Advertisment

ମୋସ୍କଭା ବୁଡ଼ିବା ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି: ରୁଷୀୟ ସରକାରୀ ଟିଭି

ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ବ୍ୟାନ୍ ଲଗାଇଛି ଋଷ।

author-image
Chandan Shishu
ବ୍ଲାକ୍ ସିରେ ରୁଷୀୟ ଯୁଦ୍ଧପୋତ ମୋସ୍କଭା

ବ୍ଲାକ୍ ସିରେ ରୁଷୀୟ ଯୁଦ୍ଧପୋତ ମୋସ୍କଭା

ବ୍ଲାକ୍ ସିରେ ରୁଷୀୟ ଯୁଦ୍ଧପୋତ ମୋସ୍କଭା ବୁଡ଼ିବା ପରେ ରକ୍ତ ଚାଉଳ ଚୋବାଉଛି ମସ୍କୋ। ମୋସ୍କଭା ବୁଡ଼ିବା ପରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଛି ବୋଲି କହିଛି ରୁଷୀୟ ସରକାରୀ ଟିଭି ଚ୍ୟାନେଲ୍। ଏହି ଯୁଦ୍ଧପୋତ, ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଯୋଗୁଁ ବୁଡ଼ିଥିବା ରୁଷ ଦାବି କରୁଥିବା ବେଳେ, ୟୁକ୍ରେନ୍ ନିଜର ନେପଚ୍ୟୁନ୍  ମିଜାଇଲ୍ ଆକ୍ରମଣ କରି ଏହାକୁ ବୁଡ଼ାଇ ଦେଇଥିବା ଦାବି କରୁଛି।

Advertisment

ସେପଟେ ୟୁକ୍ରେନ୍ ରାଜଧାନୀ କିଭ୍ ନିକଟରେ ଥିବା ମିଜାଇଲ୍ ଫ୍ୟାକ୍ଟ୍ରି ଉପରେ ଆକ୍ରମଣ କରିଛି ରୁଷ। କିଭ୍ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ଭାଇଜାର୍ କ୍ଷେପଣାସ୍ତ୍ର କାରଖାନା ଉପରେ ରାତିରେ ୫ଟି ରୁଷୀୟ ମିଜାଇଲ୍ ମାଡ଼ ହେବା ଫଳରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ହିଁ ମୋସ୍କଭା ଯୁଦ୍ଧପୋତକୁ ବୁଡ଼ାଇଥିବା ନେପଚ୍ୟୁନ୍ କ୍ଷେପଣାସ୍ତ୍ର ତିଆରି ହେଉଥିଲା ବୋଲି କୁହାଯାଉଛି। ଆଜି ଖାରକିଭ୍ ଏବଂ ଲଭିଭ ଉପରେ ବି ରକେଟ୍ ମାଡ କରିଛି ଋଷ।

ଏହାରି ଭିତରେ ରୁଷ-ୟୁକ୍ରେନ୍ ଯୁଦ୍ଧକୁ ୨ ମାସ ପୂରିବାକୁ ଯାଉଥିବା ବେଳେ, ଏଥିରେ ମୃତାହତ ସୈନ୍ୟ ଓ ସାଧାରଣଲୋକଙ୍କ ସଂଖ୍ୟାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଜେଲେନ୍ସି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି କହିଛନ୍ତି ଯେ, ଏବେ ସୁଦ୍ଧା ଯୁଦ୍ଧରେ ୩ ହଜାର ୟୁକ୍ରେନୀୟ ସୈନ୍ୟ ପ୍ରାଣ ହରାଇଥିବା ବେଳେ, ୧୦ ହଜାରରୁ ଅଧିକ ଆହତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ କେତେଜଣ ବଞ୍ଚିବେ ତାହା କହିବା ମୁସ୍କିଲ୍।

Advertisment

ଏଥିସହ କେବଳ ରାଜଧାନୀ କିଭ୍ ଆଖପାଖରୁ ରୁଷୀୟ ସୈନ୍ୟ ହଟିଯିବା ପରେ, ୯ଶହରୁ ଅଧିକ ସାଧାରଣ ଲୋକଙ୍କ ମୃତଦେହ ଉଦ୍ଧାର ହୋଇଛି।  ଅଧିକାଂଶ ଲୋକଙ୍କ ମୁଣ୍ଡକୁ ଗୁଳି କରାଯାଇଛି ବୋଲି କହିଛନ୍ତି ଜେଲେନସ୍କି। 

ଏସବୁ ଭିତରେ ଆଜି ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଉପରେ ବ୍ୟାନ୍ ଲଗାଇଛି ଋଷ। ପ୍ରଧାନମନ୍ତ୍ରୀ ବୋରିସ ଜନସନ, ବୈଦୈଶକ ସଚିବ ଏବଂ ପ୍ରତିରକ୍ଷା ସଚିବଙ୍କ ସହ ଅନ୍ୟ ୧୦ ଜଣ ସରକାରୀ ଅଧିକାରୀଙ୍କ ଉପରେ ବ୍ୟାନ୍ ଲଗାଯାଇଛି। ଋଷ ଉପରେ ଆର୍ଥିକ କଟକଣା ଲଗାଇଥିବାରୁ ଏମାନଙ୍କ ଉପରେ ବ୍ୟାନ୍ ଲଗାଇଯାଇଥିବା ଋଷ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Russia Ukraine Crisis Ukraine Crisis Ukraine Russia War
Advertisment
Advertisment