• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶାହାବାଜ୍ ସରିଫ୍ ହେଲେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ବିନା ପ୍ରତିଦ୍ୱନ୍ଦ୍ୱିତାରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶାହାବାଜ୍ ସରିଫ୍ । ଇମ୍ରାନ ଖାନ୍‌ଙ୍କ ପିଟିଆଇ ପାର୍ଟି ନିର୍ବାଚନରେ ଭାଗ ନେଲାନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନ ଭାଇ ଶାହାବାଜ ସରିଫ୍ ।

ତେବେ ଇତିହାସ ସାଖି ଅଛି, ଭାରତ ପ୍ରତି ଶାହାବାଜ ସରଫ୍‌ଙ୍କ ଅତ୍ୟନ୍ତ କଠୋର ମନୋଭାବ ରହିଛି । ବିଭିନ୍ନ ସମୟରେ ତାଙ୍କ ବୟାନରୁ ଏହା ସ୍ପଷ୍ଟ ବାରି ହୋଇପଡ଼ିଥାଏ । 'ଆମ ରକ୍ତ ଟକ୍‌ମକ୍‌ ହୋଇ ଫୁଟୁଛି । ଆମେ କାଶ୍ମୀରକୁ ପାକିସ୍ତାନର ଏକ ଅଙ୍ଗ ଭାବେ ନିଶ୍ଚୟ ଯୋଡ଼ିବୁ ।’ ଏହି ବିବୃତ୍ତି ଆଉ କାହାର ନୁହେଁ । ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିବା ଶାହବାଜ ସରିଫ ୨୦୧୮ରେ ଏଭଳି ବୟାନ ଦେଇଥିଲେ । ଯେତେବେଳେ ଶାହବାଜ ସରିଫ ଏହି ବିବୃତ୍ତି ଦେଇଥିଲେ, ସେତେବେଳେ ସେ ପାକିସ୍ତାନ ମୁସଲିମ ଲିଗ୍‌ରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବୀଦାର ଥିଲେ । ଏହି ଗୋଟିଏ ବିବୃତ୍ତିରୁ ହିଁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, ଶାହାବାଜଙ୍କ ଭାରତ ପ୍ରତି କିଭଳି ମନୋଭାବ ରହିଛି ।

ଏଥର ମଧ୍ୟ ଇମ୍ରାନ୍‌ ସରକାର ଭାଙ୍ଗିବା ପରେ ଶାହବାଜ ସରିଫ କହିଛନ୍ତି, ଆମେ ଭାରତ ସହ ଶାନ୍ତି ଚାହୁଁଛୁ । କିନ୍ତୁ କାଶ୍ମୀର ସମସ୍ୟାର ସମାଧାନ ବିନା ଶାନ୍ତି ସମ୍ଭବ ନୁହେଁ।

ତେବେ ଏହା ପୂର୍ବରୁ ପାକିସ୍ତାନରେ ଶୁଭିଥିଲା ‘ଚୌକିଦାର ଚୋର ହୈ’ ନାରା । ରାସ୍ତାକୁ ଓହ୍ଲାଇ ଥିଲେ ଇମ୍ରାନ୍‌ ଖାନ୍‌ଙ୍କ ସମର୍ଥକ । ଜୋରଦାର କରିଥିଲେ ବିକ୍ଷୋଭ । ଏବେ ଦେଶର ପ୍ରଧାନମନ୍ତ୍ରୀ ଆସନ ହରାଇଛନ୍ତି କ୍ରିକେଟରୁ ନେତା ପାଲଟିଥିବା ଇମ୍ରାନ ଖାନ୍‌ । ତାଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇଛି । ଅନାସ୍ଥା ଭୋଟ୍‌ରେ ସେ ହୋଇଥିଲେ କ୍ଲିନ୍‌ ବୋଲ୍ଡ । ଏହାପରେ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫର କର୍ମୀମାନେ ରାସ୍ତାକୁ ଓହ୍ଲାଇଥିଲେ ।

ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ବିରୋଧ କରି ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ରବିବାର ଦେଶର ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ଏହି ସମୟରେ ଏକ ରାଲିରେ ‘ଚୌକିଦାର ଚୋର ହୈ’ ନାରାବାଜି ଶୁଣିବାକୁ ମିଳିଥିଲା । ପାକିସ୍ତାନର ସେନାକୁ ବିରୋଧ କରି ଇମ୍ରାନଙ୍କ ସମର୍ଥକମାନେ ଏଭଳି ନାରାବାଜି କରିଥିଲେ ।

ପାକିସ୍ତାନର ପଞ୍ଜାବ ପ୍ରଦେଶର ଲାଲ ହାବେଲିଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ । ଏହି ପ୍ରତିବାଦ ବେଳେ ବିକ୍ଷୋଭକାରୀମାନେ ସେନାକୁ “ଚୌକିଦାର ଚୋର ହୈ” ବୋଲି କହିଥିଲେ । ରବିବାର ରାତି ପ୍ରାୟ ୯ଟା ୩୦ ମିନିଟ୍‌ରୁ ଦେଶର ବିଭିନ୍ନ ଅଞ୍ଚଳରେ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଇସ୍‌ଲାମାବାଦ, ଲାହୋର, କରାଚି, ପେଶୱାର, ମାଲାକାଣ୍ଡ, ମୁଲତାନ, ଖାନୱାଲ, ଖାଇବର, ୱାଙ୍ଗ, କ୍ୱେଟା, ଓକରା, ଆବଟ୍ଟାବାଦ, ବାଜୌରା, ଲୋୟର ଦିର, ଶାଙ୍ଗଲା, କୋହିସ୍ତାନ, ମନସେହରା, ସ୍ୱାଟ୍‌, ଗୁଜରାଟ, ଫୈସଲାବାଦ, ନୋଶେରା, ଡେରା ଗାଜୀ ଖାନ୍ ଏବଂ ମାଣ୍ଡି ବାହାଦିନରେ ଇମ୍ରାନ୍‌ଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ବିରୋଧ କରିଥିଲେ ।