• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୧ ଦିନର ଘମାଘୋଟ ଯୁଦ୍ଧ ପରେ ବି, ଋଷୀୟ ସେନା ପାଇଁ ଅପହଞ୍ଚ ୟୁକ୍ରେନ୍ ରାଜଧାନୀ କିଭ୍ । ରାଜଧାନୀ ଦଖଲ ପୂର୍ବରୁ ପାଓ୍ୱାର୍ ପ୍ଲାଣ୍ଟ୍ ଓ ଏୟାର୍ ବେସ୍ ଉପରେ ଆକ୍ରମଣ ଜାରି ରଖିଛି ଋଷୀୟ ସେନା । ଋଷ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରି ଷ୍ଟାରୋକୋଷ୍ଟିଆଣ୍ଟିନିଭ୍ ମିଲିଟାରୀ ଏୟାର୍ ବେସ୍, S-300 ମିଜାଇଲ୍ ସିଷ୍ଟମ୍ ଏବଂ ୧୦ଟି ୟୁକ୍ରେନୀୟ ଲଢ଼ୁଆ ବିମାନ ଓ ହେଲିକପ୍ଟର ଧ୍ୱଂସ କରିଥିବା ବେଳେ, କିଭ୍ ଠାରୁ ଶହେ କିଲୋମିଟର ଦୂରରେ ଥିବା କାନିଭ୍ ହାଇଡ୍ରୋ ଇଲେକ୍ଟ୍ରିକ୍ ପାଓ୍ୱାର୍ ଷ୍ଟେସନ୍‌କୁ କବ୍‌ଜାରେ ନେବା ପାଇଁ ଆଗଭର ହୋଇଛି ।

ଅନ୍ୟପକ୍ଷରେ ୟୁକ୍ରେନ୍ ୧୧ ଦିନରେ ୧୧ ହଜାର ଋଷୀୟ ସୈନ୍ୟଙ୍କୁ ମାରିଥିବା ଦାବି କରିଛି । ତେବେ ବର୍ତ୍ତମାନ ସ୍ଥିତିରେ ୟୁକ୍ରେନ୍ ପାଇଁ ଚ୍ୟାଲେଞ୍ଜ ହୋଇଛି ସାଧାରଣ ନାଗରିକଙ୍କୁ ଓ୍ୱାର୍‌ଜୋନ୍‌ରୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା । ବିଭିନ୍ନ ସମୟରେ ଯୁଦ୍ଧବିରତି ଘୋଷଣା କରି ଏହାକୁ ଜାରି ରଖିଛି ୟୁକ୍ରେନ୍ । ତେବେ ଇର୍ପିନ୍‌ରେ ଲୋକଙ୍କୁ ଉଦ୍ଧାର ବେଳେ ଋଷୀୟ ସେନା ଖୋଲାଖୋଲି ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି । ଓଡେଶା ଓ ବୁକାରେ ବି ଲଢ଼େଇ ଜାରି ରହିଛି । ୟୁକ୍ରେନ୍ ଓ ଋଷ ମଧ୍ୟରେ ବେଲାରୁସ ସୀମାରେ ଦୁଇ ଦୁଇଥର ବୈଠକ ବିଫଳ ହେବା ପରେ, ଆସନ୍ତାକାଲି ପୁଣି ଆଲୋଚନା ହେବ ।

ସେପଟେ ଧ୍ୱସ୍ତବିଧ୍ୱସ୍ତ ଚନବିଲ୍ ନ୍ୟୁକ୍ଲିୟର୍ ପାଓ୍ୱାର ପ୍ଲାଣ୍ଟରେ ଗୋପନରେ ୟୁକ୍ରେନ୍ ପ୍ଲୁଟୋନିୟମ୍ ଆଧାରିତ ପରମାଣୁ ଅସ୍ତ୍ର ତିଆରି କରୁଥିବା ଋଷୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏହାର ନାଁ ଡର୍ଟି ବମ୍ । ୟୁକ୍ରେନ୍‌ର ଦେଶ ମାନ୍ୟତା ଛଡ଼ାଇନେବାକୁ ଧମକ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି, ୟୁକ୍ରେନୀୟମାନେ ଏବେ ଯାହା କରୁଛନ୍ତି ତାହା ଯଦି ଆଗକୁ ବି ଜାରି ରହେ, ତେବେ ସେମାନେ ୟୁକ୍ରେନ୍ ଷ୍ଟେଟ୍‌ହୁଡ୍‌ର ଭବିଷ୍ୟତକୁ ଅନିଶ୍ଚିତତା ଭିତରକୁ ଠେଲି ଦେଉଛନ୍ତି । ଯଦି ତାହା ହୁଏ ତେବେ ସେମାନେ ହିଁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ରହିବେ ।

ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ସହ କଥା ହୋଇ ଅଧିକ ସୁରକ୍ଷା ଓ ଆର୍ଥିକ ସହାୟତା ପ୍ରଦାନ ଉପରେ ଜୋର୍ ଦେଇଛନ୍ତି । ତେଣେ ତୁର୍କୀ ରାଷ୍ଟ୍ରପତି ତାଇପ୍ ଏର୍ଡୋଗାନ୍ ଫୋନ୍ କରି ପୁଟିନଙ୍କ ସହ କଥା ହୋଇଥିବା ବେଳେ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବନେଟ୍ ନଫ୍ଟାଲି ମସ୍କୋରେ ପୁଟିନଙ୍କୁ ଦେଖା କରିବା ପରେ, ସେଠାରୁ ଫେରି ଜେଲେନ୍‌ସ୍କିଙ୍କ ସହ ମଧ୍ୟ କଥା ହୋଇଛନ୍ତି । ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ସେ ଆଗ୍ରହ ଦେଖାଇଥିବା କୁହାଯାଉଛି । ଏଣେ ଯୁଦ୍ଧ ବନ୍ଦ କରିବା ପାଇଁ ଋଷ ଉପରେ ଚାପ ପକାଇବାକୁ ଭାରତର ହସ୍ତକ୍ଷେପ ପାଇଁ ଅପିଲ୍ କରିଛନ୍ତି ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଓ ବ୍ରିଟେନ୍ ଉପପ୍ରଧାନମନ୍ତ୍ରୀ ।

ତେଣେ ଅନ୍ତିମ ପର୍ଯ୍ୟାୟରେ ଅପରେସନ୍ ଗଙ୍ଗା । ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରୁ ପ୍ରାୟ ୧୪ ହଜାର ଭାରତୀୟ ଏବେ ସୁଦ୍ଧା ଉଦ୍ଧାର ହୋଇସାରିଥିବା ବେଳେ, ବାକି ଯେଉଁମାନେ ରହିଯାଇଛନ୍ତି ସେମାନଙ୍କୁ ତୁରନ୍ତ ଗୁଗୁଲ୍ ଫର୍ମରେ ନିଜସ୍ୱ ବିବରଣୀ ପ୍ରଦାନ କରିବାକୁ ଟୁଇଟ୍ କରିଛି ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ । ଦେଶର ଅନ୍ୟସବୁ ପ୍ରାନ୍ତରୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ଖାରକିଭ୍ ଓ ସୁମି ସହରରେ ଏବେବି କିଛି ଭାରତୀୟ ଫସିରହିଥିବା ଆଶଙ୍କା କରାଯାଉଛି । ହଙ୍ଗେରିରେ ନିଜସ୍ୱ ବ୍ୟବସ୍ଥାରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ରାଜଧାନୀ ବୁଦାପେଷ୍ଟ ଆସିବାକୁ କହିଛି ବୁଦାପେଷ୍ଟରେ ଥିବା ଭାରତୀୟ ଦୂତାବାସ । ଏପଟେ ଅପରେସନ୍ ଗଙ୍ଗାରେ ହଜାର ହଜାର ଛାତ୍ରଛାତ୍ରୀ ସ୍ୱଦେଶ ଫେରିବା ପରେ, ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ଭାବବିହ୍ୱଳ ପରିବେଶ । ଗତ ୧୦ ଦିନରେ ୧୫ ଲକ୍ଷ ଲୋକ ୟୁକ୍ରେନ୍ ଛାଡ଼ି ଅନ୍ୟ ଦେଶରେ ଶରଣ ନେଇଥିବା ଜାତିସଂଘ ଆକଳନ କରିଛି ।