାୟ ରଖିବା । ହେଲେ ଆଜିକାଲି ସମ୍ପର୍କର ପରିଭାଷା ବଦଳିଛି, ଯୁଗୋପଯୋଗୀ ହେବା ପାଇଁ ସମସ୍ତେ ଏକପ୍ରକାର ରେସରେ ଦୌଡ଼ୁଛନ୍ତି । ଏ ପରିସ୍ଥିତିରେ ପ୍ରେମ, ବିବାହ ଓ ସମ୍ପର୍କର ନୂଆ ଟ୍ରେଣ୍ଡ ଦେଖିବା ପାଇଁ ମିଳୁଛି ।

ବର୍ତ୍ତମାନ ସମୟରେ ଅନେକ ଲୋକଙ୍କ ଗୋଟିଏ ଅଭିଯୋଗ ସାଥୀ ପାଖରେ ଆମ ପାଇଁ ସମୟ ନାହିଁ । ଆଉ ସେ ସମୟକୁ ସେମାନେ କୌଣସି ନୂଆ ବନ୍ଧୁ କିମ୍ବା ବାନ୍ଧବୀଙ୍କ ସହ ନୁହେଁ ବରଂ ମୋବାଇଲରେ କଟାଇବା ପାଇଁ ପସନ୍ଦ କରୁଛନ୍ତି । ଫଳରେ ସାଥୀ ସହ କଥା କହିବା ସମୟରେ ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହଁ, ବରଂ ଅନବରତ ଫୋନରେ ବ୍ୟସ୍ତ ରୁହନ୍ତି । ଆଉ ସମ୍ପର୍କର ଏହି ନୂଆ ଟ୍ରେଣ୍ଡକୁ ବର୍ତ୍ତମାନ Phubbing (ଫବିଂ) କହୁଛନ୍ତି । ଆଉ ଏବେ ଏହି ଫବିଂ ସମ୍ପର୍କରେ ବଡ଼ ପ୍ରତିବନ୍ଧକ ସାଜିଛି, ଯେଉଁଠାରେ ପ୍ରେମର ଜାଗା ନେଇଛି ସ୍କ୍ରୋଲିଂ ଏବଂ ଚାଟିଂ ।

ଫବିଂ କ’ଣ ?

Phone ଓ Snubbing କୁ ମିଶାଇ ହୋଇଛି Phubbing (ଫବିଂ) ଶବ୍ଦ । ଏହାର ଅର୍ଥ ପାଖରେ ଥିଲେ ସୁଦ୍ଧା ସାଥୀ ଉପରେ ଧ୍ୟାନ ନଦେଇ ଫୋନକୁ ପ୍ରାଥମିକତା ଦେବା । ଏପରି ବ୍ୟକ୍ତି ସବୁବେଳେ ଫୋନରେ ବ୍ୟସ୍ତ ରହି ସ୍କ୍ରୋଲ୍ କରି ସୋସିଆଲ୍ ମିଡିଆରେ ବ୍ୟସ୍ତ ଅଛନ୍ତି । ଫୋନ ଚଳାଇବା ସମୟରେ ସେ ନିଜ ସାଥୀକୁ ପ୍ରାୟ ଭୁଲିଯାଆନ୍ତି । କେବଳ ପାଖରେ ବସି ରୁହନ୍ତି ସିନା, ସାଥୀ ପାଇଁ ଉପଲବ୍ଧ ରୁହନ୍ତି ନାହିଁ ।

କିପରି ସମ୍ପର୍କରେ ଭଟ୍ଟା ସୃଷ୍ଟିକରେ ଫବିଂ ?

କୌଣସି ବି ସମ୍ପର୍କ ବିଶ୍ୱାସ ଓ ଆପୋଷ ବୁଝାମଣାରେ ଚାଲିଥାଏ । କିନ୍ତୁ ଆପଣଙ୍କ ସାଥୀ ବାରମ୍ବାର ମୋବାଇଲ ଉପରେ ଅଧିକ ଧ୍ୟାନ ଦେଲେ,ଆପଣଙ୍କୁ କିପରି ଲାଗିବ ? ଯେପରି ଗୋଟିଏ ଛୋଟ ଯନ୍ତ୍ର ସାମ୍ନାରେ ମଣିଷର କୌଣସି ମୂଲ୍ୟ ନାହିଁ । ଜଣେ ସବୁବେଳେ ଫୋନରେ ବ୍ୟସ୍ତ ରହିଲେ ଅନ୍ୟ ଜଣକ ନିଜକୁ ଗୁରୁତ୍ୱହୀନ ମନେକରେ । ଆଉ ଏହିଠାରୁ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ଅଧ୍ୟୟନ ଅନୁସାରେ, ଫବିଂ କରୁଥିବା ଲୋକଙ୍କ ସମ୍ପର୍କରେ ବାରମ୍ବାର ଝଗଡ଼ା ହୁଏ, ଭାବପ୍ରବଣ ବନ୍ଧନ ଦୁର୍ବଳ ହୋଇଯାଏ ଓ କଥା ସମ୍ପର୍କ ଭାଙ୍ଗିବା ପର୍ଯ୍ୟନ୍ତ ପହଞ୍ଚିଯାଏ ।

ଫବିଂକୁ ନୂଆ ଡେଟିଂ ଟ୍ରେଣ୍ଡ କୁହାଯାଇପାରେ କି?

ଆଜିର ଡିଜିଟାଲ ଦୁନିଆରେ ଡେଟିଂ ମଧ୍ୟ ମୋବାଇଲ ସ୍କ୍ରିନର ଏପଟସେପଟ ଘୂରି ବୁଲୁଛି । ଅନେକ ଦମ୍ପତି ଏକାଠି ରହିବା ସତ୍ତ୍ୱେ ଅନଲାଇନ୍ ଦୁନିଆରେ ଏତେ ବ୍ୟସ୍ତ ରୁହନ୍ତି ଯେ ସେମାନେ ପରସ୍ପରକୁ ସମୟ ଦେବାକୁ ଭୁଲିଯାଆନ୍ତି । କିନ୍ତୁ ଏହା କ’ଣ ଡେଟିଂର ସଠିକ ଉପାୟ ? ପ୍ରକୃତ ପ୍ରେମ ସେତେବେଳେ ହୁଏ, ଯେତେବେଳେ ତୁମେ ମୁହାଁମୁହିଁ ବସି ପରସ୍ପରକୁ ଶୁଣ, କିଛି ନକହିଲେ ସୁଦ୍ଧା ହୃଦୟର ଭାଷା ବୁଝ । ହେଲେ ଏସବୁ ଛାଡ଼ି ମୋବାଇଲ୍ ହିଁ ଜୀବନର ମୁଖ୍ୟ ଚରିତ୍ର ହୋଇଗଲେ, ସମ୍ପର୍କକୁ କେହି ବି ବଞ୍ଚାଇ ପାରିବେ ନାହିଁ ।

ଫବିଂରୁ ବଞ୍ଚିବା ପାଇଁ କ’ଣ କରିପାରିବେ ?

ନୋ ଫୋନ ରୁଲ୍ସ : ରାତ୍ରୀ ଭୋଜନ କିମ୍ବା ଡେଟ ନାଇଟରେ ଫୋନକୁ ଦୂରରେ ରଖନ୍ତୁ ଏବଂ କେବଳ ପରସ୍ପର ଉପରେ ଧ୍ୟାନ ଦିଅନ୍ତୁ ।

ଡିଜିଟାଲ୍ ଡିଟକ୍ସ: ସପ୍ତାହରେ ଗୋଟିଏ ଦିନ ମୋବାଇଲ୍ ମୁକ୍ତ ରଖନ୍ତୁ ଏବଂ ଏଥର କେବଳ ଆପଣଙ୍କ ସମ୍ପର୍କ ଉପରେ ଧ୍ୟାନ ଦିଅନ୍ତୁ ।

ଆପଣଙ୍କ ଫୋନ୍ ବ୍ୟବହାରକୁ ସର୍ବନିମ୍ନ ସ୍ତରରେ ସୀମିତ କରନ୍ତୁ । ଅନାବଶ୍ୟକ ଭାବରେ ସୋସିଆଲ୍ ମିଡିଆ ସ୍କ୍ରୋଲ୍ କରିବା ପରିବର୍ତ୍ତେ, ଆପଣଙ୍କର ସମ୍ପର୍କ ଉପରେ ଧ୍ୟାନ ଦିଅନ୍ତୁ ।

ଅଧିକ ପଢ଼ନ୍ତୁ: ସାଙ୍ଗକୁ ବିବାହ କରିବାର ୪ ବଡ ଫାଇଦା; ହୁଏନି ଝଗଡା କି ଛାଡପତ୍ର

ସୁମଧୁର ସମ୍ପର୍କ ପାଇଁ କିଛି ଟିପ୍ସ

ସାଥୀଙ୍କୁ ସ୍ନେହର ବନ୍ଧନରେ ବାନ୍ଧି ରଖନ୍ତୁ : ଉତ୍ତମ ଜୀବନସାଥୀଟିଏ ଜୀବନର ଗତିପଥ ବଦଳାଇଦିଏ । ବନ୍ଦ ଘର ଭିତରେ ସାଥୀକୁ ପ୍ରେମ ଓ ଆଦର କରିବା ସହଜ । ହେଲେ ଅନେକ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ କିମ୍ବା ନିଜ ସମ୍ପର୍କୀୟଙ୍କ ସାମ୍ନାରେ ସାଥୀକୁ ସ୍ନେହ କିମ୍ବା ଯତ୍ନ ଦେଖାଇବାକୁ କୁଣ୍ଠାବୋଧ କରିଥାନ୍ତି । ଏକୁଟିଆ ଥିବା ସମୟରେ ହିଁ ଏସବୁ କରିବାକୁ ଠିକ ବୋଲି ମନେ କରନ୍ତି । ମାତ୍ର ଏପରି ନକରି ଆବଶ୍ୟକ ସ୍ଥଳରେ ସର୍ବସାଧାରଣରେ କିମ୍ବା ସମ୍ପର୍କୀୟ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସାମ୍ନାରେ ନିଜ ସାଥୀର ଯତ୍ନ ନେବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ। ଏହା ସହ କିଛି କିଛି ସମୟ ଗ୍ୟାପରେ ତାଙ୍କୁ ସରପ୍ରାଇଜ୍ ମଧ୍ୟ ଦିଅନ୍ତୁ । ଏହା ତାଙ୍କୁ ଖୁସି ଦେବ ଏବଂ ଆପଣଙ୍କ ସମ୍ପର୍କକୁ ମଜବୁତ ରଖିବ ।

ପରସ୍ପର ଉପରେ ବିଶ୍ଵାସ ରଖନ୍ତୁ : ଜୀବନରେ ସାଥୀର ସମର୍ଥନ ନିହାତି ଜରୁରୀ । ଜୀବନରେ କେତେ ବି ବିପଦ ଆସୁ, ସବୁ ପରିସ୍ଥିତିରେ ପରସ୍ପରକୁ ସମର୍ଥନ କରନ୍ତୁ । ଲକ୍ଷ୍ୟ ହାସଲ କରିବା ଦିଗରେ ସାଥୀଙ୍କୁ ଯଥାସମ୍ଭବ ସହଯୋଗ କରନ୍ତୁ ଏବଂ ଆବଶ୍ୟକ ସମୟରେ ସାଥୀଙ୍କ ପାଖରେ ଛିଡ଼ା ହୁଅନ୍ତୁ ।

ରାଗକୁ ଅନେକ ଦିନ ଯାଏଁ ଧରି ରଖନ୍ତୁ ନାହିଁ : ଛୋଟମୋଟ ଝଗଡ଼ା ସମ୍ପର୍କକୁ ନିବିଡ଼ କରିଥାଏ । ହେଲେ ଝଗଡ଼ାକୁ ନେଇ ମନ ଭିତରେ ରାଗ ରଖିବା ଠିକ ନୁହଁ । ଝଗଡ଼ା,ରାଗ, ଅଭିମାନକୁ ଭୁଲିଯାଆନ୍ତୁ, ଅଯଥା କଥାକୁ ଧରି ରଖି ସମ୍ପର୍କରେ ତିକ୍ତତା ଆଣନ୍ତୁ ନାହିଁ ।

ମିଳିମିଶି ସମସ୍ୟାର ସମାଧାନ କରନ୍ତୁ : କଥାରେ ଅଛି ଏକସେ ଭଲେ ଦୋ । ଜୀବନରେ କୌଣସି ସମସ୍ୟା ଆସିଲେ ମିଳିମିଶି ସମାଧାନର ବାଟ ଖୋଜନ୍ତୁ । ଦୀର୍ଘ ସମୟ ଧରି କୌଣସି ସମସ୍ୟାର ସମାଧାନ ନକରି ଛାଡିଦେଲେ ଏହା ସମ୍ପର୍କରେ ତିକ୍ତତା ଭରି ଦେଇଥାଏ । ତେଣୁ ଏକାଠି ବସି ଶାନ୍ତ ମନରେ କଥାବାର୍ତ୍ତା ହୋଇ ସମସ୍ୟାଗୁଡ଼ିକୁ ସମାଧାନ କରିବା ଭଲ, ଯାହା ଆପଣଙ୍କୁ ଉଭୟଙ୍କୁ ବ୍ୟଥିତ କରୁଛି ଏବଂ ଆପଣଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି କରୁଛି ।

ପୁରୁଣା କଥା ଉଠାନ୍ତୁ ନାହିଁ : ସବୁ ସମ୍ପର୍କରେ ମନୋମାଳିନ୍ୟ ରହିଛି । ଯେଉଁ କଥାକୁ ନେଇ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ହେଉଛି ସେ କଥାକୁ ଆଉ କେବେ ଉଠାନ୍ତୁ ନାହିଁ। କାରଣ ଯାହା ସାମ୍ନାରେ ଆପଣ ପୁରୁଣା କଥା ଉଠାଉଛନ୍ତି ସେ ହେଉଛନ୍ତି ଆପଣଙ୍କ ଜୀବନ ସାଥୀ। ଯାହାକୁ ଆପଣ ସବୁଠୁ ଅଧିକ ଭଲ ପାଆନ୍ତି, ଯେ ଆପଣଙ୍କ ସହ ଜୀବନର ସବୁ ସମୟରେ ଆପଣଙ୍କ ସହ ଛିଡା ହେବ। ତେଣୁ ପୁରୁଣା କଥାକୁ ଉଠାନ୍ତୁ ନାହିଁ।

ଡେଟ ନାଇଟ ପ୍ଲାନ କରନ୍ତୁ : ସମ୍ପର୍କରେ କିଛି ନୂଆପଣ ଆଣିବାକୁ ମାସକୁ ଥରେ କିମ୍ବା ଦୁଇ ଥର ଡେଟ ନାଇଟ ପ୍ଲାନ କରନ୍ତୁ । ଡିନର ଡେଟ କିମ୍ବା ମୁଭି ଡେଟ କିଛି ବି ଆପଣ ଦୁଇ ଜଣ ମିଶି ଯାଇପାରିବେ । ଭଲ ପୋଷାକ ପିନ୍ଧି,ସୁନ୍ଦର ଭାବରେ ସଜେଇ ହୋଇ ଡେଟରେ ଯାଆନ୍ତୁ । ଏକାଠି ଭଲ ସମୟ ଉପଭୋଗ କରନ୍ତୁ , ହସନ୍ତୁ, ମଜା ନିଅନ୍ତୁ ।

ନିଜ ପ୍ରତି ଧ୍ୟାନ ଦିଅନ୍ତୁ : ସମ୍ପର୍କ ଯେତେବେଳେ ନୂଆ ଥାଏ ସେତେବେଳେ ଆମେ ନିଜକୁ ସଜାଇବା ଏବଂ ସୁନ୍ଦର ଦେଖାଯିବାକୁ ଅନେକ ଚେଷ୍ଟା କରିଥାନ୍ତି । ମାତ୍ର ଧୀରେ ଧୀରେ ସମୟ ବିତିବା ସହିତ ଆମେ ଏସବୁ କରିବା ବନ୍ଦ କରିଦିଅନ୍ତି । ନିଜ ଚେହେରା କିମ୍ବା ସୁନ୍ଦରତା ଉପରେ ଧ୍ୟାନ ଦିଅନ୍ତି ନାହିଁ । ଏହାଫଳରେ ପରସ୍ପର ପ୍ରତି ଥିବା ଆଗ୍ରହ ତଥା ଉତ୍ସାହ କମିଯାଏ । ଏହା ବଦଳରେ ସାଥୀଙ୍କୁ ସବୁବେଳେ ଆକର୍ଷଣୀୟ ଦେଖାଯିବାକୁ ଚେଷ୍ଟା କରନ୍ତୁ। ସେମାନେ ପସନ୍ଦ କରୁଥିବା ପୋଷାକ କିମ୍ବା ଦେଇଥିବା ଉପହରକୁ ବାରମ୍ବାର ପିନ୍ଧନ୍ତୁ । ନିଜର ଯତ୍ନ ନିଅନ୍ତୁ, ଯୋଗ,ବ୍ୟାୟାମ ଓ ଧ୍ୟାନ କରନ୍ତୁ ।

ଅଧିକ ପଢ଼ନ୍ତୁ: ଆପଣଙ୍କ କହୁଣୀ ଏବଂ ଆଣ୍ଠୁ କଳା ପଡୁଛି କି… ମାନନ୍ତୁ ଏହି ଟିପ୍ସ, କିଛି ସମୟରେ ଚମକିବ

OTV is now on Whatsapp

ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ

Join Now