ନିକଟରେ ମସ୍କୋର ଏକ ଲିମୋଜିନ କାରରେ ବିସ୍ଫୋରଣ ହୋଇଯାଇଛି । କୁହାଯାଉଛି ଏହି କାର ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ଗାଡି । ଗୋଟିଏ ଝଟକାରେ ଯେମିତି ଅଗ୍ନିପିଣ୍ଡୁଳା ପାଲଟି ଯାଇଥିଲା ଗାଡି । ଋଷ୍ ସୁରକ୍ଷା ଏଜେନ୍ସି FSB ମୁଖ୍ୟାଳୟ ନିକଟରେ ଏପରି ବିସ୍ଫୋରଣ ହୋଇଥିଲା । ଏହି ଘଟଣା ପରେ ପୁଟିନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହୋଇଛି । କୁହାଯାଉଛି, ଏହି ଲିମୋଜିନ ଗାଡ଼ି ପୁଟିନଙ୍କ ପ୍ରେସିଡେନସିଆଲ ପ୍ରପର୍ଟି ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟର । ତେବେ ବିସ୍ଫୋରଣ ସମୟରେ ଗାଡ଼ି ଭିତରେ କେତେଜଣ ଥିଲେ ? କିଏ କିଏ ଥିଲେ ? ୩ କୋଟିର ଏହି ଦାମୀ ଗାଡିରେ କେମିତି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ଋଷ୍ - ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଏପରି ବିସ୍ଫୋରଣ ରାଷ୍ଟ୍ରପତି ପୁଟିନଙ୍କ ସୁରକ୍ଷା ପ୍ରତି ବଡ ପ୍ରଶ୍ନ ସୃଷ୍ଟି କରିଛି ।
ପୁଟିନଙ୍କ ସୁରକ୍ଷା ହେଉ ବା ସ୍ୱାସ୍ଥ୍ୟାବସ୍ଥା, ସବୁବେଳେ ଏହାକୁ ନେଇ ଚର୍ଚ୍ଚା ହେଉଥାଏ । ସୋସିଆଲ ମିଡିଆରେ ଦୀର୍ଘଦିନ ଧରି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଏବଂ ସେ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ ବୋଲି ଖବର ଉଡି ବୁଲୁଛି । ଏବେ ପୁଣି ଖବର ମିଳିଛି ଯେ, ପୁଟିନ ପାର୍କିଂସନ ନାମକ ଏକ ନ୍ୟୁରୋଲୋଜିକାଲ ରୋଗରେ ପୀଡିତ । ତାଙ୍କୁ ନିକଟରେ ହାର୍ଟ ଆଟାକ ହୋଇଥିଲା ଏବଂ ଏକାଧିକ ପ୍ରକାର କ୍ୟାନ୍ସର ସହ ଲଢୁଛନ୍ତି । ପାଶ୍ଚାତ୍ୟ ମିଡିଆରେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏପରି ଅନେକ ଖବର ଶୁଣିବାକୁ ମିଳୁଛି । ଏମିତି ସମୟରେ କିଛି ଭିଡିଓ ଏବେ ଭାଇରାଲ ହୋଇଛି ଯେଉଁଥିରେ ପୁଟିନ ସାର୍ବଜନୀନ କାର୍ଯ୍ୟକ୍ରମରେ ଅସହଜ ଏବଂ ଅସୁସ୍ଥ ଥିବା ଦେଖା ଯାଉଛନ୍ତି । ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଉଡିବୁଲୁଥିବା ଗୁଜବକୁ ଏପରି ଭିଡିଓମାନ ଆହୁରି ବଳ ଯୋଗାଉଛନ୍ତି।
ଏସବୁ ଚର୍ଚ୍ଚା ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ସାକ୍ଷାତ ପରେ ମିଡିଆକୁ ସାକ୍ଷାତ ଦେଇ କହିଛନ୍ତି, ‘ ସେ (ପୁଟିନ) ଖୁବ ଶୀଘ୍ର ମରିଯିବେ ଏବଂ ଏହା ଏକ ତଥ୍ୟ ଅଟେ । ଏହା ପରେ ଯୁଦ୍ଧ ବି ଶେଷ ହୋଇଯିବ ।’ ଜେଲେନସ୍କି ଆହୁରି କହିଛନ୍ତି, ‘ପୁଟିନ ମୃତ୍ୟୁ ଯାଏ କ୍ଷମତାରେ ରହିବାକୁ ଚାହୁଁଛନ୍ତି । ତାଙ୍କର ମହତ୍ତ୍ୱାକାଂକ୍ଷା କେବଳ ୟୁକ୍ରେନ ନୁହେଁ ବରଂ ସମଗ୍ର ପାଶ୍ଚାତ୍ୟ ଦେଶକୁ ସିଧାସଳଖ ପ୍ରଭାବିତ କରିପାରେ ।’
ଅବଶ୍ୟ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କିତ ଏପରି ଖବରକୁ ପୁଟିନଙ୍କ ବାସଭବନ କ୍ରେମେଲିନ ପକ୍ଷରୁ ବାରମ୍ବାର ଅଗ୍ରାହ୍ୟ କରାଯାଇ ଆସୁଛି । ୭୧ ବର୍ଷୀୟ ପୁଟିନ ସବୁବେଳେ ନିଜକୁ ଫିଟ ଆଣ୍ଡ ଫାଇନ ଥିବା ଦର୍ଶାଇଥାନ୍ତି । ସେଥିପାଇଁ ପୁଟିନ ଜୁଡୋ କରୁଥିବା, ଋଷ୍ର ଗ୍ରାମୀଣ ଇଲାକାରେ ଶିକାର କରୁଥିବା, ଘୋଡା ଚଢି ବୁଲୁଥିବାର ଫଟୋ ଋଷ୍ବାସୀଙ୍କୁ ଦେଖା ଯାଇଥାଏ । ପୁଣି ଏସବୁ ଫଟୋରେ ପୁଟିନ ସର୍ଟ ପିନ୍ଧି ନ ଥିବା ଦେଖିବାକୁ ମିଳିଥାଏ। ଅର୍ଥାତ, ପୁଟିନ ଯେ ବେଶ ସୁସ୍ଥ ଏବଂ ସବଳ ଅଛନ୍ତି ଏହା ଦେଖାଇବା ଉଦ୍ଦେଶ୍ୟରେ ଏପରି ଫଟୋ ସାର୍ବଜନୀନ କରାଯାଇଥାଏ ।
ଯାହା ବି ହେଉ, ରାଷ୍ଟ୍ରପତି ପୁଟିନ ଖୁବ ଶୀଘ୍ର ତାଙ୍କର ୫ମ ପର୍ଯ୍ୟାୟ କାର୍ଯ୍ୟକାଳ ଆରମ୍ଭ କରିବାକୁ ଯାଉଛନ୍ତି । ଏପରି ସମୟରେ ତାଙ୍କୁ ପୁଣି ଥରେ ଏହି ସ୍ୱାସ୍ଥ୍ୟଗତ ସମସ୍ୟା ଜନିତ ଗୁଜବକୁ ସାମ୍ନା କରିବାକୁ ପଡିପାରେ । ୭୧ ବର୍ଷ ବୟସରେ ଶାରୀରିକ ଅସୁସ୍ଥତାର ଶୀକାର ହେବା କିଛି ଅସମ୍ଭବ କଥା ନୁହେଁ । ପୁଟିନଙ୍କ କ୍ଷେତ୍ରରେ ମଧ୍ୟ ଏପରି ସମ୍ଭାବନା ଥାଇପାରେ । ତେବେ କାହିଁକି କ୍ରେମଲିନ ପକ୍ଷରୁ ଏପରି କଥାକୁ ବାରମ୍ବାର ଖଣ୍ଡନ କରାଯାଉଛି ? କ‘ଣ ରହିଛି ଏହା ପଛର ଉଦ୍ଦେଶ୍ୟ ?
ଶକ୍ତି ଏବଂ ସ୍ଥିରତା ବଜାୟ ରଖିବା ଆବଶ୍ୟକ: ପୁଟିନ ଋଷ୍ ଶାସନ କ୍ଷମତାର ମୁଖ୍ୟ ଅଟନ୍ତି । ତାଙ୍କର ଦୁର୍ବଳ ତଥା ଅସୁସ୍ଥତା ଖବର ଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିପାରେ । ଋଷ୍ର ଶାସନ ପଦ୍ଧତି ଅନୁସାରେ, ଏଠାରେ କ୍ଷମତା ବ୍ୟକ୍ତିଗତ ନେତୃତ୍ୱ ଉପରେ ପର୍ଯ୍ୟବେସିତ । ଯଦି ତାଙ୍କର ସ୍ୱାସ୍ଥ୍ୟକୁ ନେଇ କୌଣସି ସନ୍ଦେହ ପ୍ରକାଶ ପାଏ ତେବେ ତାହା ରାଜନୈତିକ ସଙ୍କଟର କାରଣ ହୋଇପାରେ ।
ଶତ୍ରୁ ବି ଫାଇଦା ଉଠାଇବାକୁ ଚେଷ୍ଟା କରିପାରନ୍ତି: ବର୍ତ୍ତମାନ ସ୍ଥିତିରେ ଋଷ୍ ୟୁକ୍ରେନ ସହ ମୁହାଁମୁହିଁ ସ୍ଥିତିରେ ରହିଛି । ଏହାକୁ ନେଇ ପାଶ୍ଚାତ୍ୟ ଦେଶ ମଧ୍ୟ ଋଷ୍କୁ ବିରୋଧ କରୁଛନ୍ତି । ଏପରି ସ୍ଥିତିରେ ଯଦି ପୁଟିନଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଖବର ବାହାରକୁ ଆସିବ ତେବେ ଆମେରିକା ଏବଂ ୟୁରୋପୀୟ ଦେଶ ଋଷ୍ର ଦୁର୍ବଳତାକୁ ମାପି ନେବେ ଏବଂ ନିଜ ରଣନୀତିକୁ ବଦଳାଇ ଦେଇପାରନ୍ତି । ତେଣୁ ଏପରି ଖବରକୁ ଗୁପ୍ତ ରଖାଯାଉଛି ।
କ୍ରେମଲିନର ପରମ୍ପରା:
ନିଜର ସର୍ବୋଚ୍ଚ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ରହସ୍ୟ ମଧ୍ୟରେ ରଖିବା ଋଷ୍ର ଏକ ପରମ୍ପରା । ଖାଲି ପୁଟିନ ନୁହେଁ, ଅନେକ ଶୀର୍ଷ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଏମିତି ରହସ୍ୟ ଭିତରେ ରଖିବାର ପରମ୍ପରା ଋଷ୍ରେ ରହିଛି । ୧୯୨୪ରେ ବ୍ଲାଦିମିର ଲେନିନ ଷ୍ଟ୍ରୋକ କାରଣରୁ କାମ କରିବା ପାଇଁ ଅସମର୍ଥ ହୋଇ ଯାଇଥିଲେ । ତଥାପି ତାଙ୍କର ପ୍ରକୃତ ସ୍ୱାସ୍ଥ୍ୟାବସ୍ଥାକୁ ଲୁଚାଇଥିଲା ଦେଶ । ୧୯୫୩ରେ ଜୋସେଫ ଷ୍ଟାଲିନ ମୃତ୍ୟୁ ପୂର୍ବରୁ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥିଲେ ହେଁ ଏହାକୁ ଲୁଚା ଯାଇଥିଲା । ୧୯୭୦ରେ ଲିୟୋନିଦ ବ୍ରେଝନେବ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ହୋଇ ଯାଇଥିଲେ ହେଁ ସୋଭିଏତ ମିଡିଆ ଏହାକୁ ଲୁଚାଇ ରଖିଥିଲା । ସେହିପରି ୧୯୯୦ ଦଶକରେ ବୋରିସ ୟେଲତସିନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲେ ହେଁ ଏହାକୁ ଦୀର୍ଘଦିନ ଧରି ଲୁଚା ଯାଇଥିଲା । କ୍ରେମଲିନ ସବୁବେଳେ ଏହା ପ୍ରମାଣ କରିବାକୁ ଚାହେଁ ଯେ,. ତାର ଶୀର୍ଷ ନେତା ସବୁବେଳେ ଫିଟ୍ ଆଣ୍ଡ ଫାଇନ୍ ।
ଅଧିକ ପଢ଼ନ୍ତୁ: ଭାରତ ଗସ୍ତରେ ଆସିବେ ପୁଟିନ...ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିବେ ସାକ୍ଷାତ
କଡା ନିୟନ୍ତ୍ରଣରେ ମିଡିଆ:
ଋଷ୍ ସରକାରୀ ମିଡିଆ ସମ୍ପୂର୍ଣ୍ଣ ଭାବେ କ୍ରେମଲିନର ନିୟନ୍ତ୍ରଣରେ ରହିଛି । ତେଣୁ ପୁଟିନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ କୌଣସି ନକାରାତ୍ମକ ଖବର ବାହାରକୁ ଆସିପାରେ ନାହିଁ । ଯେଉଁ ଲୋକ ଏପରି ଖବର ପ୍ରଚାର କରିବାକୁ ଚେଷ୍ଟା କରନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥାଏ ।
କ୍ଷମତାକୁ ନେଇ ହୋଇପାରେ ସଂଘର୍ଷ: ଦେଶରେ ଏମିତି ଅନେକ ଲୋକ ରାଷ୍ଟ୍ରପତି ଦୌଡରେ ଅଛନ୍ତି । କିନ୍ତୁ ପୁଟିନଙ୍କ ସ୍ଥିତି ମଜବୁତ ଥିବାରୁ ସେମାନେ ନୀରବ ରହିଛନ୍ତି । ଯଦି ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ସୂଚନା ସାର୍ବଜନୀନ ହୁଏ ତେବେ ଋଷ୍ ଭିତରେ କ୍ଷମତା ହାତେଇବା ପାଇଁ ଶକ୍ତି ସଂଘର୍ଷ ହୋଇପାରେ ।
ତେଣୁ ଋଷ୍ ନିଜର ଭାବମୂର୍ତ୍ତିକୁ ଶକ୍ତ କରିବା ପାଇଁ ପୁଟିନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଖବର ଗୁପ୍ତ ରଖିଥାଏ । ଯେତେଦିନ ଯାଏ ପୁଟିନ କ୍ଷମତାରେ ଥିବେ ସେତେଦିନ ଯାଏ ମସ୍କୋ ଏ ପ୍ରସଙ୍ଗରେ ନିଜର ନୀରବତା ବଜାୟ ରଖିବ ଏବଂ ଏପରି କଥାକୁ ଗୁଜବ ବୋଲି କହି ଏଡ଼ାଇ ଦେବ ।
ତେବେ ଖାଲି ଋଷ୍ ନୁହେଁ, ଅନେକ ଦେଶ ଅଛନ୍ତି ଯେଉଁମାନେ ନିଜ ଶୀର୍ଷ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖବର ଲୁଚାଇଥାନ୍ତି । ଅବଶ୍ୟ ଆଜିକାଲି ସୋସିଆଲ ମିଡିଆ ଏବଂ ସ୍ୱତନ୍ତ୍ର ସାମ୍ବାଦିକତା କାରଣରୁ ପୂର୍ବପରି ଏହାକୁ ଲୁଚାଯାଇ ପାରୁାନାହିଁ । ତଥାପି ଶୀର୍ଷ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ଲୁଚାଇବା ନେଇ ପରମ୍ପରା ଆଜି ବି ରହିଛି ।
ଆମେରିକାର ପରମ୍ପରା :
ଆମେରିକାରେ ବି ଏପରି ପରମ୍ପରା ରହିଛି ।୧୯୧୯ରେ ଉଡ୍ରୋ ୱିଲସନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା । ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଲୁଚା ଯାଇଥିଲା ଏବଂ ତାଙ୍କ ପତ୍ନୀ ଏଡିଥ ୱିଲସନ ସରକାର ଚଳାଇବା ଦାୟିତ୍ୱ ସମ୍ଭାଳିଥିଲେ । ୧୯୪୫ରେ ଫ୍ରାଙ୍କଲିନ ଡି ରୁଜବେଲ୍ଟ ପୋଲିଓରେ ଆକ୍ରାନ୍ତ ହୋଇଥିଲେ ଏବଂ ଶେଷ ଦିନ ଯାଏ ତାଙ୍କର ଅବସ୍ଥା ବହୁତ ଖରାପ ଥିଲା । ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଲୁଚାଯିବା ସହ ତାଙ୍କ ଫଟୋ ମଧ୍ୟ ମିଡିଆ ସାମ୍ନାକୁ ଆସି ନ ଥିଲା । ମୃତ୍ୟୁ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ସାମ୍ନାକୁ ଆସିଥିଲା । ୧୯୬୦ରେ ଜନ.ଏଫ କେନେଡି ପିଠି ଯନ୍ତ୍ରଣା ଭୋଗୁଥିଲେ । ପେନକିଲର ଓ ଅନ୍ୟ ଔଷଧ ଖାଇ ଚଳୁଥିଲେ । ହେଲେ ତାଙ୍କର ଛବି ଜଣେ ଯୁବ ଏବଂ ଶକ୍ତିଶାଳୀ ନେତା ଭାବେ ପରିଚିତ ଥିଲା । ୮୦ ଦଶକରେ ରୋନାଲ୍ଡ ରେଗନଙ୍କ ସ୍ମୃତିଶକ୍ତି ହ୍ରାସ ପାଇଥିଲା । ରାଷ୍ଟ୍ରପତି ପଦରୁ ହଟିବା ପରେ ସେ ଅଲଜାଇମର ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏ ସମସ୍ତ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଲୁଚାଇ ରଖିଥିଲା ହ୍ୱାଇଟ ହାଉସ ।
ଚୀନର ବ୍ୟବସ୍ଥା :
ନେତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଗୁପ୍ତ ରଖିବା ପରମ୍ପରା ଚୀନରେ ମଧ୍ୟ ରହିଛି । ମାଓ ଜେତୋଙ୍ଗ କ୍ଷମତାରେ ଥିବାବେଳେ ଗୁରୁତର ଅସୁସ୍ଥ ଥିଲେ । ହେଲେ ଚୀନ କମ୍ୟୁନିଷ୍ଟ ପାର୍ଟି ଏହି ଖବରକୁ ଲୁଚାଇଥିଲେ । ୧୯୭୬ରେ ତାଙ୍କର ମୃତ୍ୟୁ ଘଟିବା ପରେ ବି ତାଙ୍କର ଗମ୍ଭୀର ସ୍ଥିତି ସମ୍ପର୍କରେ ଖୁବ କମ ଲୋକ ଜାଣିଥିଲେ । ୧୯୯୭ରେ ଦେଙ୍ଗ ଶିୟାଓପିଙ୍ଗ କ୍ଷମତାରେ ଥିବାବେଳେ ଖୁବ ଦୁର୍ବଳ ଥିଲେ ହେଁ କେହି ଏକଥା ଜାଣି ପାରି ନ ଥିଲେ ।
ଉତ୍ତର କୋରିଆର ପରମ୍ପରା
ଉତ୍ତର କୋରିଆରେ ନେତାଙ୍କୁ ଖାଲି ସୁସ୍ଥ ନୁହେଁ, ଷ୍ଟ୍ରଙ୍ଗ ଆଉ ହ୍ୟାଣ୍ଡସମ ଦେଖାଇବାର ପ୍ରଚେଷ୍ଟା କରାଯାଇଥାଏ । ସେଥିପାଇଁ ଶୀର୍ଷ ନେତାଙ୍କ ସ୍ୱାସ୍ଥ୍ୟଗତ ଖବର ଲୁଚାଇ ରଖାଯାଇଥାଏ । ୨୦୦୮ରେ କିମ ଜୋଙ୍ଗ-ଇଲଙ୍କୁ ଷ୍ଟ୍ରୋକ ହୋଇଥିଲା । ହେଲେ ଉତ୍ତର କୋରିଆ ମିଡିଆ ଏ ନେଇ କିଛି ବି କହି ନ ଥିଲା । ସେହିପରି ୨୦୨୦ରେ କିମ ଜୋଙ୍ଗ ଉନ କେତେ ସପ୍ତାହ ଧରି ସାର୍ବଜନୀନ କାମରେ ଯୋଗ ଦେଇ ନ ଥିଲେ । ତେଣୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଏବଂ ସର୍ଜରୀ କରାଯାଇଥିବା ନେଇ ଅନୁମାନ କରାଯାଉଥିଲା । ହେଲେ ସରକାରୀ ଭାବେ କୌଣସି ସୂଚନା ଦିଆଯାଇ ନଥିଲା ।
ହିଟଲରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ବି ଗୁପ୍ତ ରଖାଯାଇଥିଲା
୧୯୪୦ ଦଶକରେ ଏଡଲଫ ହିଟଲର ନ୍ୟୁରୋଲୋଜିକାଲ ସମସ୍ୟା ଏବଂ ମାନସିକ ସମସ୍ୟାରେ ଆକ୍ରାନ୍ତ ଥିଲେ । ହେଲେ ଜର୍ମାନୀର ନାଜି ସରକାର ଏହାକୁ ଗୁପ୍ତ ରଖିଥିଲେ । ଯୁଦ୍ଧର ଶେଷ ଦିନରେ ତାଙ୍କ ଅବସ୍ଥା ବହୁତ ଖରାପ ହୋଇଗଲା । ହେଲେ ତାଙ୍କ ଛବିକୁ ମଜବୁତ ରଖିବା ପାଇଁ ମିଡିଆରେ କୌଣସି ଖବର ପ୍ରଚାର କରାଯାଇ ନଥିଲା ।
ଏସବୁ ଦେଶ ବ୍ୟତୀତ ଫ୍ରାନ୍ସ, ଭେନଜୁଏଲା, କ୍ୟୁବାରେ ମଧ୍ୟ ଏପରି ସର୍ବୋଚ୍ଚ ନେତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଲୁଚାଇବାର ପରମ୍ପରା ରହିଛି ।
ଭାରତରେ କ’ଣ ରହିଛି ପରମ୍ପରା ?
ଭାରତରେ ନେତାଙ୍କ ସ୍ୱାସ୍ଥ୍ୟକୁ ଲୁଚାଇବାର ପରମ୍ପରା ପାଶ୍ଚାତ୍ୟ ଦେଶ ପରି ବ୍ୟାପକ ନୁହେଁ । ତଥାପି କିଛି କିଛି ମାତ୍ରାରେ ଲୁଚା ଯାଉଥିବା ଉଦାହରଣ ରହିଛି । ୧୯୬୬ରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ତାସକେଣ୍ଟଠାରେ ହୋଇଥିବା ମୃତ୍ୟୁକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ । ସେହିପରି ୧୯୮୪ରେ ହତ୍ୟା ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କର କିଛିଟା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲା । ହେଲେ ଏହା ଉପରେ ବିଶେଷ ଚର୍ଚ୍ଚା କେବେ ହୋଇ ନ ଥିଲା । ସେହିପରି ଅଟଳ ବିହାରୀ ବାଜପେୟୀ ଶେଷ ସମୟ ଯାଏ ଗୁରୁତର ରୋଗରେ ଆକ୍ରାନ୍ତ ଥିଲେ । ହେଲେ ଏହା ଉପରେ ମିଡିଆରେ ବିଶେଷ ଖବର ସାର୍ବଜନୀନ ହୋଇ ନଥିଲା । ଏପରିକି ଓଡ଼ିଶାରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଲୁଚା ଯାଇଥିଲା ବୋଲି ଅଭିଯୋଗ ହୁଏ । ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ପ୍ରସଙ୍ଗ ବିରୋଧୀ ଉଠାଇଲେ ସେ ଜିମ କରୁଥିବା ଫଟୋ ଭାଇରାଲ କରାଯାଇ ସେ ଫିଟ ଥିବା ପ୍ରଚାର କରାଯାଉଥିଲା ବୋଲି ଅନେକ କୁହନ୍ତି ।
ବି.ଦ୍ର.- ଏହା ଲେଖିକାଙ୍କ ନିଜସ୍ୱ ମତ ।