ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କୁଟନୈତିକ କ୍ଷେତ୍ରରେ ଭାରତକୁ ମିଳିଛି ବଡ଼ ସଫଳତା । ଆମେରିକା ସୁପ୍ରିମକୋର୍ଟ ମୁମ୍ବାଇ ଆକ୍ରମଣର ଦୋଷୀ ଆତଙ୍କୀ ତହବୁର ରାଣାକୁ ଭାରତ ପଠାଇବା ପାଇଁ ମଞ୍ଜୁରୀ ଦେଇଛି । ତହବୁର ପକ୍ଷରୁ କରାଯାଇଥିବା ଆବେଦନକୁ ଆମେରିକା ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ପାକିସ୍ତାନର ମୂଳବାସିନ୍ଦା ତହବୁର ରାଣା ଭାରତ ଫେରିବାର ବାଟ ପରିଷ୍କାର ହୋଇଛି । ପୂର୍ବତନ ପାକିସ୍ତାନୀ ସାମରିକ ଡାକ୍ତର ତହବୁର ରାଣା କାନାଡାରେ ବ୍ୟବସାୟ କରୁଥିଲା । ୨୦୦୮ରେ ଭାରତର ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସେ ପ୍ରମୁଖ ଭୂମିକା ନିଭାଇଥିଲା । ତେଣୁ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ଏହି ପାକିସ୍ତାନ ଆତଙ୍କବାଦୀ ।
ଆମେରିକାର ଲସ୍ଆଞ୍ଜେଲସ୍ ଜେଲରେ ରହୁଥିବା ତହବୁରକୁ ଫେରାଇବା ପାଇଁ ପୂର୍ବରୁ ଦାବି କରି ଆସୁଥିଲା ଭାରତ । ଆମେରିକା ସୁପ୍ରିମକୋର୍ଟରେ ମୁମ୍ବାଇ ଆକ୍ରମଣ ମାମଲାର ସମୀକ୍ଷା କରିବା ପାଇଁ ନଭେମ୍ବର ୧୩ ତାରିଖରେ ଆବେଦନ କରିଥିଲା ତହବୁର । ହେଲେ କୋର୍ଟ ମାମଲାକୁ ଖାରଜ କରିଦେଇଛନ୍ତି ।
Also Read
ତହବୁର ହୁସେନ ରାଣା ଜଣେ ପୂର୍ବତନ ପାକିସ୍ତାନୀ ସାମରିକ ଡାକ୍ତର । ସେ ୧୯୬୧ ମସିହା ଜାନୁଆରୀ ୧୨ ତାରିଖରେ ପାକିସ୍ତାନର ପଞ୍ଜାବର ଚିଚାୱଟନିରେ ଜନ୍ମଗ୍ରହଣ କରିଥିଲା । ସେ ପରେ କାନାଡ଼ାର ନାଗରିକତ୍ବ ଗ୍ରହଣ କରିବା ସହ ସେଠାରେ ବ୍ୟବସାୟ କରିଥିଲା । ୨୦୦୮ ମୁମ୍ବାଇ ଆକ୍ରମଣ ସମେତ ଅନ୍ତର୍ଜାତୀୟ ଆତଙ୍କବାଦ କାର୍ଯ୍ୟକଳାପରେ ତାର ଭୂମିକା ରହିଛି । ଏହି ଆତଙ୍କବାଦୀ ପାକିସ୍ତାନର ପ୍ରତିଷ୍ଠିତ ଆବାସିକ ସାମରିକ ଅନୁଷ୍ଠାନ କ୍ୟାଡେଟ୍ କଲେଜରେ ପାଠ ପଢିବା ସମୟରେ ଡେଭିଡ୍ ହେଡଲି (ଦାଉଦ ଗିଲାନି) ସହ ବନ୍ଧୁତା କରିଥିଲା । ସେ ୧୯୯୭ ମସିହାରେ ନିଜ ପତ୍ନୀ ସହ କାନାଡ଼ା ଚାଲିଯାଇଥିଲା । ଏହାପରେ ୨୦୦୧ ମସିହା ଜୁନ୍ ମାସରେ ତାକୁ କାନାଡାର ନାଗରିକତା ମିଳିଥିଲା ।
ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି:
ତହବୁର ରାଣା ଏବଂ ତାର ପିଲା ଦିନର ବନ୍ଧୁ ଡେଭିଡ୍ ହେଡଲିକୁ ୨୦୦୯ ମସିହାରେ ଡେନମାର୍କର ଖବରକାଗଜ ଉପରେ ଆକ୍ରମଣ ଷଡଯନ୍ତ୍ର ମାମଲାରେ ଗିରଫ କରାଯାଇଥିଲା । ହେଲେ ୨୦୧୧ରେ ଚାଲିଥିବା ମକଦ୍ଦମା ସମୟରେ ଆମେରିକାର ଓକିଲମାନେ ତାଙ୍କୁ ଆତଙ୍କବାଦୀ ପ୍ରମାଣ କରିବାରେ ବିଫଳ ହୋଇଥିଲେ । ପରେ ୨୦୧୧ ମସିହାରେ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଇ-ତୋଇବାକୁ ସହାୟତା ଯୋଗାଇ ଦେଇଥିବାରୁ ଏବଂ ଡେନମାର୍କର ଖବରକାଗଜ ଉପରେ ଆକ୍ରମଣ ଷଡଯନ୍ତ୍ର କରିଥିବାରୁ ରାଣାକୁ ଚିକାଗୋରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରିଥିବାରୁ ରାଣାକୁ ୧୪ ବର୍ଷ କାରାଦଣ୍ଡ ହୋଇଥିଲା । ଏହି ଆତଙ୍କବାଦୀ ଗୋଷ୍ଠୀ ଭାରତରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ ।
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତି ଥିବାରୁ ଭାରତ ବହୁ ଦିନ ଧରି ତାକୁ ଭାରତକୁ ଫେରାଇଦେବା ପାଇଁ ଦାବି କରିଆସୁଥିଲା । ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ଆମେରିକାର ସୁପ୍ରିମକୋର୍ଟ ଏହାକୁ ମଞ୍ଜୁର କରିଛନ୍ତି । ରାଣା ବର୍ତ୍ତମାନ ଲସ୍ଆଞ୍ଜେଲସ୍ ଜେଲରେ କଏଦୀ ଭାବେ କାରାବାସ କରୁଛି ।