ତିନି ବର୍ଷ ହେଲା ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ। ଦୁଇ ରାଷ୍ଟ୍ରର ମୁଖ୍ୟ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲିମିଡର୍ ଜେଲେସ୍କି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କେବଳ ଯୁଦ୍ଧର ସ୍ୱପ୍ନ ହିଁ ଦେଖୁଛନ୍ତି। କେମିତି ନିଜ ନିଜ ସେନା ଜୀବନକୁ ବାଜି ଲଗାଇ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଯୁଦ୍ଧର ଶେଷକଥା ମୁଠାଏ ପାଉଁଶ;ଏକଥା ଦୁଇ ରାଷ୍ଟ୍ରର ମୁଖ୍ୟ ମଧ୍ୟ ବେଶ୍ ଭଲଭାବେ ବୁଝିସାରିଛନ୍ତି। ତଥାପି ନିଜର ପତିଆରା ବିଶ୍ବକୁ ଦେଖାଇବା ପାଇଁ ନିଜ ନିଜ ଜିଦ୍ରେ ଅଟଳ। ଆମେରିକା କଥାରେ ଭାସିଯାଇ ନାଟୋରେ ସାମିଲ୍ ହେବା ନେଇ ଯୋଜନା କରୁଥିବା ୟୁକ୍ରେନ୍ କିନ୍ତୁ ଏବେ ଲକ୍ଷ୍ୟପଥରୁ ବିଚ୍ୟୁତ ହେବା ନେଇ ଏକ ପ୍ରକାର ନିଶ୍ଚିତ କରିସାରିଥିଲେ ମଧ୍ୟ ଶକ୍ତିଶାଳୀ ରୁଷ ପାଖେ ପରାଜୟ ସ୍ବୀକାର କରିବା ନିଶ୍ଚିତ ରୂପେ ଏକ ଶକ୍ତ ଧକ୍କା ।
ନିଜର ଜିଦ୍ ଆଉ ଅହଂକାର ପାଇଁ କେହି ଯୁଦ୍ଧରୁ ବିରତ ରହୁନାହାନ୍ତି। ଫଳରେ ରୁଷ୍ ଆଜି ବି ୟୁକ୍ରେନ୍ ସହ ଯୁଦ୍ଧ ଜାରି ରଖିଛି। ରୁଷ୍ ଚାହେଁ ଆମେରିକା କିମ୍ବା ନାଟୋ ସହ କୌଣସି କୂଟନୈତିକ ସମ୍ପର୍କ ନ ରଖି ନିଜର ସ୍ୱାଧୀନତା ଏବଂ ସ୍ୱାଭିମାନ ବଜାୟ ରଖୁ ୟୁକ୍ରେନ୍। କିନ୍ତୁ ୟୁକ୍ରେନ୍ ଏହାର ଓଲଟା ଚାହୁଁଛି। ସେ ତାର ଆଧିପତ୍ୟ ଜାହିର କରିବାକୁ ଚାହେଁ। ଯେଉଁଥିପାଇଁ ଆଜିର ଏ ଘମାଘୋଟ୍ ଯୁଦ୍ଧ। ରୁଷ୍ର ସାମର୍ଥ୍ୟ ଦୃଷ୍ଟିକୋଣରୁ ୟୁକ୍ରେନ ବହୁତ ପଛରେ। ସ୍ବାର୍ଥ ହାସଲ ପାଇଁ କେହି କିଛି ବି କରିପାରେ। ଯେଉଁ ସ୍ବାର୍ଥକୁ ହାସଲ ପାଇଁ ରୁଷ ୟୁକ୍ରେନ୍ ବିରୋଧରେ କରୁଛି ଲଢ଼େଇ। ୩ ବର୍ଷ ହେଲା ଚାଲିଛି ଘମାଘୋଟ ଯୁଦ୍ଧ। କେହି କାହାରିକୁ ଛାଡ଼ିବାକୁ ରାଜି ନୁହେଁ।
ଅହରହ ଗୁଳି-କ୍ଷେପଣାସ୍ତ୍ର ମାଡ । ଆଉ ଏହାର ଶିକାର ହେଉଛନ୍ତି ନିରୀହ ଜନସାଧାରଣ। ଏହା ଦ୍ବାରା ଦୁଇ ରାଷ୍ଟ୍ରର ଅର୍ଥନୈତିକ ବିପର୍ଯ୍ୟୟ ଘଟୁଛି। ଦୁଇ ରାଷ୍ଟ୍ର ମଧ୍ୟରେ କେବେ ଥମିବ ଯୁଦ୍ଧ, ସେକଥା ସାଂପ୍ରତିକ ସ୍ଥିତିରେ ଆକଳନ କରିବା କଷ୍ଟସାଧ୍ୟ। ଯୁଦ୍ଧର ପ୍ରଭାବ ଖାଲି ରୁଷ୍ କି ୟୁକ୍ରେନକୁ କ୍ଷତି ଆଣିନି, ସମଗ୍ର ବିଶ୍ବବାସୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି ଓ ଆଗାମୀ ଦିନରେ ଆହୁରି ସାଂଘାତି ଭାବେ ପ୍ରଭାବିତ କରିବ। ଏକଥାକୁ ଦୁଇ ବିଜ୍ଞ ମୁଖିଆ ମଧ୍ୟ ବେଶ ଭଲଭାବେ ଜାଣି ବି କେହି କାହାରି ଅହଂକାର ଛାଡ଼ିବାକୁ ପ୍ରସ୍ତୁତ ନୁହେଁ।
ଅଧିକ ପଢ଼ନ୍ତୁ: Russia-Ukraine War: ଘନେଇଲା ପରମାଣୁ ଯୁଦ୍ଧ ଆଶଙ୍କା, ୟୁକ୍ରେନ୍ ଉପରେ ICBM ନିକ୍ଷେପ କଲା ରୁଷ୍ !
‘ୟୁକ୍ରେନ୍ ଶାନ୍ତି ଚାହେଁ’
ବିଶ୍ବର ଶକ୍ତିଶାଳୀ ସେନା ସହ ଏକା ଏକା ଯୁଦ୍ଧ ଲଢ଼ୁଛି ୟୁକ୍ରେନ୍। ଅବଶ୍ୟ ଏଥିପାଇଁ ଯୁକ୍ରେନ୍ର ଦମ୍ଭକୁ ସାବାସୀ ଦେବାକୁ ପଡ଼ିବ। ସଙ୍କଟ ସମୟରେ ୟୁକ୍ରେନ୍ ସାଥ ମାଗିଥିଲେ ମଧ୍ୟ କେହି ଆଗେଇ ଆସି ନ ଥିଲେ। ନିଜର ହକ୍ ପାଇଁ ନିଜକୁ ହିଁ ଲଢ଼ିବାକୁ ହେବ, ଏକଥାକୁ ମଧ୍ୟ ବେଶ୍ ଭଲଭାବେ ବୁଝିସାରିଛନ୍ତି ଯୁକ୍ରେନ୍ ମୁଖ୍ୟ। ୟୁକ୍ରେନ୍ର ରାଜଧାନୀ କିଭ୍ ଏବଂ ଖାରକିଭ୍ରେ ଧ୍ବଂସର ଲୀଳା ଦେଖିଛି ସାରାବିଶ୍ବ। ଏସବୁ ସତ୍ତ୍ବେ ବି ବିଶ୍ବର କୌଣସି ରାଷ୍ଟ୍ର ଆନ୍ତରିକ ସହାୟତା ପ୍ରଦାନ କରିନାହାନ୍ତି। ରୁଷ ହୁଏତ ୟୁକ୍ରେନ୍ ସହିତ ଯୁଦ୍ଧରେ ବାଜିମାତ୍ ମାରିପାରେ। କିନ୍ତୁ ଏହି ଯୁଦ୍ଧ ଦ୍ବାରା ରୁଷର କ୍ଷତି ହୋଇନି, ସେକଥା ନୁହେଁ। ୟୁକ୍ରେନ୍ ଠାରୁ ଅଧିକ କ୍ଷତି ସହିବ ରୁଷ। ଏସବୁ ସତ୍ତ୍ବେ ବି ନିଜ ଜିଦ୍ରେ ଅଟଳ ରୁଷ୍।
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପାଖାପାଖି ୩ ବର୍ଷ ହେଲା ଲାଗି ରହିଛି। ଏଥିରେ ୟୁକ୍ରେନ୍ର ୪୩,୦୦୦ ସୈନ୍ୟ ନିହତ ହେଲେଣି। ରୁଷିୟା ଶକ୍ତିଶାଳୀ ଥିବାରୁ ରୁଷିଆ ନିକଟ ଭବିଷ୍ୟତରେ ଧ୍ୱଂସ ହେବାର ନାହିଁ। ସେଥିପାଇଁ କିଭ୍ ସ୍ଥାୟୀ ଶାନ୍ତି ଚାହେଁ ବୋଲି ରବିବାର ପ୍ୟାରିସ୍ରେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଭେଟିଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସ୍କି କହିଛନ୍ତି। ଏକ ଚୁକ୍ତିନାମା ପାଇଁ ଜେଲେନ୍ସ୍କି ଆଗ୍ରହୀ ବୋଲି ପୂର୍ବରୁ ଟ୍ରମ୍ପ୍ କହିବା ସହ ବୁଝାମଣା ଆରମ୍ଭ କରିବାକୁ ଆହ୍ବାନ ଦେଇଥିଲେ। ଏକ ସୋସିଆଲ ମିଡିଆରେ ଜେଲେନ୍ସ୍କି ଲେଖିଛନ୍ତି, ୩ ବର୍ଷର ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିବା ସହ ବହୁ ଲକ୍ଷ ଜନସାଧାରଣ ଦେଶ ଛାଡ଼ି ପଳାଇଲେଣି। ରୁଷିଆ ଆମ ଦେଶକୁ ଯୁଦ୍ଧ ଆଣିଥିଲା। ଏହା ଶାନ୍ତି ସମ୍ଭାବନାକୁ ଭଣ୍ଡୁର କରିବାକୁ ଚାହୁଁଥିବା ଜେଲେନ୍ସ୍କି କହିଛନ୍ତି।
ଯୁଦ୍ଧ ପାଇଁ ଅଶୋଧିତ ତୈଳ ଦର ବଢ଼ୁଛି
ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧ ସ୍ଥିତି ସୃଷ୍ଟି ହୋଇଛି। ପ୍ରଥମ ଥର ପାଇଁ ଉଭୟ ଦେଶ ପରସ୍ପର ବିରୋଧରେ ମୁହାଁମୁହିଁ ହୋଇଛନ୍ତି। ରୁଷିଆ-ୟୁକ୍ରେନ୍ ଯୂଦ୍ଧ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ବିଶ୍ବକୁ ଏବେ ପର୍ଯ୍ୟନ୍ତ ଆତଙ୍କିତ କରି ରଖିଛି। ଏପରିସ୍ଥଳେ ଇରାନ୍ ଏବଂ ଇସ୍ରାଏଲ୍ ଯୁଦ୍ଧ ଭାରତ ଉପରେ ମଧ୍ୟ ପ୍ରଭାବ ପକାଇବାକୁ ଯାଉଛି। ଏହା ଦ୍ବାରା ଅଶୋଧିତ ତୈଳ ଦର ବୃଦ୍ଧି ପାଇବାର ଆଶଙ୍କା ରହିଛି। ଭାରତ ପୃଥିବୀର ତୃତୀୟ ସର୍ବବୃହତ ଅଶୋଧିତ ତୈଳ ଆମଦାନୀକାରୀ। ଭାରତ ନିଜର ଆବଶ୍ୟକତାର ୮୫ ପ୍ରତିଶତରୁ ଅଧିକ ଅଶୋଧିତ ତୈଳ ଆମଦାନୀ କରିଥାଏ। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହେଲେ ଭାରତର ଅର୍ଥ ବ୍ୟବସ୍ଥା ଗୁରୁତରଭାବେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ଏପରି ହେଲେ ଭାରତର ବାଣିଜ୍ୟ ସନ୍ତୁଳନ, ବିଦେଶୀ ମୁଦ୍ରା ଭଣ୍ଡାର ଏବଂ ଟଙ୍କାର ମୂଲ୍ୟ ମଧ୍ୟ ପ୍ରଭାବିତ ହେବ।
ୟୁକ୍ରେନ୍କୁ ସମ୍ପୂର୍ଣ୍ଣ ଧ୍ବଂସ ଲକ୍ଷ୍ୟରେ ରୁଷିଆ
ୟୁକ୍ରେନୀୟ ତୈଳ ଓ ଶକ୍ତି ଉତ୍ସଗୁଡ଼ିକ ଉପରେ ରୁଷିଆ ଜଳ, ସ୍ଥଳ ଓ ଆକାଶମାର୍ଗରୁ ୭୮ ମିଶାଇଲ୍ ଛାଡ଼ିଛି। ଏତିକି ନୁହେଁ, ୧୦୬ ଡ୍ରୋନ୍ ଆକ୍ରମଣ ମଧ୍ୟ କରିଥିବା ୟୁକ୍ରେନୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସେଥିରୁ ୫୯ ମିଶାଇଲ ଓ ୫୪ ଡ୍ରୋନ୍କୁ ୟୁକ୍ରେନ୍ ଖସାଇ ଦେଇଥିବା କିଭ୍ ପକ୍ଷରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ଖସିପଡ଼ିଥିବା ଏକ ଡ୍ରୋନ୍ ଯୋଗୁ ରୁଷିଆର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ୟୁକ୍ରେନ୍ ବହିର୍ବ୍ୟାପାର ମନ୍ତ୍ରୀ ଆଣ୍ଡ୍ରି ସିବିହା କହିଛନ୍ତି, ରୁଷିଆର ଏକ ମିଶାଇଲ୍ ମୋଲଡୋଭାନ୍ ଓ ରୋମାନୀୟ ବାୟୁସୀମା ଦେଇ ଗତି କରିଛି। ପୁଟିନ୍ ଜାଣିଶୁଣି ଆକ୍ରମଣ ପାଇଁ କ୍ରିସ୍ମାସକୁ ବାଛିଛନ୍ତି। ଏହାଠୁ ବଳି ଅମାନବୀୟ କାର୍ଯ୍ୟ କ’ଣ ହୋଇପାରେ ବୋଲି ଜେଲେନ୍ସ୍କି ପ୍ରଶ୍ନ କରିଛନ୍ତି।
୨୦୨୨ ଫେବୃଆରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରଠୁ ରୁଷିଆର ମୋଟ ୬ ଲକ୍ଷରୁ ଊର୍ଦ୍ଧ୍ୱ ମୃତାହତ ହୋଇଥିବାବେଳେ ୟୁକ୍ରେନ୍ର ୮୦ ହଜାର ସୈନ୍ୟ ନିହତ ଓ ୪ ଲକ୍ଷ ଆହତ ହୋଇଛନ୍ତି। ଆଉ କେତେଜଣ ପର୍ଯ୍ୟବେକ୍ଷକଙ୍କ ମତରେ ଉଭୟ ରୁଷିଆ ଓ ୟୁକ୍ରେନ୍ର ମୃତାହତଙ୍କ ସଂଖ୍ୟା ଅଧିକ ହୋଇପାରେ। ରୁଷ୍ର ପାଖାପାଖି ୭.୮୦ ଲକ୍ଷ ସୈନିକ ହତାହତ ହୋଇ ସାରିଛନ୍ତି, ୩୦୦୦ରୁ ଅଧିକ ଟ୍ୟାଙ୍କର ଧ୍ୱଂସ ହୋଇ ସାରିଛି। ଖୁବ୍ କ୍ଷତି ସତ୍ତ୍ୱେ ରୁଷ୍ ୟୁକ୍ରେନ ଉପରେ ଜୋରଦାର ହମଲା କରୁଛି ଏବଂ ସେ ପୂରା ଶକ୍ତିକୁ ଏହି ଯୁଦ୍ଧରେ ଲଗେଇ ଦେଇଛି। ୟୁକ୍ରେନ ଦାବି କରିଛି ଯେ, ରୁଷ୍ର ଏହି ଯୁଦ୍ଧରେ ୩ ବିଲିୟନ ଡଲାରର ହତିଆର କ୍ଷତି ହୋଇଛି। ଏସବୁ କ୍ଷତିର ଭରଣା ପାଇଁ ରୁଷ୍ ଗୋଟେ ପଟେ ସେନା ଉପରେ ମୋଟ ସରକାରୀ ଖର୍ଚ୍ଚକୁ ବଢାଇ ୪୦ ପ୍ରତିଶତ ଯାଏ କରି ଦେଇଛି ଏବଂ ଅନ୍ୟପଟେ ପୁଟିନ୍ ୩ଟି ବ୍ରହ୍ମାସ୍ତ୍ରକୁ ବାହାର କରି ନେଇଛି। ଏଥିରେ ୩ଟି ମିସାଇଲ ରହିଛି।
ଅହଂକାର ନୁହେଁ, ଶାନ୍ତି ପାଇଁ ସମାଧାନ ଜରୁରୀ
କୌଣସି ରାଷ୍ଟ୍ରକୁ ପରମାଣୁ ଧମକ ଦେଇ ଅଧିକାର ଜାହିର କରାଯାଏନାହିଁ। ହୁଏତ ଭୟରେ ୟୁକ୍ରେନ ସବୁକିଛି ସର୍ତ୍ତକୁ ମାନିନେବ। କିନ୍ତୁ ସମଗ୍ର ବିଶ୍ବ ଏହାକୁ ନେଇ ଚିନ୍ତିତ ଥିବାବେଳେ ଏ ଦୁଇ ରାଷ୍ଟ୍ର ମୁଖ୍ୟ କିନ୍ତୁ ଆଦୌ ବିଚଳିତ ନ ଥିବା ପରି ମନେ ହେଉଛି। ଯୁଦ୍ଧ ପୃଥିବୀ ଇତିହାସରେ ନୂଆ ନୁହେଁ। ଅତୀତରେ ଚାଇନା- ଭାରତ ମଧ୍ୟରେ ଯୁଦ୍ଧ ଲାଗିଥିଲା। ୧୯୬୨ ମସିହାରେ ସେଇ ଭୟଙ୍କର ଯୁଦ୍ଧର ଦୃଶ୍ୟ ଏବେ ବି ମନେ ପଡ଼ିଲେ ଛାତି ଥରାଇଦିଏ। ବିଶ୍ୱର କୌଣସି ଦୁଇ ରାଷ୍ଟ୍ର ମଧ୍ୟରେ ଦୀର୍ଘଦିନ ଧରି ଯୁଦ୍ଧ ଲାଗିରହିଲେ ଏହାର ପରିଣାମ ଖାଲି ଦୁଇ ରାଷ୍ଟ୍ର ନୁହେଁ, ସମଗ୍ର ବିଶ୍ବବାସୀ ହିଁ ଭୋଗନ୍ତି। ୟୁକ୍ରେନ୍ ରୁଷର ଫାଇଟର୍ ଜେଟ୍, ଅନେକ ହେଲିକପ୍ଟର, ଟ୍ୟାଙ୍କ ଆଉ ଶତାଧିକ ଏଏଫଭି ଧ୍ବଂସ କରିସାରିଲାଣି । ରୁଷର କ୍ଷେପଣାସ୍ତ୍ର, ବୋମା ମାଡ଼ରେ ଥରହର ୟୁକ୍ରେନ୍। ଏମିତି କି ୟୁକ୍ରେନର ଏକାଧିକ ସହର ଏବେ ପାଉଁଶଗଦାରେ ଶୋଇଛି।
ଦୁଇ ରାଷ୍ଟ୍ର ମଧ୍ୟରେ ଏହା ଭିତରେ ଏକାଧିକ ଥର ଆଲୋଚନା ହୋଇଥିଲେ ମଧ୍ୟ ବିଫଳ ହୋଇଛି। ନିଷ୍କର୍ସ ନବାହାରିବା ପର୍ଯ୍ୟନ୍ତ ରୁଷ ଏମିତି ଆକ୍ରମଣ ଜାରି ରଖିବ ବୋଲି ଦମ୍ଭୋକ୍ତି କରୁଛି। ସାମାଜିକ, ଭୌଗୋଳିକ, ଆର୍ଥିକ ଓ ପ୍ରତିରକ୍ଷା ଭିତ୍ତିଭୂମିକୁ ଆଧାର କରି ରୁଷିଆ ଏବେ ୟୁକ୍ରେନ୍ ଠାରୁ ଅନେକ ଆଗରେ। ଯେଉଁଥିପାଇଁ ୟୁକ୍ରେନ୍ର ନରମ ଆଭିମୁଖ୍ୟ ସତ୍ତ୍ବେ ବି ନିଜର ସ୍ବାର୍ଥ ହାସଲ ନ ହେଲେ ଯୁଦ୍ଧରୁ ବିରତ ରହିବାକୁ ନାରାଜ। ସେପଟେ ୟୁକ୍ରେନ୍ରେ ଯାହା ବି କ୍ଷତି ହେଉଛି, ରୁଷ ହିଁ ସବୁ କ୍ଷତି ଭରଣା କରିବ ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେସ୍କି ।
ତେବେ ଯେ ଯାହା ହେଉନା କାହିଁକି, ଯୁଦ୍ଧର ଶେଷକଥା ଧ୍ବଂସ ବ୍ୟତୀତ ଆଉ କିଛି ନୁହେଁ। ଯୁଦ୍ଧର ପ୍ରଭାବ ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପଡ଼ିଲାଣି। ତେଣୁ ଅହଂକାରକୁ ଛାଡ଼ି ଦୁଇ ରାଷ୍ଟ୍ର ଯୁଦ୍ଧରୁ ଓହରି ସମସ୍ୟାର ସମାଧାନ ଖୋଜିବା ସମଗ୍ର ବିଶ୍ବପାଇଁ ମଙ୍ଗଳମୟ ହେବ।
Email id : : serveforthenation@gmail.com