• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୀଷଣ ଆକ୍ରମଣ ଅପେକ୍ଷାରେ ୟୁକ୍ରେନ ରାଜଧାନୀ କିଭ୍ । ଅସ୍ତ୍ରବିରତି ସମୟ ଶେଷ ହେଲା କ୍ଷଣି ଋଷ ସୈନ୍ୟ ପ୍ରଚଣ୍ଡ ଆକ୍ରମଣ କରିବା ଆଶଙ୍କା କରାଯାଉଛି । ୟୁକ୍ରେନ ରାଜଧାନୀକୁ ଦଖଲ ଲାଗି ଏହା ଋଷ ସେନାର ଫାଇନାଲ ଆସଲ୍ଟ ହେବ ବୋଲି କୁହାଯାଉଛି । ତେବେ ଆକାଶରୁ ପୁତିନଙ୍କ ଆକ୍ରୋଶର ନିଆଁ ବର୍ଷିବା ପୂର୍ବରୁ ଜୀବନ ବଞ୍ଚାଇ ସୁରକ୍ଷିତ ସ୍ଥାନକୁ ଚାଲି ଯାଉଛନ୍ତି ସହରବାସୀ । ମାତ୍ର ପୁରୁଷମାନେ ଘରେ ରହିବା ସହ ଋଷ ସେନାର ମୁକାବିଲା ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି ।

ତେଣେ ଅସ୍ତ୍ରବିରତି ଲାଗୁ ସହରକୁ ଛାଡ଼ି ଅନ୍ୟାନ୍ୟ ସ୍ଥାନରେ ଋଷର ଘନଘନ ଆକ୍ରମଣ ଜାରି ରହିଛି । ଅନ୍ୟପକ୍ଷରେ ସେ ନାଟୋରେ ଯୋଗ ଦେବାକୁ ଆଉ ଇଚ୍ଛୁକ ନୁହଁନ୍ତି ଏବଂ ଋଷିଆ ସ୍ୱାଧୀନ ଘୋଷଣା କରିଥିବା ଦୁଇ ପ୍ରଦେଶକୁ ନେଇ ସାଲିସ କରିବାକୁ ପ୍ରସ୍ତୁତ ବୋଲି ଜେଲେନସ୍କି ଇଙ୍ଗିତ ଦେଇଛନ୍ତି । ରାଜଧାନୀ କିଭ୍ ଉପକଣ୍ଠ ବୁଚାରକୁ ଦେଖିଲେ ଜଣାପଡ଼ୁଛି ଭୟ ଓ ଆତଙ୍କର ପରିବେଶ । ଋଷ ସୈନ୍ୟଙ୍କ ବାଟ ଓଗାଳିବା ଲାଗି ବିସ୍ଫୋରଣରେ ଉଡାଇ ଦିଆଯାଇଥିବା ବ୍ରିଜ୍‌ରେ କାଠପଟା ପକାଇ ଜୀବନ ବିକଳରେ ନଦୀ ପାର ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ୬ଟି ହ୍ୟୁମାନଟେରିଆନ କରିଡର ଜରିଆରେ ସାଧାରଣ ଲୋକଙ୍କୁ ଉଦ୍ଧାର ଲାଗି ଅସ୍ତ୍ରବିରତ ପାଇଁ ୟୁକ୍ରେନ ଓ ଋଷିଆ ରାଜି ହୋଇଛନ୍ତି ।

ଆଜି ସକାଳ ୯ରୁ ରାତି ୯ଟା ଯାଏଁ ଏହି ସିଜ୍‌ଫାୟାର ବଳବତ୍ତର ରହିବ । କିଭ୍, ଚର୍ଣ୍ଣିଭ, ସୁମି, ଖାରକିଭ୍, ମାରିଓପୁଲ ଏବଂ ଝାପୋରଜିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । କିଭ୍ ଅଧିକାର ଲାଗି ଋଷ ସେନା ପ୍ରଚଣ୍ଡ ଆକ୍ରମଣ କରିବା ଆଶଙ୍କା ଭିତରେ ସୁରକ୍ଷିତ ସ୍ଥାନକୁ ପଳାଉଛନ୍ତି ବୟସ୍କ, ମହିଳା ଓ ଶିଶୁ । ତେବେ ପୁରୁଷମାନେ ୟୁକ୍ରେନ ସେନାକୁ ସହାୟତା କରିବା ଲାଗି ଜୀବନକୁ ବାଜି ଲଗାଇ ସହର ଛାଡୁନଥିବା ଦେଖିବାକୁ ମିଳିଛି ।

ଅସ୍ତ୍ରବିରତି ଘୋଷିତ ସହରକୁ ଛାଡି ଅନ୍ୟାନ୍ୟ ସ୍ଥାନରେ ଋଷର ଘନଘନ ଆକ୍ରମଣ ଜାରି ରହିଛି । ରକେଟ୍ ଓ ବୋମା ବର୍ଷଣର ଭୟଙ୍କର ଶଦ୍ଦରେ ଲୋକେ ପ୍ରମାଦ ଗଣୁଛନ୍ତି । ସେଭେରୋଡନେସ୍କ ସହରରେ ଋଷ ଆକ୍ରମଣରେ ୧୦ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ସେହିପରି ଝିଟୋମିର ସହରରେ ଋଷର ବୋମାମାଡ଼ରେ ୪ ଜଣଙ୍କ ଜୀବନ ଯାଇଛି । ଲୋହାନସ୍କ ସହରରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ତେବେ ସିଜ୍ ଫାୟାର ଅବଧି ଶେଷ ହେଲା କ୍ଷଣି କିଭ୍ ଦଖଲ ଲାଗି ଋଷ ସୈନ୍ୟ ନିର୍ଣ୍ଣାୟକ ଆକ୍ରମଣ କରିବେ ବୋଲି ଆଶଙ୍କା କରାଯାଉଛି । ବିରାଟ ଋଷିଆ ବାହିନୀ ଆଗକୁ ବଢୁଥିବା ବେଳେ ପ୍ରଚଣ୍ଡ ଆକ୍ରମଣ କରି କିଭ୍ ଦଖଲ ଲାଗି ରାଷ୍ଟ୍ରପତି ପୁଟିନ ନିଜ କମାଣ୍ଡରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଋଷ ୟୁକ୍ରେନ ଲକ୍ଷ୍ୟ ହାସଲ କରିବ ବୋଲି ପୁଟିନ ପୁଣି ଦୋହରାଇଛନ୍ତି ।

ସେପଟେ ନାଟୋ ପକ୍ଷରୁ ପ୍ରତ୍ୟେକ୍ଷ ସହଯୋଗ ନମିଳିବା ପରେ ନିରାଶ ହୋଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି । ନାଟୋ ବିବାଦରେ ପଶିବାକୁ ଚାହୁଁନି ଓ ଋଷିଆର ମୁହାଁମୁହିଁ ହେବାକୁ ଭୟ କରୁଛି ବୋଲି କହିବା ସହ ସେ ଆଉ ମେଣ୍ଟରେ ଯୋଗ ଦେବାକୁ ଆଗ୍ରହୀ ନୁହନ୍ତି ବୋଲି ପ୍ରକାଶ କରିଛନ୍ତି । କିଛି ପାଇବା ଲାଗି ଆଣ୍ଠୁମାଡି ଭିକମାଗୁଥିବା ଏକ ଦେଶର ରାଷ୍ଟ୍ରପତି ହୋଇ ରହିବା ଲାଗି ସେ ଚାହାନ୍ତି ନାହିଁ ବୋଲି କହିଛନ୍ତି ।

ତେଣେ ଯୁଦ୍ଧର ଅବସାନ ଲାଗି ଆସନ୍ତାକାଲି ତୁର୍କୀରେ ଋଷିଆ ଓ ୟୁକ୍ରେନ ଅଧିକାରୀଙ୍କ ମଧ୍ୟରେ ପୁଣି ବୈଠକ ହେବାର ଅଛି । ଶାନ୍ତି କଥାବାର୍ତ୍ତାରେ ଠିକ୍ ରାସ୍ତାରେ ଆଗକୁ ବଢୁଥିବା ଋଷ କହିଛି । ତେବେ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ବିତାଡିତ କରିବା ଲାଗି କୌଣସି ଲକ୍ଷ୍ୟ ନାହିଁ ବୋଲି ମସ୍କୋ ପକ୍ଷରୁ ପୁଣି ଥରେ ସଫେଇ ଦିଆଯାଇଛି ।