• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବହୁ ଲୋକ ମନା କରିପାରନ୍ତି ନାହିଁ । ମନା କରିବାକୁ ସେମାନଙ୍କୁ ଖରାପ ଲାଗେ । ସାମ୍ନାରେ ଥିବା ବ୍ୟକ୍ତି କାଳେ କ’ଣ ଭାବିବ, ସେୟା ଭାବି ଅନେକ ମନା କରିପାରନ୍ତି ନାହିଁ । କିନ୍ତୁ ଏହି ଗୁଣ ସେମାନଙ୍କୁ ପରେ ବହୁ ଅସୁବିଧାରେ ପକାଇଥାଏ । ମନା ନକରିବା ଦ୍ୱାରା ନିଜର ମାନସିକ ସ୍ଥିତି ମଧ୍ୟ ବିଗିଡ଼ି ଯାଇଥାଏ ।

ମନା ନକରିବାରୁ ଅନେକଙ୍କୁ ନିଜ ଇଚ୍ଛା ବିରୋଧରେ ଯିବାକୁ ପଡ଼ିଥାଏ । ଅନେକ କାମର ଚାପରେ ଚିଡ଼ଚିଡ଼ା ହୋଇଯାଆନ୍ତି । ସାହାଯ୍ୟ କରିବା ଭଲ ଗୁଣ । ତେବେ ସାହାଯ୍ୟ କରିବା ନାଁରେ ନିଜ ମାନସିକ, ଶାରିରୀକ ସ୍ଥିତିକୁ ବିଗାଡ଼ିବା ଗ୍ରହଣୀୟ ନୁହେଁ । ନିଜକୁ ମଧ୍ୟ ସାହାଯ୍ୟ କରିବା ଆବଶ୍ୟକ ରହିଛି । ଯେଉଁ କାମ ଆପଣ ପାରୁନାହାଁନ୍ତି. ତା’କୁ ନିହାତି ଭାବେ ମନା କରିବା ଶିଖନ୍ତୁ ।

ବିଗିଡ଼ିପାରେ ମାନସିକ ସ୍ୱାସ୍ଥ୍ୟ

ଯେଉଁମାନେ ସର୍ବଦା ଅନ୍ୟକୁ ସନ୍ତୁଷ୍ଟ ଅବା ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି, ସେମାନେ ହିଁ ପରେ ଦୁଃଖ ପାଆନ୍ତି । ଇଚ୍ଛା ନଥିବା କାର୍ଯ୍ୟ କରିବା ଫଳରେ ସେମାନେ ମାନସିକ ଅବସାଦ ଭୋଗି ଥାଆନ୍ତି । ପ୍ରତ୍ୟାଖ୍ୟାନ କିମ୍ବା ସମାଲୋଚନାର ଭୟ, ସମ୍ମାନ ପାଇଁ ଅନେକ ଲୋକ ମନା କରିପାରନ୍ତି ନାହିଁ ।

ଅଧିକ ପଢ଼ନ୍ତୁ: ଆପଣ ବି ହୋଇଯିବେ ସୁପରହିରୋ; ଲୋକଙ୍କ ମନକୁ ପଢିବାର ୮ଟି ଉପାୟ

ଯେତେବେଳେ ଆପଣ ଅନୁଭବ କରିବେ ଯେ, ଆପଣ ଅନ୍ୟ ପାଇଁ ନିଜର ମୂଲ୍ୟବୋଧକୁ ବଳିଦାନ ଦେଇଛନ୍ତି; ନିଜର ଖୁସିକୁ ଜଳାଞ୍ଜଳି ଦେଇ ଅନ୍ୟର ଖୁସିକୁ ଆପଣେଇଛନ୍ତି, ସେତେବେଳେ ଆପଣଙ୍କୁ ଏହା କଷ୍ଟ ଦେବ । ସେ ସମୟରେ ଆପଣ ନିଜର ନିଷ୍ପତ୍ତିକୁ ନେଇ ଦୁଃଖିତ ହେବେ ।

ଏଣୁ ମନା ନକରିବା ଦ୍ୱାରା ପରୋକ୍ଷରେ ଆପଣଙ୍କର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ବିପଦରେ ପଡ଼ିପାରେ । ଏହାଦ୍ୱାରା ଚାପ, ଚିନ୍ତା, ଅସନ୍ତୋଷ କିମ୍ବା ନିରାଶାର ଭାବନା ବୃଦ୍ଧି ପାଇପାରେ । ନିଜର ପସନ୍ଦ ଏବଂ ଇଚ୍ଛା ପ୍ରତି ଅସମ୍ମାନ ହେତୁ ଏହା ବିରକ୍ତିକର ପ୍ରକୃତିର ବିକାଶ କରାଏ । ଫଳରେ ବ୍ୟକ୍ତି ଚିଡଚିଡା ସ୍ୱଭାବର ହୋଇଯାଏ ।

ଏହା ମଧ୍ୟ ଥକାପଣର କାରଣ ହୋଇପାରେ କାରଣ ଆପଣ ଅବାସ୍ତବ ଆଶା ପୂରଣ କରିବାକୁ ଚେଷ୍ଟା କରି ଥକି ଯାଆନ୍ତି । ଅଧିକନ୍ତୁ, ଆପଣଙ୍କର ନିଜର ଆବଶ୍ୟକତା ଏବଂ ଇଚ୍ଛାକୁ ଅବହେଳା କରିବା ଦ୍ୱାରା ଜୀବନରେ ପୂର୍ଣ୍ଣତା ଓ ସନ୍ତୁଷ୍ଟିର ଅଭାବ ହୋଇଥାଏ ।

କିପରି ମୁକୁଳିବେ

ଶାରୀରିକ, ଭାବନାତ୍ମକ ଏବଂ ମାନସିକ ଭାବେ ଏକ ସୀମାରେଖା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ କଥା ହୃଦୟଙ୍ଗମ କରିବା ଜରୁରୀ ଯେ, ନିଜକୁ ପ୍ରଥମରେ ରଖିବା ସ୍ୱାର୍ଥପରତା ନୁହେଁ । ଏହା ସନ୍ତୁଳିତ ଓ ପୂର୍ଣ୍ଣ ଜୀବନଯାପନ ପାଇଁ ଆବଶ୍ୟକ । ଆବଶ୍ୟକ ସମୟରେ ସ୍ପଷ୍ଟ ଭାବେ ମନା କରିବା ଗୁରୁତ୍ୱପୂର୍ଣ୍ଣ ।

ନିଜର ମତ, ଚିନ୍ତାଧାରା ଓ ଭାବନା ପ୍ରକାଶ କରିବା ସମୟରେ କଠୋର ଏବଂ ଆତ୍ମବିଶ୍ୱାସୀ ହେବା ଆବଶ୍ୟକ । ଏହାକୁ ପ୍ରକାଶ କରିବା ବେଳେ ଝୁଣ୍ଟିବା ଉଚିତ ନୁହେଁ । ନା କହିବାକୁ ଚାହୁଁଥିଲେ ମନା କରିବା ଆବଶ୍ୟକ ।

ଯେତେବେଳେ ଆବଶ୍ୟକ ଥିବ ମନା କରନ୍ତୁ । ନିଜର ମୂଲ୍ୟବୋଧ ଉପରେ ଧ୍ୟାନ ଦିଅନ୍ତୁ । ନିଜ ଜୀବନରେ ସ୍ଥିର କରିଥିବା ମୂଲ୍ୟ ଓ ଲକ୍ଷ୍ୟ ପାଇଁ ସମୟ ନେଇ କାମ କରନ୍ତୁ । ଅନ୍ୟ ଉପରେ ନିର୍ଭର କରନ୍ତୁନି । ନିଜ ପ୍ରତି ଦୟାଳୁ ହୁଅନ୍ତୁ ।

କେମିତି ମନା କରିବେ

ଏଥିପାଇଁ ନିଜର ସୀମା ଚିହ୍ନିବା ଆବଶ୍ୟକ । ନିଜ ପ୍ରାଥମିକତାର ଗୋଟେ ସୀମା ନିର୍ଦ୍ଧାରଣ କରନ୍ତୁ । ଯେତେବେଳେ ଆପଣ ଜାଣିବେ ଯେ, ଆଉ କରିପାରିବେ ନାହିଁ, ସେତେବେଳେ ନିହାତି ଭାବେ ମନା କରନ୍ତୁ । ଯେତେବେଳେ ଆପଣଙ୍କୁ ଅନୁଭବ ଯେ, ସମୟ, ଉତ୍ସ, ଶକ୍ତି ସରି ସରି ଆସୁଛି ସେତେବେଳେ ମନା କରନ୍ତୁ ।

ଅଧିକ ପଢ଼ନ୍ତୁ: ନିଜକୁ ଜଣଙ୍କ ପାଖରେ ପ୍ରଶଂସାର ପାତ୍ର କରିବା ପାଇଁ ୭ଟି ଟିପ୍ସ

ଯଦି ଆପଣଙ୍କୁ ଲାଗୁଛି ଯେ, ହଁ କହିବା ଦ୍ୱାରା ଏହା ଆପଣଙ୍କର ମୂଲ୍ୟବୋଧକୁ ପ୍ରଭାବିତ କରିବ, ସେତେବେଳେ ମନା କରନ୍ତୁ । ଏଥିପାଇଁ ଯଦି ଆପଣଙ୍କୁ ନିଜର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ କାମର ଜଳାଞ୍ଜଳି ଦେବାକୁ ପଡ଼େ, ତେବେ ମନା କରନ୍ତୁ । ଯଦି କାର୍ଯ୍ୟଟି ଅଯୌକ୍ତିକ କିମ୍ବା ଆପଣଙ୍କର ମୂଲ୍ୟବୋଧ ବିରୋଧରେ ଯାଏ ତେବେ ମନା କରନ୍ତୁ ।

ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ । ଚିନ୍ତା କରି ମନା କରନ୍ତୁ । ନିଜର ଅକ୍ଷମତାକୁ ବ୍ୟାଖ୍ୟା କରିବାରେ ସଙ୍କୋଚ ଅନୁଭବ କରନ୍ତୁ ନାହିଁ । ତେବେ ସିଧାସଳଖ ମନା ନକରି, ନମ୍ର ଭାବେ ମନା କରନ୍ତୁ ।