• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଋଷ-ୟୁକ୍ରେନ୍‌ ଯୁଦ୍ଧ ଏବେ ସାଂଘାତିକ ସ୍ଥିତିରେ । କେହି କାହାକୁ ଛାଡ଼ିବାକୁ ନାରାଜ । ୟୁକ୍ରେନ୍‌ରେ ବୋମା ବର୍ଷା କରୁଛି ଋଷ । ଗୋଟିଏ ପଟେ ଧମାଧମ ମିସାଇଲ ମାଡ଼ କରିବା ସହ ଅନ୍ୟପଟେ ଏୟାର ଷ୍ଟ୍ରାଇକ୍‌ ମଧ୍ୟ କରୁଛି ଋଷ । ସେପଟେ ସ୍ଥଳ ସେନା ମଧ୍ୟ ୟୁକ୍ରେନ୍‌ ସୀମାରେ ପଶି ଫାଇଟର ଟ୍ୟାଙ୍କ ଦ୍ୱାରା ଅନେକ ସୈନ୍ୟ ଆଡ୍ଡା ଧ୍ୱଂସ କଲାଣି । ଏବେ ୟୁକ୍ରେନ୍‌ରେ ଯୁଆଡ଼େ ଦେଖିବ ଖାଲି ନିଆଁ ବର୍ଷା । ତେବେ ଋଷ ସେତିକିରେ ଶାନ୍ତ ପଡ଼ି ନାହିଁ । କେବଳ ସ୍ଥଳ ସେନା ଓ ବାୟୁ ସେନା ଦ୍ୱାରା ଆକ୍ରମଣ କରି ଚୁପ୍‌ ବସିନାହିଁ ଋଷ । ଗୋଟିଏ ପଟେ ବୋମା ବର୍ଷା ଚାଲିଥିବା ବେଳେ ଅନ୍ୟପଟେ ସାଇବର ଆଟାକ୍‌ ମଧ୍ୟ ଆରମ୍ଭ କରିଛି ଋଷ । ୟୁକ୍ରେନରେ ଶହ ଶହ କମ୍ପ୍ୟୁଟରକୁ ଟାର୍ଗେଟ କରୁଥିବା ଏକ ବିପଜ୍ଜନକ ସଫ୍ଟୱେୟାର ଏବେ ସାମ୍ନାକୁ ଆସିଛି ।

ସାଇବର ସିକ୍ୟୁରିଟି ଫାର୍ମ ESTE ଅନୁଯାୟୀ, ଏହି ସଫ୍ଟୱେୟାର ୟୁକ୍ରେନର ଅନେକ କମ୍ପ୍ୟୁଟର ଉପରେ ଆକ୍ରମଣ କରିଛି । ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଏକ ବିବୃତିରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଡାଟା ଡିଲିଟ୍‌ କରିବା ପାଇଁ ଦେଶର ହଜାର ହଜାର କମ୍ପ୍ୟୁଟର ଭିତରେ ଏହି ସପ୍ଟୱେୟାର ଇନଷ୍ଟଲ କରାଯାଇଛି ।

ଏଭଳି ସାଇବର ଆଟାକ୍‌ ପାଇଁ ଗତ କିଛି ମାସ ଧରି ପ୍ରି-ପ୍ଲାନ୍‌ କରାଯାଇଛି । ସାଇବର ସିକ୍ୟୁରିଟି ଫାର୍ମ ସିମାନ୍‌ଟେକର ବିକ୍ରମ ଠାକୁର କହିଛନ୍ତି ଯେ, ଏହି ସଫ୍ଟୱେୟାର୍‌କୁ ବଡ଼ ଆକାରରେ ବିସ୍ତାର କରାଯାଇଛି । ଅନେକ ସ୍ଥାନରେ ଏହାକୁ ବ୍ୟବହାର କରାଯାଇଛି । ସମଗ୍ର ୟୁକ୍ରେନ ଏବଂ ଲାଟଭିଆରେ ଏହାର ଆକ୍ଟିଭିଟି ମଧ୍ୟ ଦେଖିବାକୁ ମଳିଛି । ଏହି ସାଇବର ଆଟାକ୍‌ ପଛରେ କିଏ ରହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ କିନ୍ତୁ ପ୍ରଥମ ସନ୍ଦେହ ଋଷ ଆଡ଼କୁ ଯାଉଛି ବୋଲି ସେ କହିଛନ୍ତି ।

ପୂର୍ବରୁ ଅନେକ ଥର ରୁଷ ବିରୋଧରେ ସାଇବର ଆଟାକ୍‌ ଅଭିଯୋଗ ହୋଇଛି । କିନ୍ତୁ ଋଷ ଏହି ଅଭିଯୋଗକୁ ଖଣ୍ଡନ କରି ଆସିଛି । ୟୁକ୍ରେନର ସାଇବର ଏକ୍ସପର୍ଟ ମାନେ ଏହି ସଫ୍ଟୱେୟାରର ଯାଞ୍ଚ କରୁଛନ୍ତି । ଏହି ସପ୍ଟୱେୟାରର ସାମର୍ଥ୍ୟ ପରୀକ୍ଷା କରିବା ପାଇଁ ଏହାର ଏକ ନକଲ ଆଲଫାବେଟର କ୍ରାଉଡସୋର୍ସ ସାଇବର ସିକ୍ୟୁରିଟି ସାଇଟ ଭାଇରସ ଟୋଟାଲରେ ଅପଲୋଡ୍ କରିଛନ୍ତି । ତଦନ୍ତକାରୀଙ୍କ କହିବାନୁଯାୟୀ ଏହି ସଫ୍ଟୱେୟାରକୁ ବ୍ୟବହାର ପାଇଁ ଏକ ସାର୍ଟିଫିକେଟ୍ ମାଧ୍ୟମରେ ଡିଜିଟାଲ୍ ସାଇନ୍ କରାଯାଇଛି ।

ଅନ୍ୟପଟେ ୟୁକ୍ରେନ ନିଜର ଏୟାରସ୍ପେସ୍‌ ସୀମା ସିଲ୍‌ କରିଦେଇଛି । ୟୁକ୍ରେନ ଆଶଙ୍କା କରୁଛି ଯେ, ସେମାନଙ୍କ ପାଖକୁ ଆସୁଥିବା ବିମାନ ଉପରେ ଋଷ ଆକ୍ରମଣ କରିପାରେ ଏବଂ ସେମାନଙ୍କ ବିରୋଧରେ ସାଇବର ଆଟାକ୍‌ ମଧ୍ୟ କରିବାର ସମ୍ଭାବନା ରହିଛି । ୟୁକ୍ରେନ ଷ୍ଟେଟ ଏୟାର ଟ୍ରାଫିକ ସର୍ଭିସ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ସିଭିଲ ଫ୍ଲାଇଟ୍‌ ଉଡ଼ାଣ ପାଇଁ ଏୟାର ସ୍ପେସ ବନ୍ଦ କରିଦିଆଯାଇଛି ।