• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅନେକ ଛକାପଞ୍ଝା ମଧ୍ୟରେ ସିରିଏଲ କିଲର ତଥା ବିକିନି କିଲର ଭାବେ ଜଣାଣୁଣା ଚାର୍ଲସ ଶୋଭରାଜ ଆଜି ଜେଲରୁ ବାହାରିଛି । ୨୦୦୩ରୁ କାଠମାଣ୍ଡୁ ଜେଲରେ ରହିଥିବା ଶୋଭରାଜକୁ ବୁଧବାର ନେପାଳ ସୁପ୍ରିମକୋର୍ଟ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

୧୯୪୪ରେ ଭିଏତନାମର ହୋଚିମିନ ସହରରେ ଶୋଭରାଜର ଜନ୍ମ । ତାର ବାପାଙ୍କ ନାଁ ହଟଚାନ୍ଦ ଭବାନୀ ଶୋଭରାଜ ଓ ମାଆଙ୍କ ନାଁ ସଙ୍ଗ୍ । ଶୋଭରାଜର ନାଁ ପ୍ରଥମେ ଥିଲା ଗୁରୁମୁଖ । ତେବେ ହଟଚାନ୍ଦ ଶୋଭରାଜ ଓ ସଙ୍ଗଙ୍କ ମଧ୍ୟରେ ବିଚ୍ଛେଦ ପରେ ସଙ୍ଗ ଫ୍ରାନସ୍ ଚାଲିଯାଇଥିଲେ । ଆଉ ସେଠାକାର ଜଣେ ସାନ୍ୟଙ୍କୁ ବିବାହ କରିଥିଲେ । ଫଳରେ ଚାର୍ଲସ ଶୋଭରାଜ ଫ୍ରାନ୍ସରେ ବଡ଼ ହୋଇଥିଲା ।

ସେଠାରେ ଘଟାଇଥିବା ଅପରାଧରୁ ବର୍ତ୍ତିବା ଲାଗି ୧୯୭୦ରେ ସେ ପ୍ରଥମେ ଭାରତ ଆସିଥିଲା । ମୁମ୍ବାଇରେ ପହଞ୍ଚିବା କ୍ଷଣି ସେ ସ୍ମଗଲିଂ ଓ କାର୍ ଚୋରି ଭଳି ଧନ୍ଦା ଆରମ୍ଭ କରିଥିଲା । ୧୯୭୩ରେ ଅଶୋକା ହୋଟେଲରେ ଥିବା ଏକ ଅଳଙ୍କାର ଦୋକାନରୁ ଲୁଟ୍ ଅଭିଯୋଗରେ ତାକୁ ପ୍ରଥମ ଜେଲ୍ ହୋଇଥିଲା । ତେବେ ଅସୁସ୍ଥ ଥିବା ବାହାନା କରି ସେ ଜେଲରୁ ଖସି ଯାଇଥିଲା । ମାତ୍ର ମୁମ୍ବାଇ ପୋଲିସ ତାକୁ ପୁଣି ଗିରଫ କରିଥିଲା । ଏହା ପରେ ନିଜ ବାପାଙ୍କ ସହାୟତାରେ ଜାମିନ ପାଇବା ପରେ ଆଫଗାନିସ୍ତାନ, ଇରାନ, ତୁର୍କୀ ଓ ଗ୍ରିସ୍ ଭଳି ଦେଶରେ ବୁଲିବା ସହ ଏକାଧିକ ଅପରାଧ ଘଟାଇଥିଲା ।

ଅଧିକ ପଢ଼ନ୍ତୁ: ଜେଲରୁ ବାହାରିଲା ବିକିନି କିଲର୍ ଚାର୍ଲସ ଶୋଭରାଜ

୧୯୭୬ରେ ସେ ପୁଣି ଭାରତ ପଲାଇ ଆସିଥିଲା । ତେବେ ଫ୍ରାନ୍ସରୁ ଆସିଥିବା ଏକ ଛାତ୍ରଦଳକୁ ଡ୍ରଗ୍ସ ଦେଇ ଲୁଟିବା ଯୋଜନା ଭଣ୍ଡୁର ହେବା ପରେ ସେ ଭାରତରେ ଘଟାଇଥିବା ଅନେକ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ୧୯୮୬ ଯାଏଁ ତିହାର ଜେଲରେ ଥିଲା ଚାର୍ଲସ୍ ଶୋଭରାଜ । ଏହାପରେ ତାର ଥାଇଲ୍ୟାଣ୍ଡ ବିଚାର ଆରମ୍ଭ ହୋଇଥାଆନ୍ତା । ମାତ୍ର ଜନ୍ମଦିନ ପାର୍ଟି ଆଳରେ ଜେଲ୍ କର୍ମଚାରୀଙ୍କୁ ନିଶା ଔଷଧ ମିଶା ଲଡୁ ଖୁଆଇ, ଅତି ଚତୁରତାର ସହ ଖସି ଯାଇଥିଲା ଶୋଭରାଜ ।

ପରେ ମୁମ୍ବାଇ ପୋଲିସ ଇନସ୍ପେକଟର ମଧୁକର ଜେଣ୍ଡେ ତାକୁ ଗୋଆରୁ ଗିରଫ କରିଥିଲେ । ଏହାପରେ ଶୋଭରାଜର ଜେଲ ଦଣ୍ଡାଦେଶକୁ ଆଉ ୧୦ ବର୍ଷ ବଢାଯାଇଥିଲା ।୧୯୯୭ରେ ଭାରତୀୟ ଜେଲରୁ ମୁକୁଳିବା ପରେ ୫୨ ବର୍ଷୀୟ ଶୋଭରାଜକୁ ଫ୍ରାନ୍ସ ପଠାଇ ଦିଆଯାଇଥିଲା । ତେବେ ୨୦୦୩ରେ କାଠମାଣ୍ଡୁର ଏକ କାସିନୋରୁ ତାକୁ ଗିରଫ କରିଥିଲା ନେପାଳ ପୋଲିସ । ସେବେଠାରୁ ସେ କଡ଼ା ସୁରକ୍ଷା ବିଶିଷ୍ଟ କାଠମାଣ୍ଡୁ ଜେଲରେ ଥିଲା । ୨୦ ବର୍ଷ ଜେଲ୍ ଦଣ୍ଡାଦେଶରୁ ୧୯ ବର୍ଷ ସରିଥିଲେ ମଧ୍ୟ ଶୋଭରାଜକୁ ୭୮ ବର୍ଷ ହୋଇଯାଇଥିବାରୁ ତାପ୍ରତି କୋହଳ ମନୋଭାବ ଦେଖାଇଛନ୍ତି ନେପାଳ ସୁପ୍ରିମକୋର୍ଟ ।

ଜେଲରୁ ଆଜି ମୁକୁଳି ସାରିଛି ଶୋଭରାଜ । ଏହା ପରେ ନେପାଳରୁ ଶୋଭରାଜକୁ ଫ୍ରାନ୍ସ ପଠାଇବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । କାଗଜପତ୍ର କାମ ସରିବା ପରେ ତାକୁ ଫ୍ରାନ୍ସ ପଠାଇ ଦିଆଯିବ ବୋଲି ନେପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଶୋଭରାଜର ଅପରାଧ ଦୁନିଆକୁ ନେଇ ବିବିସି ଓ ନେଟଫ୍ଲିକ୍ସ ପକ୍ଷରୁ ମିଳିତ ଭାବେ ଗତବର୍ଷ ଏକ ଟିଭି ସିରିଜ୍ ପ୍ରସ୍ତୁତ କରାଯାଇଥିଲା । ଏହାର ନାଁ ରହିଥିଲା ସର୍ପେଣ୍ଟ । ମେଁ ଔର୍ ଚାର୍ଲସ, ସ୍ୟାଡୋ ଅଫ୍ କୋବ୍ରା ଭଳି ମଧ୍ୟ ଫିଲ୍ମ ଓ ଟେଲି ସିରିଏଲ ଶୋଭରାଜ୍ ଜୀବନ ଉପରେ ଆଧାରିତ ବୋଲି କୁହାଯାଏ । ସେହିପରି ତା ଅପରାଧ କାହାଣୀକୁ ନେଇ ଅନେକ ବହି ମଧ୍ୟ ପ୍ରକାଶ ପାଇଛି ଅତୀତରେ ।