• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଛାରଖାର୍ ଖାର୍କିଭ୍ । ବୋମାବର୍ଷା ପରେ ଭସ୍ମୀଭୂତ କୋଠା, ଖିନ୍‌ଭିନ୍ ଜନବସତି । ଏଣେ ତେଣେ ବିଛାଡ଼ି ହୋଇପଡ଼ିଛି ନିରୀହ ଜନତାଙ୍କ ଗଣ୍ଡା ଗଣ୍ଡା ମୃତଦେହ । ଚାରିଆଡ଼େ ହାହାକାର ସ୍ଥିତି । କେବଳ ୟୁକ୍ରେନୀୟ ସେନାକୁ ନୁହେଁ, ସାଧାରଣ ଲୋକ ରହୁଥିବା ବିଲ୍ଡିଂ ଓ ଆପାର୍ଟମେଣ୍ଟ ଗୁଡ଼ିକୁ ବି ଟାର୍ଗେଟ୍ କରୁଛି ଋଷ । ଇଏ ସେଇସବୁ ମର୍ମାହତ କଲାଭଳି ଦୃଶ୍ୟ । ଯୁଦ୍ଧରେ ସାଧାରଣ ଲୋକଙ୍କୁ ନିଶାନା କରିବା ନିଷିଦ୍ଧ । ହେଲେ ଗତ ୬ ଦିନ ଭିତରେ ୟୁକ୍ରେନ୍‌ର ଗୋଟିଏ ବି ସହର କବ୍‌ଜା କରିବାରେ ବିଫଳ ହେବାରୁ, ରକ୍ତ ଚାଉଳ ଚୋବାଉଥିବା ଋଷ ।

ରାଜଧାନୀ କିଭ୍ ପୂର୍ବରୁ, ଦେଶର ଦ୍ୱିତୀୟ ପ୍ରମୁଖ ସହର ଖାର୍କିଭ୍‌କୁ ଧ୍ୱଂସସ୍ତୁପରେ ପରିଣତ କରିବାକୁ ପଦକ୍ଷେପ ନେଇଛି ଋଷ । ଋଷୀୟ ପାରାଚ୍ୟୁଟ୍‌ରୁ ଆକାଶରୁ ଓହ୍ଲାଇ ସହରର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛନ୍ତି ସୈନିକ । ଗତକାଲି ଖାର୍କିଭ୍‌ର ସେଣ୍ଟ୍ରାଲ୍ ସ୍କୋୟାର୍ ଓ ଆଞ୍ଚଳିକ ପ୍ରଶାସନ କୋଠା ଉଡ଼ାଇଥିଲେ ଆଉ ଆଜି ଉଡ଼ାଇଛନ୍ତି ପୋଲିସ ମୁଖ୍ୟାଳୟ ଓ ମିଲିଟାରୀ ଏକାଡେମୀ । କେବଳ ଖାର୍କିଭରେ ୨୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୨ ଜଣ ଆହତ ହୋଇଛନ୍ତି । କିଭ୍‌ରେ ମୁଖ୍ୟ ଟିଭି ଟାଓ୍ୱାରକୁ ଉଡ଼ାଇବା ବେଳେ ୫ ଜଣଙ୍କ ଜୀବନ ଯାଇଛି । ତେବେ ରୁଷ କହିଛି, ଏହିସବୁ ସ୍ଥାନକୁ ଟାର୍ଗେଟ୍ କରାଯିବ ବୋଲି ପୂର୍ବରୁ ଲୋକଙ୍କୁ ସତର୍କ କରାଯାଇଥିଲା ।

ଖାଲି କିଭ୍ ଓ ଖାର୍କିଭ୍ କାହିଁକି, ଅନ୍ୟ ବିଭିନ୍ନ ସହରରେ ବି ଜନବସତି ଉପରେ ଆକାଶରୁ ନିଆଁ ଖସୁଛି । କିଭ୍ ପଶ୍ଚିମକୁ ଥିବା ଝାଇତୋମିର୍‌ର ଏକ ମାଟର୍ନିଟି ହୋମରେ ମିସାଇଲ୍ ଆଟାକ୍ ପରେ, ଏହା ଗଣହତ୍ୟା ନୁହେଁ ତ ଆଉ କଣ ବୋଲି ପଚାରିଛି ୟୁକ୍ରେନ୍ । ଦକ୍ଷିଣରେ ବନ୍ଦର ନଗରୀ ଖେର୍ସନ୍ ଓ ମାରିଉପୋଲ୍‌କୁ ବି ଆକ୍ରମଣ କରି କବ୍‌ଜାକୁ ନେଇଛନ୍ତି ଋଷୀୟ ସେନା ହେଲେ କିଭ୍ ଭିତରକୁ ପଶିପାରି ନାହାନ୍ତି ।

୬ ଦିନର ଯୁଦ୍ଧରେ ୬ ହଜାର ରୁଷ ସୈନ୍ୟ ପ୍ରାଣ ହରାଇଛନ୍ତି ବୋଲି ୟୁକ୍ରେନ ପକ୍ଷରୁ କୁହାଯାଇଛି । ନାଜିବାଦର ପୁନର୍ଜନ୍ମ ହୋଇଛି ବୋଲି କହି ୟୁକ୍ରେନ୍ ରାଷ୍ଟ୍ରପତି ଇହୁଦିମାନଙ୍କୁ ସ୍ୱର ଉତ୍ତୋଳନ ପାଇଁ ଅପିଲ୍ କରିବା ସହ ଆମେରିକାକୁ ବି ଯଥାଶୀଘ୍ର ଆକ୍ରମଣକାରୀକୁ ରୋକିବା ଦରକାର ବୋଲି ଆହ୍ୱାନ ଦେଇଛନ୍ତି । ଅନ୍ୟପକ୍ଷରେ ଋଷ ଆଣବିକ ହମ୍‌ଲାର ଧମକ ଦେଇଛି । ଋଷ ବୈଦେଶିକ ମନ୍ତ୍ରୀ କହିଛନ୍ତି, ତୃତୀୟ ବିଶ୍ୱଯୁଦ୍ଧ ହେଲେ, ସେଥିରେ ପରମାଣୁ ଅସ୍ତ୍ର ସାମିଲ ହେବ ଓ ତାହା ବିନାଶକାରୀ ହେବ ।

ଏଣେ ବେଲାରୁସ ସୀମାରେ ଆଜି ୟୁକ୍ରେନ୍ ଓ ଋଷିଆ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ହେବାର କାର୍ଯ୍ୟକ୍ରମ ଥିବା ବେଳେ, ସେପଟେ ପୁଟିନ ସରକାର ଭିକ୍ଟର ୟାନୁକୋଭିଚ୍‌ଙ୍କୁ ୟୁକ୍ରେନ୍‌ର ନୂଆ ରାଷ୍ଟ୍ରପତି କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ଭିକ୍ଟର ୟାନୁକୋଭିଚ୍ ୟୁକ୍ରେନ୍‌ର ପୂର୍ବତନ ରାଷ୍ଟ୍ରପତି ଏବଂ ୨୦୧୪ରେ ସେ ଦେଶଛାଡ଼ି ଋଷକୁ ପଳାୟନ କରିଥିଲେ । ଏଭିତରେ ସୂଚନା ମିଳିଛି ଯେ, ଋଷ ୟୁକ୍ରେନ୍‌ରେ ଗଣହତ୍ୟା ଯୋଜନା କରୁଛି ବୋଲି ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ହୋଇଥିବା ମାମଲାର ଆସନ୍ତା ୭ ଓ ୮ ତାରିଖରେ ଶୁଣାଣି କରିବ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ।