/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753943582.jpg)
Donald Trump Again Slams India
ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇବା ପରେ ନୂଆଦିଲ୍ଲୀକୁ ଛିଗୁଲାଇଲେ ଟ୍ରମ୍ପ । ପାକିସ୍ତାନ ସହ ଅଏଲ ପାର୍ଟନରସିପ୍ ଡିଲ୍ ଘୋଷଣା କରିବା ପରେ କହିଛନ୍ତି ଏମିତି ଦିନ ଆସିବ ପାକିସ୍ତାନ ଦିନେ ଭାରତକୁ ତେଲ ବିକ୍ରି କରିବ । ଇସଲାମାବାଦରେ ପେଟ୍ରୋଲ ଗଚ୍ଛିତ ନେଇ ଦୁଇ ଦେଶ ମଧ୍ୟରେ ଡିଲ ହୋଇଥିବା ସେ ସୂଚନା ଦେଇଛନ୍ତି ।
ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗୁ କରିବାର କିଛି ଘଣ୍ଟା ଭିତରେ ଟ୍ରମ୍ପଙ୍କ ଏଭଳି ଘୋଷଣା ଭାରତକୁ ଛିଗୁଲାଇବା ସଦୃଶ ହୋଇଛି । ତୈଳ ଚୁକ୍ତି ପାଇଁ ଏବେ ପାକିସ୍ତାନ ଓ ଆମେରିକା ଅଏଲ କଂପାନି ଚୟନ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଟ୍ରମ୍ପ । ଏହାସହ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସେ ଘୋଷଣା କରିଛନ୍ତି । ଭାରତ ବିରୋଧରେ ଆତଙ୍କବାଦ କାର୍ଯ୍ୟ ଚଳାଇଥିବା ଓ ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନ ପ୍ରତି ଆମେରିକାର ଏଭଳି ମନୋଭାବକୁ ନେଇ ଚର୍ଚ୍ଚା ଜୋରଧରିଛି ।
ଏପଟେ ଭାରତର ସ୍ବାର୍ଥ ରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯିବ । ଆମେରିକା ରାଷ୍ଟ୍ରପତି ଭାରତ ଉପରେ ୨୫ ପ୍ରତିଶତ ଟ୍ରେଡ୍ ଟାରିଫ ଘୋଷଣା କରିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପ୍ରତିକ୍ରିୟା ମିଳିଛି । ଦେଶର ସ୍ବାର୍ଥ ରକ୍ଷା ପାଇଁ ଯାହା ଆବଶ୍ୟକ ସେନେଇ ପଦକ୍ଷେପ ନେବାକୁ ବିଚାର ବିମର୍ଶ ଚାଲିଥିବା ସୂଚନା ମିଳିଛି । ତେବେ ଆମେରିକା ସହ ଟ୍ରେଡ ଡିଲ ନେଇ ଆଲୋଚନା ଚାଲିଥିବା ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଦେଶ ଭିତରେ ବାଣିଜ୍ୟ ଚୁକ୍ତି ଯେଭଳି ସଠିକ ହେବ ସେନେଇ ଆଲୋଚନା ଚାଲିଥିବା ସୂଚନା ମିଳିଛି । ଅନ୍ୟପଟେ ୨୫ ପ୍ରତିଶତ ଟାରିଫ ଘୋଷଣା ପରେ ଟ୍ରମ୍ପ କହିଛନ୍ତି ଏବେ ବି ଭାରତ ସହ ଟ୍ରେଡ ଡିଲ ନେଇ ଆଲୋଚନା ଜାରି ରହିଛି । ଆମେରିକାର ୨୫ ପ୍ରତିଶତ ଟାରିଫ ଯୋଗୁ ଭାରତର ରପ୍ତାନୀ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହେବ । ବିଶେଷ କରି MSME, କୃଷି, ନିର୍ମାଣ ଉଦ୍ୟୋଗ ପ୍ରଭାବିତ ହେବା ସଂଭାବନା ରହିଛି ।
ଅନ୍ୟପଟେ ଇରାନ ସହ ବାଣିଜ୍ୟ କରିବା ଅଭିଯୋଗରେ ୨୦ଟି କଂପାନି ଉପରେ କଟକଣା ଲଗାଇଛି ଆମେରିକା । ଏହି ୨୦ କଂପାନି ଭିତରେ ରହିଛି ଭାରତର ୬ କଂପାନି। ଆମେରିକାର କଣକଣା ସତ୍ତ୍ବେ ଇରାନ ସହ ପେଟ୍ରୋଲିୟମ ସାମଗ୍ରୀ କାରବାରରେ ଭାରତର ୬ କଂପାନି ସଂପୃକ୍ତ ଥିବା କହି ଆମେରିକା କଟକଣା ଲଗାଇଛି ।