• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଚିତ୍କାର କରୁଛି ଚାଇନା... ସବୁଠାରୁ ବଡ଼ ବାତ୍ୟାରେ ଦୋହଲି ଯାଇଛି ଚୀନର ମେରୁଦଣ୍ଡ । ଘଣ୍ଟା ପ୍ରତି ୨୨୩ କିଲୋମିଟର ପବନର କରାଳ ରୂପ ଯେମିତି ଚାଇନା ମାଟିରେ ତାଣ୍ଡବ କରିଛି । କେତେବେଳେ ଘର ଭାଙ୍ଗିଛି, ତ ପୁଣି କେତେବେଳେ ଉପୁଡ଼ାଇ ପକାଇଛି ବଡ଼ ବଡ଼ ଗଛ । ଏମିତିକି ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ପ୍ରକୃତିର କରାଳର କୋପରୁ ବର୍ତ୍ତି ପାରିନାହିଁ । ବାତ୍ୟା ‘ୟାଗି’ ଚାଇନାରେ ତାଣ୍ଡବ ରଚିବା ପରେ ଏବେ ଧୀରେ ଧୀରେ ଗୋଟିଏ ଗୋଟିଏ ଦୃଦୟ ବିଦାରକ ଦୃଶ୍ୟ ସାମ୍‌ନାକୁ ଆସୁଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଶୁକ୍ରବାର ଠିକ୍‌ ଅପରାହ୍ଣ ୪ଟାରେ ଚୀନ୍‌ ଆକାଶ ସାରା ଛାଇ ହୋଇଯାଇଥିଲା କଳାବାଦଲ । ଆଉ ଧୀରେ ଧୀରେ ପବନର ଗତି ବଢ଼ିଥିଲା । ଘଣ୍ଟା ପ୍ରତି ୨୨୩ କିଲୋମିଟରରେ ପବନ ବହିଥିଲା । ପ୍ରବଳ ପବନ ସବୁ କିଛିକୁ ଉଡ଼ାଇନେଇଥିଲା । ଏମିତିକି ରାସ୍ତାରେ ଯାତାୟାତ କରୁଥିବା ଲୋକ ବି ଏହି ପବନରୁ ବର୍ତ୍ତିନଥିଲେ । ମଣିଷକୁ ବି ଉଡାଇନେବାର କ୍ଷମତା ଥିଲା ଏ ପବନର ।

ଚୀନ୍‌ରେ ୨୦୧୪ରେ ହୋଇଥିବା ବାତ୍ୟାଠାରୁ ଏହି ବାତ୍ୟା ଖୁବ୍‌ ଶକ୍ତିଶାଳୀ ହୋଇଥିବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଏଥିରେ କେତେ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ତାହା ସଠିକ୍‌ ଭାବେ ରିପୋର୍ଟ ପ୍ରକାଶ ପାଇନାହିଁ । ହେଲେ ବହୁ ଲୋକ ଆହତ ଓ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।

‘ୟାଗୀ’ ଲ୍ୟାଣ୍ଡଫଲ ପୂର୍ବର ସତର୍କ କରିଥିଲା ପାଣିପାଗ ବିଭାଗ । ଫଳରେ ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ସମସ୍ତ ଅଫିସ ଗୁଡ଼ିକୁ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ସରକାର । ଦକ୍ଷିଣ ଗୁଆଙ୍ଗଡୋଙ୍ଗ୍ ପ୍ରଦେଶ ସହ ଏହାର ଆଖପାଖ ହଂକଂ, ଶେନଜେନ୍ ଏବଂ ମାକାଉରେ ସବୁକିଛି ଛାରଖାର କରିଥିଲା ବାତ୍ୟା ‘ୟାଗୀ’ । ୮ ଲକ୍ଷ ୩୦ ହଜାରରୁ ଅଧିକ ଘର ଏହି ବାତ୍ୟାରେ ପ୍ରଭାବିତ ହୋଇଛି । ଅନେକ ଲୋକ ଜଳବନ୍ଦୀ ଜୀବନ ମଧ୍ୟ କାଟୁଛନ୍ତି । ଏ ସବୁ ଭିତରେ ସରକାର ସ୍ଥିତିକୁ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now