Advertisment

ଋଷରେ ଗୃହଯୁଦ୍ଧ ସ୍ଥିତି: ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ବିଦ୍ରୋହ

ବର୍ତ୍ତମାନ ସଂଘର୍ଷ ନିଶ୍ଚିତ। ଗୃହଯୁଦ୍ଧର ଆରମ୍ଭ ପୁଟିନଙ୍କ ପକ୍ଷରୁ କରାଯାଇଥିଲା। ବର୍ତ୍ତମାନ ଯାହା ବି କରାଯାଉଛି ତାହା ଋଷ ନାଗରିକଙ୍କ ପାଇଁ। ଏହି ମେସେଜ୍ ସହ ଋଷରେ ଆରମ୍ଭ ହୋଇଯାଇଛି ସଂଘର୍ଷ।

author-image
Chandan Shishu
ଋଷରେ ଗୃହଯୁଦ୍ଧ ସ୍ଥିତି

ଋଷରେ ଗୃହଯୁଦ୍ଧ ସ୍ଥିତି

ଅଶାନ୍ତ ଋଷ। ଦେଶରେ ଗୃହଯୁଦ୍ଧ ସ୍ଥିତି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି ତାଙ୍କର ଅତି ପ୍ରିୟ ତଥା ପ୍ରାଇଭେଟ ଆର୍ମି ୱାଗନର ଗ୍ରୁପ୍ ମୁଖ୍ୟ ୟେବଗେନି ପ୍ରିଗୋଝିନ୍। ଖୋଲାଖୋଲି ବିଦ୍ରୋହ ଘୋଷଣା ସହ ଋଷ ସେନା ବିପକ୍ଷରେ ଆରମ୍ଭ ହୋଇଯାଇଛି ସଂଘର୍ଷ। ସେପଟେ ଦେଶବାସୀଙ୍କୁ ସମ୍ବୋଧନ କରି ପୁଟିନ କହିଛନ୍ତି, ବିଦ୍ରୋହୀଙ୍କୁ କ୍ଷମା ଦିଆଯିବନି।

Advertisment

ଋଷରେ ଗୃହଯୁଦ୍ଧ ସ୍ଥିତି। ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ବିଦ୍ରୋହ। ୟୁକ୍ରେନ୍ ସହ ଯୁଦ୍ଧକୁ ନେଇ ହରଡ଼ଘଣାରେ ପଡିଥିବା ଋଷ ରାଷ୍ଟ୍ରପତି ପୁଟିନଙ୍କ ପାଇଁ ବଢିଲା ସମସ୍ୟା। ରାଷ୍ଟ୍ରପତିଙ୍କ ବିରୋଧରେ ଆରମ୍ଭ ହୋଇଯାଇଛି ବିଦ୍ରୋହ। ଆଉ ବିଦ୍ରୋହୀ ଭୂମିକାରେ ପୁଟିନଙ୍କ ଅତି ପ୍ରିୟ ତଥା ବିଶ୍ୱସ୍ତ ୱାଗନର ଗ୍ରୁପ ମୁଖ୍ୟ ୟେବଗେନି ପ୍ରିଗୋଝିନ୍। ଆଜି ସକାଳୁ ଟେଲିଗ୍ରାମରେ ପ୍ରିଗୋଝିନଙ୍କ ଏକ ମେସେଜ୍ ଋଷରେ ହଲଚଲ ସୃଷ୍ଟି କରିଛି। ଏଥିରେ ପ୍ରିଗୋଝିନ୍ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ସହ ୨୫ ହଜାର ସୈନିକ ଅଛନ୍ତି। ଯେକୌଣସି ମୁହୂର୍ତ୍ତରେ ଋଷୀ ସେନା ବିପକ୍ଷରେ ଲଢି ପ୍ରାଣ ହରାଇବାକୁ ୱାଗନର ଗୋଷ୍ଠୀ ସେନା ପ୍ରସ୍ତୁତ ଅଛନ୍ତି।

ବର୍ତ୍ତମାନ ସଂଘର୍ଷ ନିଶ୍ଚିତ। ଗୃହଯୁଦ୍ଧର ଆରମ୍ଭ ପୁଟିନଙ୍କ ପକ୍ଷରୁ କରାଯାଇଥିଲା। ବର୍ତ୍ତମାନ ଯାହା ବି କରାଯାଉଛି ତାହା ଋଷ ନାଗରିକଙ୍କ ପାଇଁ। ଏହି ମେସେଜ୍ ସହ ଋଷରେ ଆରମ୍ଭ ହୋଇଯାଇଛି ସଂଘର୍ଷ। ରୋସ୍ତୋଭରେ ସେନା ହେଲିକପ୍ଟରକୁ ବିଦ୍ରୋହୀ ୱାଗନର ଗ୍ରୁପ ଖସାଇ ଦେଇଥିବା କୁହାଯାଉଛି। ସେପଟେ ରାଷ୍ଟ୍ରପତି ପୁଟିନଙ୍କ ବାସଭବନ କ୍ରେମଲିନରେ ବଢାଇ ଦିଆଯାଇଛି ସୁରକ୍ଷା। ଏପରିକି ସେଠାରେ ଟ୍ୟାଙ୍କ ମୁତୟନ କରାଯାଇଥିବା ସୂଚନା ମିଳିଛି। 

Advertisment

ଅନ୍ୟପଟେ ବିଦ୍ରୋହୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଋଷବାସୀଙ୍କୁ ସମ୍ବୋଧନ କରି ପୁଟିନ କହିଛନ୍ତି, ୱାଗନର ଗୋଷ୍ଠୀ ଆମ ପିଠିରେ ଛୁରୀ ଭୁଶିଛି। ୱାଗନର ମୁଖ୍ୟ ନିଜର ବ୍ୟକ୍ତିଗତ ଇଚ୍ଛାକୁ ପୂରଣ କରିବା ଲାଗି ଏଭଳି ଉଦ୍ୟମ କରୁଛନ୍ତି। ତେବେ ରୁଷିଆରେ କୌଣସି ସ୍ଥିତିରେ ମଧ୍ୟ ଗୃହଯୁଦ୍ଧ ସ୍ଥିତି ହେବାକୁ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୁଟିନ। ମସ୍କୋରେ ଆଣ୍ଟି ଟେରୋରିଷ୍ଟ ଅପରେସନ ଆରମ୍ଭ ହୋଇସାରିଥିବା ନେଇ ରୁଷ୍ ଘୋଷଣା କରିଛି। 

ତେବେ କିଏ ଏହି ୟେବଗେନି ପ୍ରିଗୋଝିନ୍? ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ କାହିଁକି କଲେ ବିଦ୍ରୋହ? ଦିନେ ରାଷ୍ଟ୍ରପତି ପୁଟିନଙ୍କ ପ୍ରାଇଭେଟ୍ ଆର୍ମି ଥିଲା ୱାଗନର ଗ୍ରୁପ୍। ରାଷ୍ଟ୍ରପତିଙ୍କ ଗୋଟିଏ ଇସାରାରେ ଜୀବନ ଦେବାକୁ ଆଗେଇ ଆସୁଥିଲେ ଏହି ସେନା। ରାଷ୍ଟ୍ରପତି ପୁଟିନଙ୍କ ଅତି ବିଶ୍ବସ୍ତ ଥିଲେ ଗ୍ରୁପର ମୁଖ୍ୟ ୟେବଗେନି ପ୍ରିଗୋଝିନ୍। ପୁଟିନଙ୍କୁ ପାପା ବୋଲି ସମ୍ବୋଧନ କରୁଥିଲେ। ୟୁକ୍ରେନ୍ ବିପକ୍ଷରେ ଯୁଦ୍ଧ ଲଢି ଋଷକୁ ଅଗ୍ରଣୀ କରାଇଥିଲେ ଏହି ଗୋଷ୍ଠୀ। ଏବେ ପ୍ରିଗୋଝିନ୍ ବିଦ୍ରୋହୀ, ପାଲଟିଛନ୍ତି ପୁଟିନଙ୍କ ପରମ ଶତ୍ରୁ। 

ସେପଟେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନସ୍କି କହିଛନ୍ତି, ଋଷରେ ଚାପି ହୋଇ ରହିଥିବା ରାଜନୈତିକ ଅସ୍ଥିରତା ପଦାକୁ ଆସିଛି। ଋଷ ଦୁର୍ବଳ, ଅତିଦୁର୍ବଳ ହେବା ସ୍ୱାଭାବିକ। ଯେତେଦିନ ଯାଏଁ ଋଷ, ୟୁକ୍ରେନ ମାଟିରେ ତାର ସେନା ଓ ଅସ୍ତ୍ରଶସ୍ତ୍ର ଠୁଳ କରି ରଖିଥିବ, ତା ପାଇଁ ଆଗକୁ ସେତେ ଅଧିକ ସମସ୍ୟା ଏବଂ ଯନ୍ତ୍ରଣା ସୃଷ୍ଟି ହେବ ଏବଂ ଏଥିପାଇଁ କେବଳ ଋଷ ହିଁ ଦାୟୀ ରହିବ।

Vladmir Putin
Advertisment
Advertisment