• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେବାଳିଆ ପାକିସ୍ତାନର ବିକଳିଆ ଖର୍ଚ୍ଚକାଟ୍ ! ମନ୍ତ୍ରୀଙ୍କ ବିଦେଶ ଯାତ୍ରା ପାଇଁ ନାହିଁ ପର୍ଯ୍ୟାପ୍ତ ଟଙ୍କା ! ଗୁଇନ୍ଦା ସଂସ୍ଥା ଚଳାଇବାକୁ ବି ପାଖରେ ପାଣ୍ଠି ନାହିଁ ! ଘୋର ଅର୍ଥ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ସରକାରକୁ ଖର୍ଚ୍ଚକାଟ୍ ପାଇଁ ଏବେ ଛାତିରେ ପଥର ରଖି ବିଭିନ୍ନ ପଦକ୍ଷେପ ନେବାକୁ ପଡ଼ୁଛି । ଅନ୍ୟ ଉପାୟ ବି ନାହିଁ । ତେଣୁ ଖର୍ଚ୍ଚ କମାଇବାକୁ ନଜର ପଡ଼ିଛି ମନ୍ତ୍ରୀ ମାନଙ୍କ ବିଦେଶ ଯାତ୍ରା ଉପରେ ।

ପାକିସ୍ତାନ ମନ୍ତ୍ରୀମାନେ ବିଦେଶ ଗଲେ ବହୁ ଅର୍ଥ ଖର୍ଚ୍ଚ ହେଉଥିଲା । ସେହି ଟଙ୍କାକୁ ରାଜକୋଷରୁ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ହେଲେ ଏବେ ମନ୍ତ୍ରୀ ମାନଙ୍କ ବିଦେଶ ଗସ୍ତ ବାବଦ ଖର୍ଚ୍ଚ କମ୍ କରିବାକୁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ପାକିସ୍ତାନ ସରକାର । ଏଣିକି ପାକିସ୍ତାନର କୌଣସି ମନ୍ତ୍ରୀ ବିଦେଶ ଗଲେ ବିମାନରେ ବିଜନେସ୍ କ୍ଲାସରେ ଯାତ୍ରା କରିପାରିବେ ନାହିଁ । ବିଦେଶରେ ଫାଇଭ-ଷ୍ଟାର୍ ହୋଟେଲରେ ବି ରହିପାରିବେ ନାହିଁ । ଦେଶ ବୁଡ଼ିଯିବା ଅବସ୍ଥାକୁ ଆସିଥିବାରୁ ବହୁ ମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀ ମାନେ ନିଜ ଆଡ଼ୁ ଦରମା ଓ ଭତ୍ତା ଆଦି ନେବାକୁ ମନା କରିଦେଇଛନ୍ତି ।

ଆଗାମୀ ବର୍ଷେ ପର୍ଯ୍ୟନ୍ତ କାର୍ ଓ ଅନ୍ୟ ବିଳାସମୟ ସାମଗ୍ରୀ କ୍ରୟ ଉପରେ ନିଷେଧାଦେଶ ଜାରି କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ । ୭୪୬ ମିଲିୟନ ଡଲାରର ଖର୍ଚ୍ଚକାଟ୍ ଲକ୍ଷ୍ୟରେ ଏବେ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ, ଆଗାମୀ ଜୁଲାଇରେ ଆସିବାକୁ ଥିବା ବଜେଟରେ ଆହୁରି କଡ଼ା ପଦକ୍ଷେପ ନିଆଯାଇପାରେ ବୋଲି ଆଶଙ୍କା କରାଯାଉଛି । ଏହାହିଁ ସମୟର ଆହ୍ୱାନ ଏବଂ ଏଭଳି ସମୟରେ ଆମକୁ ସରଳ ଜୀବନଯାପନ ସହିତ କିଛି ବଳିଦାନ କରିବାକୁ ପଡ଼ିବ ବୋଲି କ୍ୟାବିନେଟ୍ ବୈଠକରେ କହିଛନ୍ତି ପ୍ରଧାନମନ୍ତ୍ରୀ ସରିଫ୍ ।

କେବଳ ମନ୍ତ୍ରୀ ମାନଙ୍କ ସୁଖସୁବିଧା ବାବଦ ଖର୍ଚ୍ଚକୁ କମାଇ ଦେଲେ ଚଳିବ ନାହିଁ । ପାକିସ୍ତାନକୁ ଦରକାର ଆହୁରି ଟଙ୍କା, ଅଧିକ ଖର୍ଚ୍ଚକାଟ୍ । ତେଣୁ ଦେଶର ସୁରକ୍ଷାକୁ ବି ବାଜିରେ ଲଗାଇବାକୁ ପାକ୍ ସରକାର ପଛାଉନଥିବା ଚର୍ଚ୍ଚା ହେଉଛି । କାରଣ ଆଗକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ପାଣ୍ଠି ସଂକୁଚିତ କରିବାକୁ ପଦକ୍ଷେପ ନିଆଯାଇପାରେ । ବିଦେଶରେ ଚାଲିଥିବା କିଛି ଗୁଇନ୍ଦା ମିଶନ ବନ୍ଦ କରିବାକୁ ବୈଦେଶିକ ମନ୍ତ୍ରାଳୟକୁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଏଥିସହ କାର୍ଯ୍ୟାଳୟ ଓ କର୍ମଚାରୀ ବାବଦ ଖର୍ଚ୍ଚ ୧୫ ପ୍ରତିଶତ ହ୍ରାସ କରିବାକୁ ମଧ୍ୟ କୁହାଯାଇଛି । ଏନେଇ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । 

କେବଳ ଏତିକି ନୁହେଁ, ଖୁବ୍‌ଶୀଘ୍ର ଆଉ କିଛି ଖର୍ଚ୍ଚକାଟ୍ ପଦକ୍ଷେପ ଘୋଷଣା କରିପାରନ୍ତି ପାକିସ୍ତାନ ସରକାର । ଯେମିତିକ, ରିଟାର୍ଡ ଜଜ୍‌ଙ୍କ ସମେତ ଅନ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ ହୋଇପାରେ । ଶେହବାଜ ସରିଫଙ୍କ ଅଧା କ୍ୟାବିନେଟ୍ ବିନା ଦରମାରେ କାମ କରିପାରେ । ମନ୍ତ୍ରୀ, ସାଂସଦ ଓ ସରକାରୀ ଅଧିକାରୀଙ୍କ ଘରୋଇ ସହାୟକ, ଦାମୀ ଗାଡ଼ି, ସୁରକ୍ଷା ଓ ପ୍ରୋଟୋକଲ୍ ବାବଦ ଖର୍ଚ୍ଚ ହ୍ରାସ କରାଯାଇପାରେ । କିଛି କ୍ୟାବିନେଟ୍ ମନ୍ତ୍ରୀଙ୍କ ଦରମା ୧୫ ପ୍ରତିଶତ କମିପାରେ ।

ନୂଆ ନିଯୁକ୍ତି ହୋଇନପାରେ । ଗତ ୩ ବର୍ଷ ଧରି ଖାଲି ପଡ଼ିଥିବା ପଦବୀକୁ ଉଚ୍ଛେଦ କରାଯାଇପାରେ । ମନ୍ତ୍ରୀ, ସଚିବ ଓ ବିଭାଗ ସଂଖ୍ୟା ହ୍ରାସ କରାଯାଇପାରେ । ଏଥିସହ କାହାକୁ ବି ମାଗଣା ବିଜୁଳି ସୁବିଧା ଦିଆଯାଇନପାରେ ।