• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୩୭ ହଜାର ଫୁଟ୍‌ ଉଚ୍ଚରେ ଥିଲା ଏୟାରକ୍ରାଫ୍ଟ । ଆଉ ଏହି ସମୟରେ ଶୋଇପଡ଼ିଥିଲେ ଦୁଇ ପାଇଲଟ । ଏୟାରକ୍ରାଫ୍ଟ ଚାଲିଥିଲା ଅଟୋ ପାଇଲଟ ମୋଡ୍‌ରେ । ଅଚାନକ ନିଦ ଭାଙ୍ଗିଲା ବେଳକୁ ଏୟାରକ୍ରାଫ୍ଟ ପହଞ୍ଚିସାରିଥିଲା ରନ୍‌ୱେ ନିକଟରେ । ଆଉ ବନ୍ଦ ହୋଇଯାଇଥିଲା ଅଟୋ ପାଇଲଟ୍ ମୋଡ୍ । ହେଲେ ତଥାପି ସୁରକ୍ଷିତ ଲ୍ୟାଣ୍ଡ କଲା ଏୟାରକ୍ରାଫ୍ଟ । ଆଉ ଏଭଳି ସ୍ଥିତିରେ ସୁରକ୍ଷିତ ଲ୍ୟାଣ୍ଡ କରିବାରେ ସଫଳ ହୋଇଥିଲେ ପାଇଲଟ୍ । ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ବହୁମୂଲ୍ୟ ଜୀବନ ବଞ୍ଚାଇପାରିଲେ ପାଇଲଟ୍ । ତେବେ ଯାହା ବି ହେଉ, ଯଦି କିଛି ବି ଅଘଟଣ ଘଟିଥାନ୍ତା ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ରହିଥାନ୍ତେ ଉଭୟ ପାଇଲଟ୍ ।

ସୁଡାନ୍‌ରୁ ଇଥୋପିଆ ଯାଉଥିବା ଇଥୋପିଆନ୍‌ ଏୟାରଲାଇନ୍‌ସର ଫ୍ଲାଇଟ୍‌ ET-343 ବୋଇଂ 737ରେ ଏହି ଅଘଟଣ ଘଟିଥିଲା । ସମୁଦ୍ର ପତ୍ତନଠାରୁ ୩୭୦୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିବା ବେଳେ ଏହି ଫ୍ଲାଇଟ୍‌ର ଦୁଇ ଜଣ ଯାକ ପାଇଲଟ୍‌ ଶୋଇପଡ଼ିଥିଲେ । ଗତ ଅଗଷ୍ଟ ୧୫ ତାରିଖ ଦିନ ଏହି ଘଟଣା ଘଟିଥିଲା ।

ଏହି ଫ୍ଲାଇଟ୍‌ ଆଡିସ ଆବାବା ଏୟାରପୋର୍ଟରେ ଲାଣ୍ଡିଂ କରିବାର ଥିଲା । କିନ୍ତୁ ସଠିକ୍‌ ସମୟରେ ପାଇଲଟଙ୍କ ସହ ଯୋଗାଯୋଗ ହୋଇପାରିନଥିଲା । ଯେଉଁ ରୁଟ୍‌ରେ ଫେରିବା କଥା ସେହି ରୁଟ୍‌ରେ ନଫେରି ଆଗକୁ ଆଗକୁ ବଢ଼ିବାରେ ଲାଗିଥିଲା । ଏମିତିକି ଫ୍ଲାଇଟ୍‌ ମ୍ୟାନେଜ୍‌ମେଣ୍ଟ କମ୍ପ୍ୟୁଟର ଦ୍ୱାରା ନିର୍ଦ୍ଧାରଣ କରାଯାଉଥିବା ରୂଟ୍‌ରେ ତାହା ଚାଲୁଥିଲା । କିନ୍ତୁ ତଳକୁ ଆସୁନଥିଲା ଫ୍ଲାଇଟ୍ । କାରଣ ଏହି ସମୟରେ ଫ୍ଲାଇଟ୍‌ ଟି ଅଟୋ ପାଇଲଟ୍‌ ମୋଡ୍‌ରେ ରହିଥିଲା ।

ତେବେ ଏହି ସମୟରେ ଏଭଳି ପରିସ୍ଥିତିରେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର ପକ୍ଷରୁ ଉଭୟ ପାଇଲଟ୍‌ଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲା । କିନ୍ତୁ ପାଇଲଟଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା । ଯେତେବେଳେ ଅଟୋ ପାଇଲଟ୍‌ ମୋଡ୍‌ ବନ୍ଦ ହୋଇଥିଲା ଏବଂ ଫ୍ଲାଇଟ୍‌ ରନ୍‌ୱେ ପାଖାପାଖି ଆସିଥିଲା ସେତେବେଳେ ଏକ ଆଲାରାମ ବାଜିଥିଲା । ଆଉ ସେହି ଆଲାରାମ ଶବ୍ଦରେ ଉଭୟ ପାଇଲଟ୍‌ଙ୍କ ନିଦ ଭାଙ୍ଗିଥିଲା ।

ହଠାତ ପାଇଲଟ୍‌ ହଡ଼ବଡ଼େଇ ଯାଇଥିଲେ । କିନ୍ତୁ ପରେ ନିଜର ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ଫ୍ଲାଇଟ୍‌କୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ । ଅଧିକ ୨୫ ମିନିଟ ଧରି ରନ୍‌ୱେ ଉପରେ ଫ୍ଲାଇଟ୍‌ ଉଡ଼ାଇବା ପରେ ସୁରକ୍ଷିତ ଲାଣ୍ଡିଂ କରିବାରେ ସଫଳ ହୋଇଥିଲେ ପାଇଲଟ । ଏଥିରେ କାହାର କିଛି କ୍ଷତି ହୋଇନାହିଁ । ଏନେଇ ହେରାଲ୍ଡ ଆଭିଏସନ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ତେବେ ଘଟଣା ଯାହା ହେଉ ନା କାହିଁକି, ପାଇଲଟଙ୍କ ଅବହେଳା ଯୋଗୁଁ ଏଭଳି ବିପଦର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତେଟଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆରମ୍ଭ ହୋଇଛି ତଦନ୍ତ । ତଦନ୍ତ ରିପୋର୍ଟ ଆସିବା ପରେ ପୁରା ଘଟଣାର ପର୍ଦ୍ଦାଫାସ୍‌ ହେବ । ଭବିଷ୍ୟତରେ ଯେଭଳି କୌଣସି ପାଇଲଟ ଏଭଳି ଭୁଲ କରିବା ପାଇଁ ସାହାସ ନକରିବେ, ସେଥିପ୍ରତି ଯତ୍ନବାନ ହେବାକୁ ପଡ଼ିବ ବୋଲି ହେରାଲ୍ଡ ଏଭିଏସନ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଏହି ଫ୍ଲାଇଟ୍‌ ଲାଣ୍ଡ କରିବା ପରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଗ୍ରାଉଣ୍ଡରେ ବିଶ୍ରମ ନେଇଥିଲା ।