Advertisment

Micro Wedding Trend: ଭାରତରେ ବଢ଼ୁଛି ମାଇକ୍ରୋ ୱେଡିଂ ଟ୍ରେଣ୍ଡ, ଜାଣନ୍ତୁ କ’ଣ ଏହାର ବିଶେଷତ୍ବ ଓ କାହିଁକି ଏହା ସ୍ବାଗତଯୋଗ୍ୟ

ଟଙ୍କା ଥାଉ କି ନଥାଉ, ଜମି ବିକ କି ଘର ବିକ, ବାହାଘର ଜାକଜମକରେ କରିବାକୁ ଆପଣ ବାଧ୍ୟ। ଏବେ ଅଣଓଡ଼ିଆ ବିବାହ ପରମ୍ପରା ବାପା ମାଆଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛି। ଏହି ପରିପ୍ରେକ୍ଷିରେ, ଏବେ ଆମ ଦେଶରେ ଧୀରେ ଧୀରେ ମାଇକ୍ରୋ ୱେଡିଂ ଟ୍ରେଣ୍ଡ ଲୋକପ୍ରିୟ ହେଉଛି। କଣ ଏହି ଟ୍ରେଣ୍ଡ ଆସନ୍ତୁ ଜାଣିବା।

author-image
Pragyan Paramita Behera
ଅଦ୍ୟତନ ହୋଇଛି
Know about the the increasing micro wedding trends in india

Know about the the increasing micro wedding trends in india

ଭାରତୀୟପରମ୍ପରାରେ ବିବାହ ଏକ ଉତ୍ସବ ଭଳି ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ବିଶେଷ ଭାବରେ ବିବାହ ସ୍ଥଳ, ଅଳଂକାର, ପୋଷା, ବାଜାବାଣ, ବାଟଖର୍ଚ୍ଚ ଓ ଯୌତୁକ ଉପରେ ଅଧିକ ଖର୍ଚ୍ଚ ହୋଇଥାଏ। ଭାରତରେ ବର୍ଷକୁ କୋଟିକୋଟି ବିବାହ ଉତ୍ସବ ଆୟୋଜନ ହୋଇଥାଏ। ଜୀବନର ସମୁଦାୟ ଆୟର ପ୍ରାୟ ଶତକଡା କୋଡିଏ ଭାଗ ଖର୍ଚ୍ଚ ହେଉଛି ଆଜିର ବିବାହ ଉତ୍ସବ ଆୟୋଜନରେ। ବିଶେଷ କରି ଗତ ନବେ ଦଶକ ପରଠାରୁ ଭାରତରେ ବିବାହ ଉତ୍ସବ ବ୍ୟୟବହୁଳ ହେବା ଆରମ୍ଭ ହୋଇଛି।

Advertisment

ଲୋକଦେଖାଣିଆ ହେଉ, ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବା ହେଉ ଅବା ଯିଏ ଧନର ପ୍ରାଚୁର୍ଯ୍ୟ ମଧ୍ୟରେ ଜୀବନ ବିତାଉଛନ୍ତି ସେମାନେ ବିବାହରେ ଶହ ଶହ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସମ୍ବାଦପତ୍ର, ଇଲେକ୍ଟ୍ରୋନିକ୍ସ ମିଡିଆରେ ସ୍ଥାନ ନେବାକୁ ଚାହାନ୍ତି। ବର୍ତ୍ତମାନ ନିଜ ଝିଅପୁଅଙ୍କ ଜିଦିରେ ଅଧିକାଂଶ ବାପାମା’ ବ୍ୟୟବହୁଳ ବିବାହ ଉତ୍ସବ ଆୟୋଜନ କରୁଛନ୍ତି। ବିବାହରେ ଏତେ ଟଙ୍କା ଖର୍ଚ୍ଚ ହେଉଛି ଯେ ପରିବାର ଶୂନ୍ୟ ଶୂନ୍ୟ ମହାଶୂନ୍ୟ ହୋଇଯାଉଛନ୍ତି, କେହି କେହି ତ ବ୍ୟାଙ୍କରୁ ଋଣ ଆଣି ବିବାହ କରାଉଛନ୍ତି। ବିବାହରେ ମଧ୍ୟବିତ୍ତମାନେ ନିମ୍ନମଧ୍ୟବିତ୍ତକୁ ଖସି ଆସିବା ଓ ନିମ୍ନବିତ୍ତମାନେ ଦାରିଦ୍ର୍ୟ ସୀମାରେଖା ତଳକୁ ଖସିଯିବାରୁ ଭାରତର ଦାରିଦ୍ର୍ୟ ବଢ଼ିବାର ମୁଖ୍ୟ କାରଣ।

ଏହା ବ୍ୟତୀତ ବିବାହର ଯୋଜନା କରିବା ଏକ ବିରାଟ କାମ କହିଲେ ଚଳେ, ଯାହା ଶାରୀରିକ, ମାନସିକ ଏବଂ ଆର୍ଥିକ ସ୍ତରରେ ପରିବାର ଲୋକଙ୍କୁ କ୍ଳାନ୍ତ କରିଦିଏ। ବିବାହ ସମାରୋହରେ ଶହ ଶହ ଅତିଥିଙ୍କ ଯୋଗଦାନ ବରକନ୍ୟା ସହ ଆୟୋଜକମାନଙ୍କ ଉପରେ ଅତ୍ୟଧିକ ମାତ୍ରାରେ ଚାପ ପକାଇଥାଏ। ଏଭଳି ସ୍ଥିତିରେ ଏବେ ମାଇକ୍ରୋ ୱେଡିଂ ଟ୍ରେଣ୍ଡରେ ରହିଛି, ଯଦ୍ୱାରା ବରକନ୍ୟା ଓ ପରିବାର ଲୋକ ଉପରୋକ୍ତ ସମସ୍ୟାରୁ ରକ୍ଷା ପାଇପାରିବେ।

Advertisment

ବ୍ୟୟବହୁଳ ବିବାହ ତୁଳନାରେ ମାଇକ୍ରୋ ୱେଡିଂ ଏବେ ବ୍ୟବହାରିକ ବିଳଳ୍ପ ପାଲଟିଛି, ଯାହା ମଧ୍ୟମ ବର୍ଗର ଲୋକ ଓ ଯୁବପିଢ଼ିଙ୍କୁ ଖୁବ ପସନ୍ଦ ଆସୁଛି। ପାରମ୍ପାରିକ ବିବାହର ଭବ୍ୟତା ନଥିଲେ ସୁଦ୍ଧା ଏହି ପରି ବିବାହ କମ ଚାପଗ୍ରସ୍ତ ଓ ଅଳ୍ପ ଖର୍ଚ୍ଚରେ ହୋଇପାରୁଛି। ସୀମିତ ବଜେଟରେ ବିବାହ ପରି ଏକ ପବିତ୍ର ବନ୍ଧକୁ ସ୍ମରଣୀୟ କରିବା ପାଇଁ ଚାହୁଁଥିବା ଲୋକଙ୍କ ପାଇଁ ମାଇକ୍ରୋ ୱେଡିଂ ଏକ ଉତ୍ତମ ବିକଳ୍ପ।

କ’ଣ ଏହି ମାଇକ୍ରୋ ୱେଡିଂ?

ମାତ୍ର ୨୦ରୁ ୫୦ ଅତିଥିରେ ହେଉଥିବା ବିବାହକୁ ମାଇକ୍ରୋ ୱେଡିଂ କୁହାଯାଏ। ଯେଉଁଥିରେ କେବଳ ପରିବାର ଲୋକ ଓ କିଛି ଅନ୍ତରଙ୍ଗ ବନ୍ଧୁ ସାମିଲ ଥାଆନ୍ତି। ପାରମ୍ପାରିକ ବିବାହ ପରି ସମସ୍ତ ରୀତିନୀତି ହେଉଥିବା ବେଳେ ଏଥିରେ ଖୁବ କମ ଖର୍ଚ୍ଚ ହୋଇଥାଏ।

ଭାରତରେ ମାଇକ୍ରୋ ୱେଡିଂ ଧାରା

ଅନ୍ୟ ଦେଶ ତୁଳନାରେ ଭାରତୀୟଙ୍କ ବିବାହ ଖର୍ଚ୍ଚ ସବୁଠାରୁ ଅଧିକ। ଖାଦ୍ୟ ଓ ତେଜରାତି ସାମଗ୍ରୀ ପରେ ଭାରତୀୟମାନେ ବିବାହରେ ସର୍ବାଧିକ ଖର୍ଚ୍ଚ କରିଥାନ୍ତି। ଏଠାରେ ପାଠ ପଢ଼ାଇବାରେ ଯେତିକି ଖର୍ଚ୍ଚ କରାଯାଏ, ତାହାର ଦୁଇଗୁଣ ବିବାହରେ ଖର୍ଚ୍ଚ ହୋଇଥାଏ। କିନ୍ତୁ କରୋନା ମହାମାରୀ ପରଠାରୁ ଲୋକମାନେ ମାଇକ୍ରୋ ବିବାହ ଆଡ଼କୁ ବେଶୀ ଢଳୁଥିବା ଦେଖିବାକୁ ମିଳୁଛି।

ମାଇକ୍ରୋ ୱେଡିଂ ଲାଭ

ମାଇକ୍ରୋ ୱେଡିଂରେ ମଧ୍ୟ କିଛି ସୁବିଧା ସହ କିଛି ଅସୁବିଧା ମଧ୍ୟ ରହିଛି। ଯେଉଁମାନେ ସେମାନଙ୍କ ବିବାହ ଏବଂ ରିସେପସନକୁ ଅଧିକ ବ୍ୟକ୍ତିଗତ ବ୍ୟାପାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ହେଉଛି ସର୍ବୋତ୍ତମ ବିକଳ୍ପ, ଆପଣ ପାରମ୍ପାରିକ ବିବାହର ଗହଳିଚହଳି ଓ ଉତ୍ସବ ପରି ମାହୋଲରୁ ରକ୍ଷା ପାଇପାରିବେ।

ବଜେଟ ଅନୁସାରେ ହୁଏ ଏହି ବିବାହ

ନିମନ୍ତ୍ରିତ ଅତିଥି କମ ଥିବାରୁ ସାଧାରଣ ବିବାହ ତୁଳନାରେ ଏ ବିବାହ କମ ଖର୍ଚ୍ଚରେ ସୁରୁଖୁରୁରେ ହୋଇଯାଏ। ଏହି ପ୍ରକାର ବିବାହରେ ସ୍ଥାନ, ଖାଦ୍ୟ ଏବଂ ନିମନ୍ତ୍ରଣ କାର୍ଡ ସମେତ ସମସ୍ତ ଜିନିଷରେ ଟଙ୍କା ସଞ୍ଚୟ ହୋଇପାରିବ।

ଅତିଥିମାନଙ୍କ ସହିତ ସମୟ ବିତାଇହୁଏ

ଆଜିକାଲିର ବିବାହ ସମାରୋହରେ ପ୍ରତ୍ୟେକ ଅତିଥିଙ୍କ ସହିତ ସମୟ ବିତାଇବା ସମ୍ଭବ ନୁହେଁ । ଅପରପକ୍ଷେ ମାଇକ୍ରୋ ବିବାହରେ ସୀମିତ ଏବଂ କମ୍ ଅତିଥି ସାମିଲ ହେଉଥିବାରୁ ନବ ବିବାହିତ ଦମ୍ପତି ଏବଂ ଆୟୋଜକ ସମସ୍ତଙ୍କ ସହିତ ସମୟ ବିତାଇ ହୁଏ । ଆହୁରି ମଧ୍ୟ ଏହି ପ୍ରକାର ବିବାହ ମଜାଳିଆ ସ୍ମୃତି ଏବଂ ଏକ ଦୃଢ଼ସମ୍ପର୍କ ସୃଷ୍ଟି କରିବାର ସୁଯୋଗ ଦେଇଥାଏ।

ଅନାବଶ୍ୟକ ପରାମର୍ଶରୁ ଦୂରେଇ ରୁହନ୍ତୁ

ମାଇକ୍ରୋ ୱେଡିଂରେ ବିବାହର ଯୋଜନା ଏବଂ କାର୍ଯ୍ୟକାରିତା ବିଷୟରେ ଲୋକଙ୍କ ଅବାଞ୍ଛିତ ମତ ପ୍ରତି ଧ୍ୟାନ ଦେବାର କୌଣସି ଆବଶ୍ୟକତା ପଡ଼େନାହିଁ। ଏହି ପ୍ରକାର ଆୟୋଜନରେ ବ୍ୟକ୍ତିଗତ ପସନ୍ଦ ଅନୁସାରେ ବିବାହ କରିହୁଏ। ଅଯଥା ଖର୍ଚ୍ଚରୁ ତ୍ରାହି ପାଇବା ସହ ମନ ମୁତାବକ ବିବାହର ଆୟୋଜନ ହୁଏ।

କମ୍ ଚାପଗ୍ରସ୍ତ

ଅପେକ୍ଷାକୃତ କମ ଲୋକରେ ବିବାହର ବ୍ୟବସ୍ଥା କରିବା ସହଜ ଅଟେ। ବିବାହକୁ ଭବ୍ୟ ଦେଖାଇବା ପାଇଁ ଏଥିରେ କୌଣସି ପ୍ରକାର ଚାପ ନଥାଏ ଏବଂ ଖର୍ଚ୍ଚ ମଧ୍ୟ କମ୍ ଅଟେ। ତେଣୁ ଏପରି ଏକ ବିବାହ ଯୋଜନା କରିବା ଏବଂ ସମସ୍ତ ଅତିଥିଙ୍କ ଯତ୍ନ ନେବା କମ୍ ଚାପଗ୍ରସ୍ତ।

ଭେନ୍ୟୁର ଅଧିକ ବିକଳ୍ପ

କମ୍ ଅତିଥିରେ ଏକ ଇଭେଣ୍ଟ ଆୟୋଜନ କରିବାକୁ ଭେନ୍ୟୁର ବିକଳ୍ପଗୁଡ଼ିକ ମଧ୍ୟ ବୃଦ୍ଧି ପାଇଥାଏ। ରିସର୍ଟ, କାଫେ, ପାର୍କ, ମନ୍ଦିର, ରେଷ୍ଟୁରାଣ୍ଟ ଇତ୍ୟାଦି ଯେକୌଣସି ସ୍ଥାନରେ ବିବାହ ସମାରୋହକୁ ସହଜରେ ଆୟୋଜନ କରାଯାଇପାରିବ। ପାରମ୍ପାରିକ ବିବାହରେ ଶହ ଶହ ଅତିଥିଙ୍କ କ୍ଷମତା ଅନୁଯାୟୀ ହୋଟେଲ, ମନ୍ଦିର କିମ୍ବା ମଣ୍ଡପ ବୁକ୍ କରିବାକୁ ପଡ଼େ। ଡେଷ୍ଟିନେସନ ୱେଡିଂ ପାଇଁ ମାଇକ୍ରୋ ୱେଡିଂ ହେଉଛି ସର୍ବୋତ୍ତମ ବିକଳ୍ପ।

ମାଇକ୍ରୋ ୱେଡିଂର ଅସୁବିଧା

  • ବ୍ୟକ୍ତିଗତ ସମାରୋହରେ ବିବାହ ହେଉଥିବାରୁ କାହାକୁ ବିବାହରେ ଡକାଯିବ, କାହାକୁ ନାହିଁ ତାହା ସ୍ଥିର କରିବା କଷ୍ଟକର ହୋଇଯାଏ। କିଛି ଅତି ଆପଣାର ହୋଇଥିଲେ ସୁଦ୍ଧା ସେମାନଙ୍କୁ ତାଲିକାକୁ ହଟାଇବାକୁ ପଡ଼େ। ଏପରି ସ୍ଥିତିରେ ଅନେକ ବନ୍ଧୁ ଏବଂ ସମ୍ପର୍କୀୟ ନାରାଜ ହୋଇଯାଆନ୍ତିା
  • ବରକନ୍ୟା ହୁଅନ୍ତୁ କି ସେମାନଙ୍କ ମା’ବାପା ବିବାହକୁ ନେଇ ଅନେକ ସ୍ୱପ୍ନ ଦେଖନ୍ତି। ଆଉ ଏହି ବିକଳ୍ପଟି ଟିକେ ଫିକା ଓ ନିରସ ମନେହୁଏ। ମାଇକ୍ରୋ ୱେଡିଂ କରୁଥିବା ବରକନ୍ୟା ତାଙ୍କ ସ୍ୱତନ୍ତ୍ର ଦିନରେ ପ୍ରାଚୁର୍ଯ୍ୟପୂର୍ଣ୍ଣ ସମାରୋହରୁ ବଞ୍ଚିତ ହୋଇପାରନ୍ତି ଏବଂ ଏକ ବଡ଼ ଇଭେଣ୍ଟର ସୁଯୋଗ ପାଇପାରନ୍ତି ନାହିଁ।
  • ଭାରତରେ ବିବାହକୁ ଏକ ସାମୁହିକ ଉତ୍ସବ ଭାବରେ ବିବେଚନା କରାଯାଏ, ତେଣୁ ମାଇକ୍ରୋ ୱେଡିଂ କରିବା ଦ୍ୱାରା ସମାଲୋଚିତ ହେବା ସହ ସମାଜର ଚାପର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଭାରତରେ ଏହାର ପ୍ରଚଳନ ନୂଆ ହୋଇଥିବାରୁ ଏହାକୁ ପାରମ୍ପାରିକ ବିବାହ ବିରୋଧରେ ବିବେଚନା କରାଯାଏ। ଏହି ପ୍ରକାରର ବିବାହ ପାଇଁ ଘରେ ଥିବା ବୟସ୍କମାନଙ୍କୁ ମନାଇବା କଷ୍ଟକର ହୋଇପାରେ।
Trending Weddings Life Style
Advertisment
Advertisment