• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚାଲିଛି ଯୁଦ୍ଧ, ଗର୍ଜୁଛି ଇସ୍ରାଏଲ ଓ ଗାଜା । ଧ୍ବଂସ ଉପତ୍ୟକାରେ ଧୂଳିର ହାହାକାର । ଜୀବନ ବିକଳରେ ଦେଶ ଛାଡ଼ୁଛନ୍ତି ଲୋକେ । ଚାରିଆଡେ ମୃତ୍ୟୁର ତାଣ୍ତବଲୀଳା । ଧ୍ବସ୍ତ ବିଧ୍ବସ୍ତ ହେଲାଣି ଗାଜା ଓ ଇସ୍ରାଏଲ । ଏହାରି ମଧ୍ୟରେ, ଇସ୍ରାଏଲ କମାଣ୍ତରଙ୍କ ଆହ୍ବାନ । ବ୍ୟର୍ଥ ଯିବନି ବଳିଦାନ ।

ଥମୁନି ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ । ମୃତ୍ୟୁ ଉପତ୍ୟକା ପାଲଟିଛି ଇସ୍ରାଏଲ ଓ ଗାଜା । ଉଭୟ ପକ୍ଷର ଯୁଦ୍ଧରେ ପାଖାପାଖି ୪ ହଜାର ଲୋକ ମୃତ୍ୟୁ ବରଣ କଲେଣି । କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଲାଣି । ଧ୍ବଂସସ୍ତୁପ ପାଲଟିଲାଣି ଉଭୟ ଦେଶ । ତଥାପି ଭାଙ୍ଗୁନି ମୁହଁତୋଡ଼ । ହମାସ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ଇସ୍ରାଏଲ ସେନା ଶପଥ ନେଇଛି । କମାଣ୍ତରଙ୍କ ଆହ୍ବାନ, କୌଣସି ପରିସ୍ଥିତିରେ ସୈନିକଙ୍କ ବଳିଦାନ ବ୍ୟର୍ଥ ଯିବାକୁ ଦିଆ ଯିବନି ।

ନିଜ ଘରକୁ ସୁରକ୍ଷିତ ରଖିବାକୁ ଆହ୍ବାନ ଦେଇଛନ୍ତି ଇସ୍ରାଏଲ କମାଣ୍ତର । ଶତ୍ରୁକୁ କାବୁ କରିବା ସହ ନିଜ ଦେଶକୁ ସୁରକ୍ଷିତ କରିବାକୁ ଯୁଦ୍ଧ କରିବାକୁ ଆହ୍ୱାନ ଦେଇଛନ୍ତି କମାଣ୍ତର । ହମାସ ଉପରେ ଗ୍ରାଉଣ୍ତ ଅପରେସନ କରିବାକୁ ଇସ୍ରାଏଲ ତୟାର ରହିଛି । ଏହା ମଧ୍ୟରେ ନିଜ ସୈନିକଙ୍କର ମନୋବଳ ବଢ଼ାଇବାକୁ ଚିଠି ଲେଖିଛନ୍ତି ଇସ୍ରାଏଲ ସେନା ମୁଖ୍ୟ ଏଲଜି ବର୍ଜୀ ହଲେୱୀ ।

'ପୁରା ଦେଶ ତୁମ ଉପରେ ନିର୍ଭଳଶୀଳ । ଦେଶବାସୀ ତୁମ ଉପରେ ଭରସା କରୁଛନ୍ତି । ଦେଶକୁ ରକ୍ଷା କରିବାକୁ ଯୁଦ୍ଧ କରିବାକୁ ପଡ଼ିବ । କୌଣସି ପରିସ୍ଥିତିରେ ସୈନିକଙ୍କ ବଳିଦାନ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ।' ମଜବୁତ ଓ ସାହସୀ ହେବାକୁ ଆହ୍ବାନ ଦେଇଛନ୍ତି ସେନା ମୁଖ୍ୟ ଏଲଜି ବର୍ଜୀ ହଲେୱୀ ।

ହଲେୱୀ ନିଜ ପତ୍ରରେ ଲେଖିଛନ୍ତି, ୭ ଅକ୍ଟୋବରରେ ହମାସ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଅତ୍ୟନ୍ତ ନିଷ୍ଠୁର ଓ କ୍ରୁର ଭାବେ ସେମାନେ ଲୋକଙ୍କୁ ହତ୍ୟା କରିଛନ୍ତି । ନିଜର ଜଘନ୍ୟ ଅପରାଧ ଦ୍ବାରା ସେମାନେ ଇସ୍ରାଏଲରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କର ଏ ପ୍ରୟାସ ବ୍ୟର୍ଥ ଯିବ । ନିଜର ଦେଶକୁ ରକ୍ଷା କରିବାକୁ ଆମେ ସମସ୍ତେ ବଦ୍ଧ ପରିକର । ଦେଶର ସ୍ବତନ୍ତ୍ରତାକୁ ରକ୍ଷା କରିବାକୁ ଆମେ ଶପଥ ନେଇଛନ୍ତି । ଏବଂ କୌଣସି ପରିସ୍ଥିତିରେ ଆମେ ଏହାକୁ ହରାଇ ପାରିବା ନାହିଁ । ଆମେ ଅନେକ ଆକ୍ରମଣକୁ ପ୍ରତିରୋଧ କରି ଆସିଛୁ । ପରିଶେଷରେ ବିଜୟ ଆମର ହିଁ ହୋଇଛି । ବର୍ତ୍ତମାନ ମଧ୍ୟ ଆମେ ହିଁ ଜିତିବା । ଏପରି ସଂକଳ୍ପ ନେଇ ଯୁଦ୍ଧ କରିବାକୁ ଇସ୍ରାଏଲ ସେନା ମୁଖ୍ୟ ଆହ୍ବାନ ଦେଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଯୁଦ୍ଧରେ ଗାଜାରେ ୧୪୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଇସ୍ରାଏଲରେ ୨୮୦୦ ରୁ ଅଧିକ ଲୋକ ମୃତ୍ୟୁ ବରଣ କରି ସାରିଛନ୍ତି । ୧୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଯୁଦ୍ଧ ସରି ନଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରା ଯାଉଛି ।