• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣଙ୍କୁ ଶସ୍ତା ଏବଂ ସହଜରେ ଉବର ଆପ୍‌ ମାଧ୍ୟମରେ ଗାଡ଼ି ଭଡ଼ାରେ ମିଳିଯାଏ । ସେଥିପାଇଁ ଆପଣ ଏହାକୁ ବ୍ୟବହାର କରନ୍ତି । କିନ୍ତୁ ଆପଣ ସେହି ଉବର ଆପ୍‌ରେ ହିଁ ଫସିଯାଇପାରନ୍ତି । ଗଣିବାକୁ ପଡ଼ିପାରେ ଲକ୍ଷ ଲକ୍ଷ ଟଙ୍କା । କାରଣ ଉବର କମ୍ପାନୀ ପକ୍ଷରୁ ଏମିତି କିଛି ଭୁଲ ପାଇଁ ଜଣେ ବ୍ୟକ୍ତି ଏକ ବଡ଼ ସମସ୍ୟାରେ ପଡ଼ିଛନ୍ତି । ୧୫ ମିନିଟ୍‌ର ଟ୍ରିପ୍‌ ପାଇଁ ତାଙ୍କୁ ୩୨ ଲକ୍ଷ ଟଙ୍କା ମାଗିଥିଲା ଉବର ।

କୌଣସି କ୍ୟାବ୍‌ ବୁକ୍‌ କରିବା କିମ୍ବା ଟାକ୍ସି ବୁକ୍‌ କରିବା ଏବେ ଖୁବ୍‌ ସହଜ । ଏହା ଏବେ ଆମର ନିତିଦିନିଆ ଅଭ୍ୟାସ ବି ହୋଇଗଲାଣି । ବର୍ତ୍ତମାନ ସମୟରେ କୌଣସି ଦୂର ସ୍ଥାନ ହେଉ କିମ୍ବା ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାକୁ ହେଲେ, ଲୋକମାନେ ଖୁବ୍‌ ସହଜରେ ଗାଡ଼ି ଭଡ଼ା କରିପାରୁଛନ୍ତି । କାରଣ ଏବେ ଏହାର ପ୍ରକ୍ରିୟା ଖୁବ୍‌ ସହଜ ହୋଇଯାଇଛି । ଓଲା- ଉବର ଭଳି ସଂସ୍ଥା ବଜାରକୁ ଆସିବା ପରେ ଏହା ଅତ୍ୟନ୍ତ ସାଧାରଣ ହୋଇଯାଇଛି । ଶସ୍ତା ଇଣ୍ଟରନେଟ୍‌ ସେବା ମଧ୍ୟ ଏହାକୁ ଖୁବ୍‌ ସୁହାଇଛି ।

ଖାଲି ସେତିକି ନୁହେଁ, ଲୋକଙ୍କୁ ଏଭଳି ସଂସ୍ଥା, ଖୁବ୍‌ କମ୍‌ ଦରରେ ଗାଡ଼ି ଭଡ଼ା ଦେବା ସହ ସେମାନଙ୍କ ପାଖରେ ଖୁବ୍‌ ସହଜରେ ଏବଂ କମ୍‌ ସମୟ ମଧ୍ୟରେ ସେବା ପହଞ୍ଚାଇ ପାରିଲା । ଯାହା ଫଳରେ ଲୋକଙ୍କ ଆଗ୍ରହ ବଢ଼ିଲା । ଲୋକମାନେ ଏହାକୁ ଅଧିକରୁ ଅଧିକ ବ୍ୟବହାର କରିବାକୁ ଲାଗିଲେ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା କହିବୁ, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବ୍ୟକ୍ତିଙ୍କୁ ମାତ୍ର ୧୫ ମିନିଟ୍‌ର ଟ୍ରିପ୍ ପାଇଁ ୩୨ ଲକ୍ଷ ଟଙ୍କା ଦେୟ ଦେବାକୁ କହିଛି ଉବର । ତେବେ ପୁରା ଘଟଣାଟି ହେଉଛି ଯେ, ଓଲିଭର କ୍ୟାପ୍‌ଲନ୍‌ ନାମକ ଜଣେ ବ୍ୟକ୍ତି ହାଇଡ୍‌ଠାରୁ ଆଷ୍ଟନ ଯିବା ପାଇଁ କ୍ୟାବ୍‌ ବୁକ୍‌ କରିଥିଲେ । ଯାହାର ମୂଲ୍ୟ ମାତ୍ର ୧୦ ପାଉଣ୍ଡ । କିନ୍ତୁ ସକାଳୁ ଉଠିବା ବେଳକୁ ତାଙ୍କ ପାଖକୁ ଆସିଛି ୩୨ ଲକ୍ଷ ୧୯ ହଜାର ୪୫ ଟଙ୍କାର ବିଲ୍ । ଯାହାକୁ ଦେଖିବା ପରେ ସେ ଚମକି ପଡ଼ିଥିଲେ ।

ଆଉ ଏହା ପରେ ସେ ଉବର ସହ ଯୋଗାଯୋଗ କରିଥିଲେ । କ୍ୟାବ୍‌ ବିରୋଧରେ ଅଭିଯୋଗ କରିଥିଲେ । ଏହାସହ ଏତେ ବଡ଼ ବିଲ୍‌ କେମିତି ଆସିଲା ଓ କାହିଁକି ଆସିଲା ବୋଲି ପ୍ରଶ୍ନ କରିଥିଲେ । ଏହାର ଜବାବରେ ସେ ଜାଣିବାକୁ ପାଇଥିଲେ ଯେ, ଭୁଲ ବଶତଃ ଲୋକେସନ ବଦଳିଯାଇଛି । ଉବର ଆପ୍ଲିକେସନ୍‌ରେ ସେ ଅଷ୍ଟ୍ରେଲିଆ ଏବଂ ମାଞ୍ଚେଷ୍ଟର ଯାଇଥିବା ଲୋକେସନ ଦେଖାଯାଉଛି । ଏହା ଡ୍ରାଇଭରର ଭୁଲ ବୋଲି କୁହାଯାଉଛି । ଏହି ଭୁଲ ଅଜାଣତରେ ହୋଇଥାଇପାରେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା । କାରଣ ଓଲିଭର ରହୁଥିବା ସ୍ଥାନ ବା ସେ ସ୍ଥିର କରିଥିବା ସ୍ଥାନ ଏବଂ ଅଷ୍ଟ୍ରେଲିଆ-ମାଞ୍ଚେଷ୍ଟର ଗ୍ଲୋବ୍‌ ଅନ୍ୟ ଏକ ପାର୍ଶ୍ୱ କହିଲେ ଭୁଲ ହେବନି ।

ତେବେ ଅନେକ ତର୍ଜମା ପରେ ଉବର ନିଜର ଭୁଲ ସ୍ୱୀକାର କରିଥିଲା । ଏହାସହ ୩୨ ଲକ୍ଷ ବଦଳରେ ଓଲିଭରଙ୍କୁ ପାଖାପାଖି ୧୧ ପାଉଣ୍ଡ ଦେୟ ଦେବାକୁ କହିଥିଲା । ହେଲେ ଉବରର ଏହି ସାମାନ୍ୟ ଭୁଲ ପାଇଁ ଓଲିଭରଙ୍କୁ କିଛି ସମୟ ଚିନ୍ତାରେ ପକାଇଥିଲା । ଏହି କିଛି ସମୟ ମଧ୍ୟରେ ସେ ଆବାକାବା ହୋଇଯାଇଥିଲେ । ଯଦି ଏହି ମାମଲା ସମାଧାନ ନହୋଇଥାନ୍ତା ତେବେ ତାଙ୍କୁ ୩୨ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାନ୍ତା । ସୌଭାଗ୍ୟ ବଶତଃ ତାଙ୍କ ଆକାଉଣ୍ଟରେ ଏତେ ଟଙ୍କା ନଥିଲା, ନଚେତ୍ ସବୁ ଟଙ୍କା ଉବର ନେଇ ଯାଇଥାନ୍ତା ।