• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେବେ ଘଟିବ ଋଷିଆ-ୟୁକ୍ରେନ ଯୁଦ୍ଧର ଅନ୍ତ । କେବେ ଆଶ୍ୱସ୍ତି ପାଇବେ ଯୁଦ୍ଧ ଘନଘଟାରେ ଫସିଥିବା ଲକ୍ଷ ଲକ୍ଷ ନିରୀହ ନାଗରିକ । ବାରମ୍ବାର ଆଲୋଚନା ସତ୍ତ୍ୱେ ଦୁଇ ପକ୍ଷ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନଥିବା ବେଳେ, ଅର୍ଥସଙ୍ଗତ ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି । ତେଣେ ୟୁକ୍ରେନ ମୁଣ୍ଡ ନୁଆଁଉ ନଥିବାରୁ ଅଧିକ ଆକ୍ରମଣାତ୍ମକ ହୋଇଛନ୍ତି ପୁଟିନ୍ ବିଧ୍ୱଂସକାରୀ । ହାଇପରସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ବି ପଛାଉ ନାହିଁ ଋଷ ସେନା ।

ୟୁକ୍ରେନ ବିରୁଦ୍ଧରେ ଋଷିଆର ସାମରିକ କାର୍ଯ୍ୟାନୁଷ୍ଠାନ ଏବେ ୨୫ ଦିନରେ ପହଞ୍ଚି ଥିବା ବେଳେ ବାହାରି ପାରୁନି ସମାଧାନର ବାଟ । ଏଣେ ୟୁକ୍ରେନ ସେନା ଋଷିଆର ଜବରଦସ୍ତ ମୁକାବିଲା କରିବା ଓ ନିଜ ଯୋଜନା ଠିକଣାବାଟରେ ଆଗକୁ ବଢୁନଥିବାରୁ ଅଧିକ ଆକ୍ରମଣାତ୍ମକ ହେଉଛନ୍ତି ପୁଟିନ । ତେଣୁ ଦିନକୁ ଦିନ କଠୋରରୁ ଅତି କଠୋର ପଦକ୍ଷେପ ନେବାରେ ଲାଗିଛନ୍ତି । ଋଷ ସେନା ପୁଣି ଥରେ ବିଧ୍ୱଂସକାରୀ ହାଇପରସୋନିକ କ୍ଷେପଣାସ୍ତ୍ର ବ୍ୟବହାର କରିଥିବା ମଧ୍ୟ ଜଣାପଡ଼ିଛି ।

ତାସହିତ ୟୁକ୍ରେନର ଅଧିକାଂଶ ବଡ଼ ବଡ଼ ସହରରେ ଜୋରଦାର ଆକ୍ରମଣ ଜାରି ରହିଛି । ରାଜଧାନୀ କିଭ୍ ଓ ବ୍ୟାବସାୟିକ ନଗରୀ ଖାରକିଭ୍, ମୋରିଓପୁଲ, ଜାପୋରଜିଆ, ଲିଭିବ୍, ସୁମି ଓ ଓଡେଶା ସମେତ ସମଗ୍ର ୟୁକ୍ରେନରେ ଆକାଶମାର୍ଗରୁ ଆକ୍ରମଣ ନେଇ ସତର୍କ ସାଇରନ ଜାରି ହୋଇଛି । ଘନ ଘନ କ୍ଷେପଣାସ୍ତ୍ର ଓ ବୋମାମାଡ଼ରେ ଏହି ସହରଗୁଡିକ ଧ୍ୱଂସ ସ୍ତୁପରେ ପରିଣତ ହୋଇଥିବା ବେଳେ ଋଷ ସୈନ୍ୟ ବେସାମିରକ ଅଞ୍ଚଳକୁ ଟାର୍ଗେଟ କରିବା ଜାରି ରଖିଥିବା କହିଛି ୟୁକ୍ରେନ ।

ଗତକାଲି ଖାରକିଭ୍‌ରେ ୫ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଋଷ ସୈନ୍ୟ ୪ ଶହରୁ ଅଧିକ ଲୋକ ଆଶ୍ରୟ ନେଇଥିବା ମାରିଓପୁଲ୍‌ର ଏକ ଆର୍ଟ ସ୍କୁଲକୁ ନିଶାନା କରିଥିବା ୟୁକ୍ରେନ ଅଭିଯୋଗ କରିଛି । ତେବେ ଏହି ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନି । ତେଣେ ଗତ ଶୁକ୍ରବାର ଋଷ ସୈନ୍ୟଙ୍କ ଆକ୍ରମଣର ଶିକାର ହୋଇଥିବା ମାଇକୋଲୋଭ୍ ସୈନ୍ୟ ଶିବିରରୁ ୫୦ ମୃତଦେହ ଉଦ୍ଧାର ହୋଇଛି ।

ତେଣେ ବନ୍ଦରନଗର ମେରିଓପୁଲରେ ଋଷ ଯୁଦ୍ଧ ଅପରାଧ ଘଟାଉଥିବା ଅଭିଯୋଗ କରିଛନ୍ତି ଜେଲେନ୍‌ସ୍କି । ଏଠାକାର ହଜାର ହଜାର ଲୋକଙ୍କୁ ଋଷିଆ ବଳପୂର୍ବକ ନିଜ ଦେଶକୁ ନେଇ ଯାଉଥିବା ୟୁକ୍ରେନ ଅଭିଯୋଗ କରିଛି । ତେଣେ ଯୁଦ୍ଧ ବନ୍ଦ ପାଇଁ ବାରମ୍ବାର ଆଲୋଚନା ସତ୍ତ୍ୱେ କୌଣସି ସମାଧାନର ବାଟ ବାହାରିପାରୁ ନାହିଁ । ସେପଟେ ଅର୍ଥସଙ୍ଗତ ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ଜେଲେନ୍‌ସ୍କି । ତେବେ ବିବାଦୀୟ ପ୍ରସଙ୍ଗ ଗୁଡିକରେ ଋଷିଆ ଓ ୟୁକ୍ରେନ ସହମତି ଆଡକୁ ଯାଉଥିବା କହିଛନ୍ତି ତୁର୍କୀ ବୈଦେଶିକ ମନ୍ତ୍ରୀ ମେଭଲଟ କାଭୁଲୋ ।

ଯୁଦ୍ଧ ଥମିବାର ନାଁ ନେଉନଥିବା ବେଳେ ବଢିଚାଲିଛି ସାଧାରଣ ଲୋକଙ୍କ ଦୁର୍ଦ୍ଦଶା । ମାଟି ତଳ ବଙ୍କରରେ ହଜାର ହଜାର ଲୋକ ଅତି ଦୟନୀୟ ସ୍ଥିତିରେ ଜୀବନ ବିତାଉଛନ୍ତି । ସେହିପରି ଏଯାଏଁ ୩୩ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ ଛାଡି ପଡୋଶୀ ଦେଶରେ ଆଶ୍ରୟ ନେଇଛନ୍ତି । ସେହିପରି ଯୁଦ୍ଧ ଆରମ୍ଭ ଦିନଠାରୁ ୧୧୫ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୦ ଜଣ ଆହତ ହୋଇଥିବା ୟୁକ୍ରେନ ପାର୍ଲାମେଣ୍ଟ କହିଛି । ତେବେ ଲୋକଙ୍କ ଦୁର୍ଦ୍ଦଶା ଓ ଦୁଃଖକଷ୍ଟ ମୃତ୍ୟୁଠାରୁ ବି ବଳିଯାଇଛି ।