• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦ୍ୱାଦଶ ଦିନରେ ଋଷ-ୟୁକ୍ରେନ୍ ଯୁଦ୍ଧ । ମରିଲେଣି ୧୩ ହଜାର ସୈନ୍ୟ, ଶହ ଶହ ସାଧାରଣ ନାଗରିକ । ତଥାପି କେହି ହାର ମାନିବାକୁ ନାରାଜ । ଆଲୋଚନା ଅବା ଯୁଦ୍ଧ, ଯେମିତି ବି ହେଉ ୟୁକ୍ରେନ୍‌କୁ ମୁଣ୍ଡ ନୁଆଁଇବାକୁ ଋଷ ଚାପ ପ୍ରୟୋଗ କରୁଥିବା ବେଳେ, ୟୁକ୍ରେନ୍ ବି ଦେଉଛି ଶକ୍ତ ଜବାବ । ଏଭଳି ସ୍ଥିତିରେ ଉଭୟ ରାଷ୍ଟ୍ରମୁଖ୍ୟ, ଅର୍ଥାତ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କିଙ୍କୁ ସିଧାସଳଖ ପରସ୍ପର ସହ କଥା ହେବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନ୍ୟୁକ୍ଲିୟର୍ ପାଓ୍ୱାର୍ ପ୍ଲାଣ୍ଟ, ସିଭିଲିଆନ୍ ଏୟାରପୋର୍ଟ, ଆଉ ଆଜି ପୁଣି ଏକ ଅଏଲ୍ ଡିପୋ । ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଗୁଡ଼ିକୁ ମିସାଇଲ୍‌ରେ ଉଡ଼ାଇ, ୟୁକ୍ରେନ୍‌କୁ ବିଭିନ୍ନ ଦିଗରୁ ଦୁର୍ବଳ କରିବାରେ ଲାଗିଛି ଋଷ । ସତେକି ଶତ୍ରୁର ଶିରଚ୍ଛେଦ ପୂର୍ବରୁ, ପକ୍ଷ ଛେଦନ କରୁଛନ୍ତି ପୁଟିନ । ଲୁହାନ୍‌ସ୍‌କ ତୈଳ ଭଣ୍ଡାରରେ ଋଷର ଟୋଚ୍‌କା-ୟୁ ମିସାଇଲ୍ ମାଡ଼ ପରେ ଭୟଙ୍କର ଅଗ୍ନିକାଣ୍ଡର ଦେଖିବାକୁ ମିଳିଛି । ମାଇକୋଲେଭ୍ ସହରରେ ବି ଋଷୀୟ କ୍ଷେପଣାସ୍ତ୍ର ତାଣ୍ଡବ ରଚିଛି । ବିଶେଷ କରି ଏବେ ୟୁକ୍ରେନ୍‌ର ଉତ୍ତର, ଦକ୍ଷିଣ ଓ କେନ୍ଦ୍ରାଞ୍ଚଳରେ ଥିବା ସହର ଗୁଡ଼ିକ ଉପରେ ବୋମାବର୍ଷା ଚାଲିଛି ।

ଗତକାଲି ୮ଟି ଋଷୀୟ ମିସାଇଲ୍ ମାଡ଼ ପରେ ଧ୍ୱଂସ ହୋଇଥିଲା କେନ୍ଦ୍ରୀୟ ୟୁକ୍ରେନ୍‌ରେ ଥିବା ଭିନିତ୍ସିଆ ବେସାମରିକ ବିମାନବନ୍ଦର । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ୧୨ ଦିନର ଯୁଦ୍ଧରେ ଋଷ ୟୁକ୍ରେନ୍‌ର ୨ହଜାର ୧୧୯ ସୈନ୍ୟଙ୍କୁ ମାରିଥିବା କହିଥିବା ବେଳେ, ୟୁକ୍ରେନ୍ ଦାବି କରିଛି ଋଷର ୧୧ ହଜାର ସୈନ୍ୟଙ୍କ ମୃତ୍ୟୁ ହୋଇଛି । ତେବେ ଆଜି କିଭ୍, ଖାର୍କିଭ୍, ମାରିଉପୋଲ ଓ ସୁମି ସହରରୁ ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କରିଥିଲେ ପୁଟିନ । ରୁଷ ଓ ବେଲାରୁଷକୁ ମାନବୀୟ କରିଡର୍ ପାଇଁ ମସ୍କୋର ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି ୟୁକ୍ରେନ୍ ।

ଋଷ ରାଷ୍ଟ୍ରପତି ପୁଟିନ କହୁଛନ୍ତି, ଆଲୋଚନା ହେଉ ବା ଯୁଦ୍ଧ, ୟୁକ୍ରେନ୍ ଆମ କଥା ମାନିବାକୁ ବାଧ୍ୟ । ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି, ଆମେ ତୁମକୁ ଭୁଲିବୁନି କି କ୍ଷମା ଦେବୁନି । ଏଭଳି ସ୍ଥିତିରେ ଆଜି ୨ ବିପରୀତମୁଖୀ ଶକ୍ତିକୁ ଗୋଟିଏ ଟେବୁଲକୁ ଆଣିବାକୁ ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୟୁକ୍ରେନ ସଂକଟ ପ୍ରସଙ୍ଗରେ ଫୋନ୍ ଯୋଗେ ଜେଲେନସ୍କିଙ୍କ ସହ ୩୫ ମିନିଟ୍ ଏବଂ ପୁଟିନଙ୍କ ସହ ୫୦ ମିନିଟ ଧରି ଆଲୋଚନା କରିଛନ୍ତି । ଏହି ଅବସରରେ ଶାନ୍ତି ଆଲୋଚନା ଦ୍ୱାରା ବିବାଦର ସମାଧାନ ଉପରେ ଗୁରୁତ୍ୱାରୋପ କରିବା ସହ, ଉଭୟ ରାଷ୍ଟ୍ରମୁଖ୍ୟଙ୍କୁ ପରସ୍ପର ସହ ସିଧାସଳଖ କଥା ହେବାକୁ ଅନୁରୋଧ କରିଛନ୍ତି । ଏଥିସହ ଭାରତୀୟଙ୍କୁ ଉଦ୍ଧାର କରିବାରେ ସହାୟତା ଯୋଗାଇଥିବାରୁ ଉଭୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି ।

ସେପଟେ ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପ୍ରାୟ ୧୦ ଦିନ ଧରି ଚାଲିଥିବା ଅପରେସନ୍ ଗଙ୍ଗା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୨୦ ହଜାରରୁ ଏବେ ସୁଦ୍ଧା ୧୬ ହଜାର ଭାରତୀୟ ସ୍ୱଦେଶ ଫେରିଥିବା ବେଳେ, ୩ ହଜାର ୟୁକ୍ରେନ୍‌ର ପଡ଼ୋଶୀ ଦେଶରେ ଅଛନ୍ତି ଏବଂ ୬୦୦ ଛାତ୍ରଛାତ୍ରୀ ସୁମିରେ ଫସିରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଦୂତାବାସ ପକ୍ଷରୁ ପ୍ରୟାସ ଚାଲିଥିବା କହିଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭି. ମୂରଲୀଧରନ । ସେପଟେ ଆଜି ଭାରତ ଫେରିଛନ୍ତି କିଭ୍‌ରେ ଗୁଳିମାଡ଼ରେ ଆହତ ହୋଇଥିବା ଡାକ୍ତରୀ ଛାତ୍ର ହରଜୋତ୍ ସିଂହ । ପୋଲାଣ୍ଡରୁ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂଙ୍କ ସହ ବାୟୁସେନାର ବିମାନରେ ଆସି ସେ ହିଣ୍ଡନ୍ ଏୟାରବେସ୍‌ରେ ଓହ୍ଲାଇଛନ୍ତି ।