• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆତଙ୍କୀଙ୍କୁ ପ୍ରଶ୍ରୟ ଦେଇ ନିଜେ ମଜା ଚାଖୁଛି ପାକିସ୍ତାନ। ହେଲେ ଖୋଇ ଛାଡ଼ୁନି । ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ପାକିସ୍ତାନକୁ ଦେଇଥିବା ଚେତାବନୀ ସତ ପ୍ରମାଣିତ ହୋଇଛି । ରବିବାର ରାତିରେ ପାକ୍ ମାଟିରେ ଆତଙ୍କବାଦୀ ଭିଆଇଛନ୍ତି ବର୍ବର କାଣ୍ଡ । ପାକିସ୍ତାନରେ ଏକ ଥାନା ଉପରେ ଆକ୍ରମଣ ଯୋଗୁ ୪ ପୋଲିସ କର୍ମଚାରୀ ନିହତ ହୋଇଛନ୍ତି । ଅନେକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆତଙ୍କୀ ଆକ୍ରମଣ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟ ପାକିସ୍ତାନର ଦୋମୁହାଁ ନୀତିକୁ ପଦାକୁ ଆଣିଛି ।

ରବିବାର ମଧ୍ୟରାତ୍ରରେ ଖାୟବର ପଖତୁନବା ପ୍ରଦେଶର ବୁର୍ଗାଇ ଥାନା ଉପରେ ହୋଇଛି ଆତଙ୍କୀ ହମଲା । ଏଥିରେ ୪ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନେକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏହି ଥାନାକୁ କାଉଣ୍ଟର-ଟେରୋରିଜିମ୍ ସେଣ୍ଟର ବା ଆତଙ୍କବାଦ ନିରୋଧ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିଲା । ହେଲେ ସେହି ସ୍ଥାନକୁ ହିଁ ଟାର୍ଗେଟ୍ କଲେ ଆତଙ୍କବାଦୀ । ଆକ୍ରମଣ ସମୟରେ ଥାନାରେ ପ୍ରାୟ ୬୦ ପୋଲିସ କର୍ମଚାରୀ ଥିଲେ । ସେମାନଙ୍କ ଉପରେ ଅତର୍କିତ ଗୁଳି, ଗ୍ରେନେଡ୍ ଓ ରକେଟ୍ ଆକ୍ରମଣ କରିଥିଲେ ଆତଙ୍କୀ ।

ଅଧିକ ପଢ଼ନ୍ତୁ: ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି ପାକିସ୍ତାନ: ଏସ୍‌. ଜୟଶଙ୍କର

ପ୍ରାୟ ୪୫ ମିନିଟର ଆଖିବୁଜା ଗୁଳିମାଡ଼ ପରେ, ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଆକ୍ରମଣକାରୀ । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ତେବେ କୌଣସି ଆତଙ୍କୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି । ସେହି ସମାନ ଅଞ୍ଚଳରେ କିଛି ସପ୍ତାହ ତଳେ ପୋଲିସ ପାଟ୍ରୋଲିଂ ଭ୍ୟାନ୍ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ ଆତଙ୍କବାଦୀ । ସେତେବେଳେ ଏହା ପଛରେ ତେହେରିକ୍ -ଇ-ତାଲିବାନ ପାକିସ୍ତାନର ହାତଥିବା ସ୍ପଷ୍ଟ ହୋଇଥିଲା ।

ପାକିସ୍ତାନ ଓ ଆତଙ୍କବାଦର ସଂପର୍କ ସାରା ବିଶ୍ୱରେ କାହାକୁ ଅଛପା ନୁହେଁ । ତେବେ ନିଜେ ଖୋଳିଥିବା ଗାତରେ ପାକିସ୍ତାନ ନିଜେ ପଡ଼ିବା ପରେ, ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ବୈଦେଶିକ ମନ୍ତ୍ରୀ ବିଲାଓ୍ୱଲ ଭୁଟ୍ଟୋ ଜର୍ଦ୍ଦାରୀ । ଉଭୟ ନେତା ଆତଙ୍କୀ ଆକ୍ରମଣକୁ ନିନ୍ଦା କରିଥିବା ବେଳେ, ଶେହବାଜ କହିଛନ୍ତି ଆତଙ୍କବାଦୀ ଆମ ଦେଶର ଖୋଲା ଶତ୍ରୁ । ଯେଉଁମାନେ ଆତଙ୍କୀ ଗୁଳିରେ ପ୍ରାଣତ୍ୟାଗ କରିଛନ୍ତି ସେମାନେ ଆମ ଦେଶ ପାଇଁ ହିରୋ ଥିଲେ । ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କୁ ମୂଳପୋଛ ଆମ ଦେଶର ପ୍ରାଥମିକତା । ତେବେ ପାକ୍ ପିଏମଙ୍କ ଏଭଳି ବୟାନ ଲଙ୍କାରେ ହରିନାମ ଭଳି ହୋଇଛି . ।

ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଆତଙ୍କବାଦୀ ଆକ୍ରମଣର ସାମ୍ନା କରିଛି ପାକିସ୍ତାନ । ୨୦୦୮ରେ ଇସାଲାମବାଦ ମାରିଅଟ୍ ହୋଟେଲ, ୨୦୦୯ରେ ପାକ୍ ଆର୍ମୀ ହେଡକ୍ୱାର୍ଟର, ୨୦୧୨ରେ ନୋବେଲ ପୁରସ୍କାର ବିଜେତା ମଲାଲା ୟୁସଫଜାଇଙ୍କ ଉପରେ ଟିଟିପିର ଆକ୍ରମଣ ଚର୍ଚ୍ଚା ସୃଷ୍ଟି କରିଥିଲା । ୨୦୧୪ରେ ପେଶୱାରରେ ଆର୍ମୀ ପବ୍ଲିକ ସ୍କୁଲରେ ଆତଙ୍କୀ ଆକ୍ରମଣରେ ୧୫୦ ଜଣଙ୍କର ଜୀବନ ଯାଇଥିଲା, ଯେଉଁଥିରେ ସାମିଲ ଥିଲେ ୧୩୧ ପିଲା । ତେବେ ପାକ୍ ରାଜନେତାଙ୍କ ମନ୍ତବ୍ୟକୁ ଦେଖିଲେ, ଏସବୁ ଆକ୍ରମଣରୁ ପାକିସ୍ତାନ କିଛି ଶିକ୍ଷାଲାଭ କରିବା ଭଳି ମନେ ହେଉନି ।