• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ପୁତିନ ବର୍ଷ ଶେଷର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବେନି ବୋଲି ମସ୍କୋର ଘୋଷଣା, ସେ ଅସୁସ୍ଥ ଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି । କାରଣ ବିଗତ ୧୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ଏହି ପ୍ରେସ୍ କନଫରେନ୍ସକୁ ବାତିଲ କରିଛନ୍ତି ପୁତିନ । ସେ ପାର୍କିନସନ ଓ କର୍କଟରେ ଆକ୍ରାନ୍ତ ଥିବା ପୂର୍ବରୁ ଚର୍ଚ୍ଚା ହୋଇ ଆସିଛି ଏବଂ ଏହାର କିଛି ସନ୍ଦେହଜନକ ପ୍ରମାଣ ମଧ୍ୟ ଏଭଳି ଚର୍ଚ୍ଚାର ନିଆଁରେ ଘିଅ ଢାଳିଛି ।

ଇୟର୍ ଏଣ୍ଡ୍ ପ୍ରେସ୍ କନଫରେନ୍ସ ବା ବର୍ଷ ଶେଷର ସାମ୍ବାଦିକ ସମ୍ମିଳନୀ । ପ୍ରତିବର୍ଷ ଡିସେମ୍ବରରେ ଶହ ଶହ ସାମ୍ବାଦିକଙ୍କ ପ୍ରଶ୍ନର ଅତି ଦୃଢ଼ତାର ସାମ୍ନା କରନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ବିରାଟ ଅଡିଟୋରିୟମ ମଞ୍ଚରେ ଏକାକୀ ବସି ଘଣ୍ଟା ଘଣ୍ଟା ଧରି ସେମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି । ପରୋକ୍ଷରେ ନିଜର ପ୍ରସଙ୍ଗ ଭିତ୍ତିକ ଜ୍ଞାନ ଏବଂ ବିଶେଷ କରି ନିଜର ଷ୍ଟାମିନା ବା ସହନଶକ୍ତିର ପରିଚୟ ଦିଅନ୍ତି ପୁତିନ । ଗତବର୍ଷ ୪ ଘଣ୍ଟା ଧରି ଦେଖିବାକୁ ମିଳିଥିଲା ପୁତିନଙ୍କ ଏହି ପ୍ରେସ୍ ବାର୍ତ୍ତା । ହେଲେ ଚଳିତ ବର୍ଷ ଏଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିଛନ୍ତି ରୁଷ ରାଷ୍ଟ୍ରପତି ।

ଅଧିକ ପଢ଼ନ୍ତୁ: ୟୁକ୍ରେନ୍‌ର ୪ ରାଜ୍ୟକୁ କାହିଁକି ଅକ୍ତିଆର କଲେ ପୁତିନ୍; ଜାଣନ୍ତୁ କାରଣ

ବିଗତ ୧୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ସେ ଏହାକୁ ବାତିଲ କରିବା ଘଟଣା, ତାଙ୍କ ଅସୁସ୍ଥତା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ କହିଛନ୍ତି ଯେ, ନୂଆବର୍ଷ ପୂର୍ବରୁ ସେଭଳି କୌଣସି ପ୍ରେସ୍ କନଫରେନ୍ସ ହେବାର କାର୍ଯ୍ୟକ୍ରମ ନାହିଁ । ସେ ଏହାର କୌଣସି କାରଣ ଦର୍ଶାଇ ନାହାନ୍ତି । ଏଥିସହ ସେ କହିଛନ୍ତି ଯେ, ପୁତିନ ସର୍ବଦା ବିଭିନ୍ନ କାର୍ଯ୍ୟକ୍ରମରେ ଏବଂ ବିଦେଶ ଗସ୍ତ ବେଳେ ସାମ୍ବାଦିକଙ୍କ ସହ ବାର୍ତ୍ତାଳାପ କରିଥାନ୍ତି । ଆଶା କରାଯାଉଛି ସେ ନିଶ୍ଚିତ ରୂପେ ଏଥିପାଇଁ ଅନ୍ୟ କୌଣସି ବାଟ ଖୋଜିନେବେ । ହେଲେ ପ୍ରଶ୍ନ ଉଠୁଛି, ପୁତିନଙ୍କ ଏଭଳି ନିଷ୍ପତ୍ତି ପଛର କାରଣ କଣ?

ପୁତିନ କର୍କଟ ଓ ପାର୍କିନ୍ସନରେ ପୀଡ଼ିତ ଥିବା ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଛି । ଖୁବଶୀଘ୍ର ତାଙ୍କର ଏମର୍ଜେନ୍ସି କଲନ୍ ସର୍ଜରୀ ହୋଇପାରେ ବୋଲି ମଧ୍ୟ ସୂଚନା ମିଳିଛି । ହୁଏତ ଏଥିଯୋଗୁଁ ସାମ୍ବାଦିକ ସମ୍ମିଳନୀକୁ ଆସିବାକୁ ଚାହୁଁ ନାହାନ୍ତି ରୁଷ ରାଷ୍ଟ୍ରପତି । ଆମେରିକୀୟ ଗୁଇନ୍ଦା ରିପୋର୍ଟ ମଧ୍ୟ କହୁଛି ଯେ, ପୁତିନ କ୍ୟାନ୍ସରର ଆଡଭାନ୍ସ ଷ୍ଟେଜ୍ ବା ଲାଷ୍ଟ୍ ଷ୍ଟେଜରେ ଅଛନ୍ତି । ତେବେ ତାଙ୍କୁ କେଉଁ କ୍ୟାନ୍ସର ହୋଇଛି, ତାହା ରିପୋର୍ଟରେ ସ୍ପଷ୍ଟ କରାଯାଇନାହିଁ । ଅନ୍ୟ ପକ୍ଷରେ ୟୁକ୍ରେନ୍ ଯୁଦ୍ଧରେ ରୁଷୀୟ ସୈନ୍ୟ ବିପୁଳ କ୍ଷତି ସହିବା ଏବଂ ପଛଘୁଞ୍ଚା ଦେବା ଘଟଣା ମଧ୍ୟ ପୁତିନଙ୍କ ଏହି ନିଷ୍ପତ୍ତି ପଛର ଅନ୍ୟ ଏକ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।