• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବରଫ ଝଡ଼ ଯୋଗୁ ପୂର୍ବ ଆମେରିକାରେ ସ୍ଥିତି ଭୟଙ୍କର । ରାସ୍ତାଘାଟ ଠାରୁ ଆରମ୍ଭ କରି ଘରର ଛାତ ଉପରେ ବରଫର ମୋଟା ଆସ୍ତରଣ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ପ୍ରଶାସନ ପକ୍ଷରୁ ରାସ୍ତାଘାଟରୁ ବରଫକୁ ହଟାଇବାକୁ ଚେଷ୍ଟା କରାଯାଉଛି । ଏବେ ବି ପୂରା ପୂର୍ବ ଏବଂ ଉତ୍ତର ଆମେରିକାରେ ବରଫ ଝଡ଼ ଲାଗି ରହିଛି । ଏନେଇ ଜାତୀୟ ପାଣିପାଗ ସେବା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଏକାଧିକ ରାଜ୍ୟ ପକ୍ଷରୁ ଜରୁରିକାଳୀନ ସ୍ଥିତି ଲାଗୁ କରାଯାଇଛି । ଲୋକମାନଙ୍କୁ ଯଥା ସମ୍ଭବ ଘରେ ରହିବାକୁ କୁହାଯାଇଛି ।

ପୂର୍ବ ଆମେରିକାରେ ପ୍ରାୟ ୭ କୋଟି ଲୋକ ବରଫ ଝଡ଼ ଯୋଗୁ ପ୍ରଭାବିତ ହୋଇଛନ୍ତି । ପାଣି ଯୋଗାଣ ବନ୍ଦ ହୋଇ ଯାଇଥିବା ବେଳେ ବିଦ୍ୟୁତ ସରବରାହ ମଧ୍ୟ ଠପ୍ ପଡିଯାଇଛି । ପରିବହନ ସେବା ମଧ୍ୟ ବରଫ ଝଡ଼ ଯୋଗୁ ଆରମ୍ଭ ହୋଇପାରୁନି । ବରଫ ଝଡ଼ର ସର୍ବାଧିକ ପ୍ରଭାବ ନ୍ୟୁୟର୍କ ଓ ବୋଷ୍ଟନ୍ ଭଳି ସହରରେ ଦେଖିବାକୁ ମିଳିଛି । ଏହା ଏକ ବରଫଝଡ଼ ନୁହେଁ ବରଂ ବରଫ ବୋମାର ଘୂର୍ଣ୍ଣିଝଡ଼ ବୋଲି କହିଛି ଜାତୀୟ ପାଣିପାଗ ସେବା ବିଭାଗ ।

ପ୍ରାୟ ସମସ୍ତ ଉପକୂଳ ଅଞ୍ଚଳରେ ଏକ ଫୁଟ ବହଳର ବରଫ ଆସ୍ତରଣ ସୃଷ୍ଟି ହୋଇଥିବା ବେଳେ ମାସାଚୁସେଟେସରେ ୩ ଫୁଟ ବହଳର ବରଫ ଆସ୍ତରଣ ସୃଷ୍ଟି ହୋଇଛି । ଫ୍ଲୋରିଡାରେ ବି ସ୍ଥିତି ସାଂଘାତିକ ହୋଇଛି । ବରଫ ଝଡ଼ ଯୋଗୁ ଲୋକେ ଘରୁ ପଦାକୁ ବାହାରିବା ସମ୍ଭବ ହୋଇପାରୁନାହିଁ ।

ପୂର୍ବ ଓ ଉତ୍ତର ଆମେରିକାର ଝଡ଼ରେ ପ୍ରଭାବିତ ହୋଇଛନ୍ତି ପ୍ରାୟ ୭ କୋଟି ଲୋକ । ସବୁଠାରୁ ଶକ୍ତିଶାଳୀ କୁହାଯାଉଥିବା ଏହି ବରଫ ଝଡ଼ ଯୋଗୁ ବିଭିନ୍ନ ସ୍ଥାନରେ ଜାରି ହୋଇଛି ଜରୁରୀକାଳୀନ ପରିସ୍ଥିତି । ପ୍ରଶାସନ ପକ୍ଷରୁ ସ୍ଥିତିକୁ ଦେଖି ନ୍ୟୁୟର୍କ, ନ୍ୟୁଜର୍ସି ଓ ବୋଷ୍ଟନରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଫ୍ଲୋରିଡାର ଦକ୍ଷିଣ ପ୍ରାନ୍ତରେ ମଧ୍ୟ ପ୍ରବଳ ଥଣ୍ଡା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି । ଏଥିପାଇଁ ଲୋକଙ୍କୁ ସମୁଦ୍ର କୂଳରୁ ଦୂରେଇ ରହିବା ସହ ଅନାବଶ୍ୟକ ଯାତ୍ରା କରିବାକୁ ବାରଣ କରାଯାଇଛି ।

ମାନହଟାନର ଉତ୍ତର ଦ୍ୱୀପରେ ଦଶ ଇଞ୍ଚ ବରଫ ଚାଦର ଦେଖିବାକୁ ମିଳିଛି । ରେଳ ଲାଇନ ଗୁଡ଼ିକ ଆଂଶିକ ଭାବେ ବନ୍ଦ ରଖାଯାଇଛି । ପ୍ରତି ଏକ ଘଣ୍ଟାରେ ଚାରି ଇଞ୍ଚର ବରଫ ଆସ୍ତରଣ ସୃଷ୍ଟି ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ୪ ହଜାରରୁ ଅଧିକ ବିମାନ ବାତିଲ ହୋଇଥିବା ବେଳେ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନରେ ଫସି ରହିଥିବା ସୂଚନା ମିଳିଛି । ଲକ୍ଷାଧିକ ଘରକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ପରିବହନ ବ୍ୟବସ୍ଥା ମଧ୍ୟ ଠପ୍ ହୋଇଯାଇଛି ।