• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାବୁଲ: ମଙ୍ଗଳବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ଗୋଟିଏ ପରେ ଗୋଟିଏ ଲଗାତାର ତିନୋଟି ବିସ୍ଫୋରଣ ଘଟିଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଏହି ବିସ୍ଫୋରଣରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଆଫଗାନିସ୍ତାନ ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ ପଶ୍ଚିମ କାବୁଲରେ ଏହି ବିସ୍ଫୋରଣ ଘଟିଛି । ପ୍ରଥମ ବିସ୍ଫୋରଣ ମୁମ୍‌ତାଜ୍‌ ଏଜୁକେସ୍‌ନାଲ ସେଣ୍ଟର ନିକଟରେ ହୋଇଥିବାବେଳେ ଦ୍ୱିତୀୟ ବିସ୍ଫୋରଣ ଅବ୍ଦୁଲ୍‌ ରହୀମ ସହିଦ ହାଇ ସ୍କୁଲ ନିକଟରେ ହୋଇଥିଲା । ତୃତୀୟ ବିସ୍ଫୋରଣ ମଧ୍ୟ ଏକ ବିଦ୍ୟାଳୟ ନିକଟରେ ହୋଇଥିଲା । ସବୁଠୁ ବଡ଼ କଥା ହେଲା ସ୍କୁଲ ଛୁଟି ହେବା ସମୟରେ ବିସ୍ଫୋରଣ ଘଟିଥିଲା । ପିଲାମାନେ ସେତେବେଳେ ଏକାଠି ସ୍କୁଲରୁ ବାହାରକୁ ବାହାରୁଥିଲେ ।

କୁହାଯାଉଛି ଯେ ପାଶ୍ମିମ କାବୁଲର ଦାସ୍ତ-ଏ-ବାର୍ଚ୍ଚି ଅଞ୍ଚଳରେ ଥିବା ଏକ ସ୍କୁଲରେ ପ୍ରଥମେ ବିସ୍ଫୋରଣ ଘଟିଥିଲା । ପରେ ଆଉ ଦୁଇଟି ବସ୍ଫୋରଣ ଘଟିଥିଲା । ଯେତେବେଳେ ଏହି ବିସ୍ଫୋରଣ ଘଟିଲା, ସେତେବେଳେ ପିଲାମାନେ ସ୍କୁଲରୁ ବାହାରକୁ ଆସୁଥିଲେ । ଏହି ସ୍କୁଲରେ ପଢ଼ୁଥିବା ସମସ୍ତ ପିଲା ସଂଖ୍ୟାଲଘୁ ହାଜାରା ସମ୍ପ୍ରଦାୟର । ଯେଉଁମାନେ କି ସବୁବେଳେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥାନ୍ତି । ଅତୀତରେ ତାଲିବାନ ଶାସନ ସମୟରେ ହାଜାରା ସମ୍ପ୍ରଦାୟର ଲୋକଙ୍କ ଉପରେ ଅନେକ ଆକ୍ରମଣ ହୋଇଛି । ତେବେ ଏହି ବିସ୍ଫୋରଣ ପାଇଁ ଏବେ ସୁଦ୍ଧା କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାଁନ୍ତି ।

ଆଫଗାନିସ୍ତାନର ଗୃହମନ୍ତ୍ରଣାଳୟ ବିସ୍ଫୋରଣ ଘଟିଥିବା ନେଇ ସ୍ୱୀକାର କରିଛି । ତେବେ ଏଡି ବିସ୍ଫୋରଣରେ ମୋଟ କେତେ ଜଣଙ୍କର ମୃତ୍ୟୁ ହୋଇଛି ସେନେଇ ସରକାରୀ ସ୍ତରରୁ କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ । ଆଫଗାନିସ୍ତାନର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି ଯେ, ଏହି ବିସ୍ଫୋରଣକୁ ନେଇ ତଦନ୍ତ ଚାଲିଛି । ଅଧିକ ତଥ୍ୟ ସାମ୍ନାକୁ ଆସିଲେ ଲୋକଙ୍କୁ ସୂଚନା ଦିଆଯିବ ।

କାବୁଲ ପୋଲିସ ମୁଖପାତ୍ର ଖାଲିଦ ଜାଦ୍‌ରାନ ଟ୍ୱିଟ୍‌ କରି କହିଛନ୍ତି ଯେ, ଏହି ବିସ୍ଫୋରଣ ଅବ୍ଦୁଲ ରହୀମ ସହିଦ ଉଚ୍ଚ ବିଦ୍ୟାଳୟରେ ହୋଇଥିଲା । ଏଥିରେ ଆମର ଅନେକ ଶିଆ ଭାଇ ଗୁରୁତର ହୋଇଛନ୍ତି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍‌ର ଜଣେ ସାମ୍ବାଦିକ ଏହସାନୁଲ୍ଲା ଆମିରି ଟ୍ୱିଟ୍ କରି କହିଛନ୍ତି ଯେ ଏହା ଏକ ଆତ୍ମଘାତୀ ବିସ୍ଫୋରଣ ।