US Election Result 2024: ଏଲନ୍ କେବଳ ବନ୍ଧୁ ନା ଅନ୍ୟ କିଛି ! ଟ୍ରମ୍ପ ପରିବାର ଫଟୋରେ Elon Musk

ଟ୍ରମ୍ପଙ୍କ ବିଜୟ ପରେ ସାରା ବିଶ୍ୱରେ କେବଳ ଗୋଟିଏ ବ୍ୟକ୍ତିର ଚର୍ଚ୍ଚା । ସେ ହେଉଛନ୍ତି ଏଲନ୍ ମସ୍କ ।

Elon Musk

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ପରେ ସାରା ବିଶ୍ୱରେ କେବଳ ଗୋଟିଏ ବ୍ୟକ୍ତିର ଚର୍ଚ୍ଚା । ସେ ହେଉଛନ୍ତି ଏଲନ୍ ମସ୍କ । କୁହାଯାଉଛି, ଟ୍ରମ୍ପଙ୍କ ବିଜୟରେ କେବଳ ଏଲନ୍ ମସ୍କଙ୍କ ଭୂମିକା ହିଁ ସର୍ବାଧିକ ଥିଲା । ସେ ହିଁ ଏକା ଟ୍ରମ୍ପକୁ ବିଜୟୀ କରିଛନ୍ତି । ଏପରି ଅବିଶ୍ୱସନୀୟ ଭାବେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ କିପରି ହେଲା, ତାହା ଏକ ବଡ଼ ପ୍ରଶ୍ନ ଭାବେ ପୂରା ବିଶ୍ୱ ସମୁଖରେ ଛିଡ଼ା ହୋଇଛି । ଆଉ ଏହା ପଛରେ ମସ୍କଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରମ୍ପଙ୍କ ପାଇଁ ଖୋଲାଖୋଲି ପ୍ରଚାର କରିଥିଲେ ଏଲନ୍ । କେବଳ ସାମାଜିକ ଗଣମାଧ୍ୟମ ନୁହେଁ, ବିଭିନ୍ନ ଜରିଆରେ ଟ୍ରମ୍ପଙ୍କ ବିଗିଡ଼ି ଥିବା ଭାବମୂର୍ତ୍ତି ସୁଧାରି ଥିଲେ ଏଲନ୍ । ଟ୍ରମ୍ପଙ୍କ ସମର୍ଥନରେ ସେ ଏକାଧିକ ଟ୍ୱିଟ୍ କରିବା ସହ ଅଜସ୍ର ଅର୍ଥ ମଧ୍ୟ ଲଗାଇଥିବା ଜଣାପଡ଼ିଛି । ଏପରିକି ବ୍ୟକ୍ତିଗତ ଭାବରେ ମଧ୍ୟ ତାଙ୍କୁ ଟ୍ରମ୍ପଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।

ଅଧିକ ପଢ଼ନ୍ତୁ: ପରାଜୟ ସ୍ବୀକାର କଲେ Kamala Harris; କହିଲେ-'ଆମେରିକାର ସ୍ବପ୍ନ, ଆକାଂକ୍ଷାକୁ ପୂରା କରିବା ଦିଗରେ କାମ ଜାରି ରଖିବି'

ତେବେ ଏହି ଚର୍ଚ୍ଚାକୁ ବର୍ତ୍ତମାନ ଅଧିକ ଖୋରାକ୍ ଯୋଗାଇଛି ଟ୍ରମ୍ପଙ୍କ ନାତୁଣୀ ପୋଷ୍ଟ କରିଥିବା ଏକ ଫଟୋ । ଟେସଲା ଏବଂ ସ୍ପେସ୍ ଏକ୍ସର ସିଇଓ ଏଲନ୍ ନିଜ ପୁଅ ସହ ଡୋନାଲ୍ଡ ଟ୍ରମ୍ପଙ୍କ ପରିବାର ସହ ଛିଡ଼ା ହୋଇଥିବା ଏହି ଫଟୋରେ ଦେଖିବାକୁ ମିଳୁଛି । ଅନ୍ୟ ପଟେ ଉକ୍ତ ଫଟୋର କ୍ୟାପସନରେ ଲେଖାଯାଇଛି, ଏହା ହେଉଛି ପୂରା ସ୍କ୍ୱାର୍ଡ । ତେବେ ଯାହା କଳ୍ପନା ଜଳ୍ପନାର କାରଣ ହୋଇଛି ତାହା ହେଲା ଯେ, ନିର୍ବାଚନରେ ଟ୍ରମ୍ପଙ୍କ ସବୁଠାରୁ ବଡ ସମର୍ଥକ ଭାବରେ ଉଭା ହୋଇଥିବା ମସ୍କ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ପରିବାରରେ ମଧ୍ୟ ସାମିଲ ହୋଇଗଲେଣି କି !

ଗତକାଲି ବିଜୟ ପରେ ମଧ୍ୟ ନିଜର ନିର୍ବାଚନୀ ଅଭିଭାଷଣରେ ଏଲନ୍ ମସ୍କଙ୍କୁ ଆଇ ଲଭ୍ ୟୁ କହିଥିଲେ । ଏହା ହିଁ ମସ୍କଙ୍କ ସହ ଟ୍ରମ୍ପଙ୍କ ନିବିଡ଼ତା ସୂଚାଉଛି । କିଛି ରିପୋର୍ଟ ଅନୁସାରେ, ନିର୍ବାଚନରେ ଏଲନ୍ ପ୍ରାୟ ହଜାରେ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ସହ ଟ୍ରମ୍ପଙ୍କ ସମର୍ଥନରେ ସେ ଏକ ପଲିଟିକାଲ ଆକ୍ସନ କମିଟି ମଧ୍ୟ ଗଢ଼ିଥିଲେ, ଯାହା ତାଙ୍କୁ ନିର୍ବାଚନରେ ସାହାଯ୍ୟ କରିଥିଲା । ୨୦୨୦ରେ ଟ୍ୱିଟର୍‌ରୁ ବ୍ୟାନ୍ ହୋଇଥିବା ଟ୍ରମ୍ପଙ୍କ ପାଇଁ ଏଲନ୍ ହିଁ ପ୍ରଚାର କରିଥିଲେ । ପରେ ଟ୍ରମ୍ପ ପୁଣି ଥରେ ଟ୍ୱିଟର୍‌କୁ ଫେରିପାରିଥିଲେ । ଏଣୁ ସେ ଯେ ଟ୍ରମ୍ପଙ୍କର ପୁରୁଣା ବନ୍ଧୁ ଏଥିରେ ଅତ୍ୟୁକ୍ତି ନାହିଁ ।

ଅପରପକ୍ଷେ ପ୍ରଥମଥର ଭଳି ଦ୍ୱିତୀୟ ଥର ମଧ୍ୟ ଆମେରିକା ଫାଷ୍ଟ ନାରା ଦେଇ କ୍ଷମତାକୁ ଫେରୁଥିବା ଟ୍ରମ୍ପଙ୍କର ପ୍ରବାସୀଙ୍କୁ ନେଇ ଶକ୍ତ ଆଭିମୁଖ୍ୟ ରହି ଆସିଛି । ଏପରିକି ଆମେରିକାରେ ଅବୈଧ ଭାବେ ରହି ଆସୁଥିବା ପ୍ରବାସୀଙ୍କୁ ଦେଶରୁ ତଡ଼ିବାର ପ୍ରତିଶ୍ରୁତି ଦେଇଛନ୍ତି । ସେ ଦୃଷ୍ଟିରୁ ଅସ୍ଥାୟୀ ଭାବେ ଆମେରିକା ଯାଇ କାମ କରିବାର ବ୍ୟବସ୍ଥା ବା ଏଚ୍ ୱାନ୍ ବି ଭିସାକୁ ଯଦି ଟ୍ରମ୍ପ ଉଚ୍ଛେଦ କରନ୍ତି, ତାହେଲେ ଏହି ଭିସା ବଳରେ ଆମେରିକାରେ ଥିବା ବହୁ ଭାରତୀୟ ଚାକିରି ହରାଇବାର ବି ଆଶଙ୍କା ରହୁଛି । ତେଣୁ ବିଧିବଦ୍ଧ କ୍ଷମତାକୁ ଫେରିବା ପରେ ଟ୍ରମ୍ପ ପ୍ରଶାସନ ବାସ୍ତବିକ କି ଆଭିମୁଖ୍ୟ ନେଉଛନ୍ତି, ତା ଉପରେ ବି ଭାରତର ନଜର ରହିଛି ।

ଅଧିକ ପଢ଼ନ୍ତୁ: US Election Results 2024: ଜିତିଲେ Donald Trump, ଭାରତୀୟ ସେୟାର ବଜାରରେ କ’ଣ ରହିବ ଏହାର ପ୍ରଭାବ ?