• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ୟୁକ୍ରେନ୍‌କୁ କ୍ଲଷ୍ଟର ବୋମା ଯୋଗାଇ ଦେବ ଆମେରିକା । ଆମେରିକା ପକ୍ଷରୁ ଏନେଇ ୟୁକ୍ରେନ୍‌କୁ ସ୍ପଷ୍ଟ କରାଯାଇଛି । ଯାହାକୁ ନେଇ ବଢ଼ୁଛି ରୁଷିଆ ରାଷ୍ଟ୍ରପତି ଭ୍ଳାଦମିର ପୁଟିନ୍‌ଙ୍କ ଚିନ୍ତା । ଖାଲି ଚିନ୍ତା ତ ନୁହେଁ, ପୁଟିନ୍‌ ଭୟଭୀତ ରହିଥିବା ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କାରଣ ନିକଟରେ ରୁଷିଆ ରାଷ୍ଟ୍ରପତି ଭ୍ଳାଦମିର ପୁଟିନ୍‌ ଆମେରିକାର ଏହି କାର୍ଯ୍ୟ ଉଚିତ୍‌ ନୁହେଁ ବୋଲି କହିଛନ୍ତି । ତାହା ସହ କ୍ଲଷ୍ଟର ବୋମା ଆମ ନିକଟରେ ରହିଛି ବୋଲି କହିଛନ୍ତି ପୁଟିନ୍‌ ।

ଆମେରିକାର ଏହି ଘୋଷଣା ପରେ ପୁଟିନ୍‌ ଚିନ୍ତାରେ ପଡ଼ିଛନ୍ତି । ସେପଟେ ଖାଲି ରୁଷିଆ ନୁହେଁ ଜର୍ମାନୀ, ଇଂଲଣ୍ଡ, ସ୍ପେନ୍ ଏବଂ ଇଟାଲୀ ମଧ୍ୟ ଚିନ୍ତିତ ରହିଛନ୍ତି । ନାଟୋ ସଦସ୍ୟମାନେ କ୍ଲଷ୍ଟର ବୋମା ବ୍ୟବହାରକୁ ନେଇ ଉଦ୍‌ବେଗ ମଧ୍ୟ ପ୍ରକାଶ କରିଛନ୍ତି । ତାହାସହ ୧୦୦ରୁ ଅଧିକ ବୋମା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ହେଲେ ଆପଣ ଜାଣନ୍ତି କି କ’ଣ ଏହି କ୍ଲଷ୍ଟର ବୋମା ? ଯେଉଁଥିପାଇଁ ପୁଟିନ୍‌ଙ୍କ ସହ ଅନ୍ୟ ଦେଶ ମଧ୍ୟ ଚିନ୍ତାରେ ପଡ଼ିଛି । ଏହି କ୍ଲଷ୍ଟର ବୋମା କେବଳ ରୁଷିଆ ୟୁକ୍ରେନ୍‌ ପାଖରେ ରହିଛି ନା ଭାରତ ବି ରଖିଛି ? ଆସନ୍ତୁ ଜାଣିବା ।

କ୍ଲଷ୍ଟର ବୋମା କ’ଣ ?

କ୍ଲଷ୍ଟର ବୋମା ହେଉଛି ଏପରି ଅସ୍ତ୍ର , ଯାହା ଶତ୍ରୁକୁ କଡ଼ା ଜବାବ ଦେଇଥାଏ । ଗୋଟିଏ କ୍ଲଷ୍ଟର ବୋମାରେ ଛୋଟ ଛୋଟ ଅନେକ ବୋମା ରହିଥାଏ । ଯେ କୌଣସି ଏକ ବଡ଼ ସ୍ଥାନରେ କ୍ଳଷ୍ଟର ବୋମାକୁ ବ୍ୟବହାର କରାଯାଇଥାଏ । ଏକକାଳୀନ କ୍ଲଷ୍ଟର ବୋମାର ପ୍ରୟୋଗ କରିବା ଦ୍ୱାରା ସେଥିରୁ ଅନେକ ଗୁଡ଼ିଏ ବୋମା ବାହାରିବା ସହ ଶତ୍ରୁ ପକ୍ଷ ପାଇଁ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ ।

ଗୋଟିଏ କ୍ଳଷ୍ଟର ବୋମାରୁ ଅନେକ ଗୁଡ଼ିଏ ଛୋଟ ବୋମା ବାହାରିଥାଏ । ସେହି ଛୋଟ ଛୋଟ ବୋମାଗୁଡ଼ିକୁ ସବମୁନିସନ୍ ବା ବୋମାଲେଟ୍ କୁହାଯାଏ । ଏହି ବୋମାକୁ ଶତ୍ରୁକୁ ମାତ୍‌ ଦେବାକୁ ବିଭିନ୍ନ ଉପାୟରେ ପ୍ରୟୋଗ ମଧ୍ୟ କରାଯାଇଥାଏ । ଯେପରି ବିମାନରୁ ପକାଇବା କିମ୍ବା ସ୍ୱତନ୍ତ୍ର ଉପାୟରେ ଯୁଦ୍ଧ କରିବା ।

ଏହି ବୋମାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହାର କରାଯାଇଥିଲା । ଯାହା ପାଇଁ ଏକ ବଡ଼ ଅଞ୍ଚଳ ନଷ୍ଟ ହୋଇଥିଲା ବୋଲି କୁହାଯାଇଛି । କ୍ଲଷ୍ଟର ବୋମାରୁ ବାହାରୁଥିବା ଅନେକ ଛୋଟ ଛୋଟ ବୋମା ମାଟିରେ ପଡ଼ିଥାଏ । ହେଲେ ସମସ୍ତ ବୋମା ବିସ୍ଫୋରଣ ହୋଇନଥାଏ । ମାଟିରେ ପୋତି ହୋଇରହିଥିବା କିଛି ବୋମା କୌଣସି ମଣିଷର ସଂସ୍ପର୍ଶରେ ଆସିଲେ ବିସ୍ଫୋରଣ ହୋଇଥାଏ । ଫଳରେ ଲୋକଙ୍କ ମୃତ୍ୟୁ ହୋଇଥାଏ ।

ରେଡକ୍ରସର ଅନ୍ତର୍ଜାତୀୟ କମିଟି ଅନୁଯାୟୀ ୧୦ରୁ ୪୦ ପ୍ରତିଶତ କ୍ଲଷ୍ଟର ବୋମା ବିସ୍ଫୋରଣ ହୁଏ ନାହିଁ । ଏହାକୁ ମୃତ ବୋଲି କୁହାଯାଏ । ବିସ୍ଫୋରଣ ହୋଇନଥିବା ବୋମା ଖେଳନା ପରି ଦେଖାଯାଏ । ସେଥିପାଇଁ ପିଲାମାନେ ପ୍ରାୟତଃ ବୋମା ବିସ୍ଫୋରଣରେ ଜୀବନ ହରାଇଥାନ୍ତି ।

ତେବେ କ୍ଲଷ୍ଟର ବୋମାକୁ ୧୦୦ରୁ ଅଧିକ ଦେଶରେ ନିଷେଧ କରାଯାଇଛି । କ୍ଲଷ୍ଟର ଅସ୍ତ୍ର ତିଆରି କରିବାର କ୍ଷମତା ୩୪ଟି ଦେଶକୁ ମିଳିଛି । ସେଥିମଧ୍ୟରେ ଭାରତ ରହିଛି । ଭାରତ ନିକଟରେ ମଧ୍ୟ M395 କ୍ଲଷ୍ଟର ବୋମା ରହିଛି ।