• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍‌ଙ୍କ ଇସ୍ତଫା ପରେ ଏବେ ପୁଣି ଭାରତୀୟ ବଂଶୋଦ୍ଭବ ରିଶି ସୁନକଙ୍କୁ ନେଇ ଚର୍ଚ୍ଚା । ରିଷି ସୁନକ ଧରିପାରନ୍ତି ବ୍ରିଟେନ ଶାସନ ଡୋରୀ । ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରେସ୍‌ରେ ଏବେ ସବୁଠାରୁ ଆଗରେ ରହିଛନ୍ତି ରିଶି ସୁନକ । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦ ଲାଗି ରିଶି ସୁନକଙ୍କୁ ବାଦ ଦେଲେ ଜେମ୍‌ସ କ୍ଲୋବୋଲିକ୍, ପୂର୍ବତନ ପ୍ରତିରକ୍ଷା ସଚିବ ବେଡ୍ ୱାଲେସ୍, ପେରି ମର୍ଡାଣ୍ଟ, କେମି ବେଡନୋଚ୍‌ଙ୍କ ନା ମଧ୍ୟ ଚର୍ଚ୍ଚା ହେଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ମଧ୍ୟ ପ୍ରଧାନମନ୍ତ୍ରୀ ରେସ୍‌କୁ ପୁଣିଥରେ ଓହ୍ଲାଇ ପାରନ୍ତି ବୋଲି କୁହାଯାଉଛି । ଅନ୍ୟପଟେ ରିଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ରେସ୍‌ରୁ ବାହାରେ ରହିବାକୁ ବୋରିସ ଜନସନ୍ ଚାପ ପକାଉଥିବା ଶୁଣିବାକୁ ମିଳୁଛି ।

ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଲାଗି ପୁଣିଥରେ ନିର୍ବାଚନ ହେବ । ପୂର୍ବରୁ କନଜରଭେଟିଭ୍ ପାର୍ଟିର ନେତା ଭାବରେ ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ଲିଜ୍ ଟ୍ରସ୍ । ମାତ୍ର ୪୪ ଦିନ ପରେ ଇସ୍ତଫା ଦେଇଛନ୍ତି । କ୍ଷମତାରେ ରହିବାର ଦୁଇଟା ମାସ ବି ନପୂରୁଣୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଲିଜ୍ ଟ୍ରସ୍ । ଋଣ କରି ଟିକସ୍ କାଟ୍ ଭଳି ତ୍ରୁଟିପୂର୍ଣ୍ଣ ଆର୍ଥିକ ନିଷ୍ପତ୍ତି ଦୃଷ୍ଟିରୁ ମିନି ବଜେଟ୍ ଆଗତ ହେବା ପରେ ପରେ ନିଜ ଦଳରୁ ଟ୍ରସଙ୍କୁ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ତେଣେ ଦେଶର ଅର୍ଥନୀତି ସଂଗୀନ ସ୍ଥିତିକୁ ଖସିବା ପରେ ଜନସାଧାରଣଙ୍କ ଭିତରେ ବି ତେଜିଥିଲା ଟ୍ରସ୍ ବିରୋଧୀ ସ୍ୱର । ବୋରିସ୍ ଜନସନଙ୍କ ଇସ୍ତଫା ପରେ ନିଜ ଦଳୀୟ ପ୍ରତିଦ୍ୱନ୍ଦ୍ୱୀ ତଥା ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କୁ ହରାଇ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ଟ୍ରସ୍ ।

ତେବେ କ୍ଷମତାକୁ ଆସିବା ପରେ ନିଜ ପ୍ରତିଶ୍ରୁତି ପାଳନରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ବୈଦେଶିକ ମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ପାଲଟିଥିବା ଏହି କଞ୍ଜର୍ଭେଟିବ୍ ନେତା । ଶେଷରେ ଦାୟିତ୍ୱ ନେବାର ୬ ସପ୍ତାହ ପରେ ସେ ପଦତ୍ୟାଗ କରିଛନ୍ତି । ଆସନ୍ତା ସପ୍ତାହେ ଭିତରେ ଦଳର ନୂଆ ନେତା ନିର୍ବାଚିତ ହେବେ ଏବଂ ସେ ପର୍ଯ୍ୟନ୍ତ ସେ କାମଚଳା ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିବେ ।

ଅନ୍ୟପଟେ ବ୍ରିଟେନ୍‌ର ରାଜନୈତିକ ଅସ୍ଥିରତା ଏତେ ସାଂଘାତିକ ଯେ, ଦେଶକୁ ସମ୍ଭାଳିବା ପାଇଁ ଲୋଡ଼ା କୌଣସି ବିଦେଶୀ ଶକ୍ତି, ଏଇ ଯେମିତି ଭାରତ । ଇଂଲଣ୍ଡର ଏକ କମେଡି ସୋରେ ମଜା ମଜାରେ କୁହାଯାଇଥିବା ଏହି କଥା ସତ ହେବାକୁ ଯାଉଛି କି ? କାରଣ ଲିଜ୍ ଟ୍ରସଙ୍କୁ ଇସ୍ତଫା ପରେ ଲୋକେ ଚାହୁଁଛନ୍ତି ଭାରତୀୟ ବଂଶୋଦ୍ଭବ ରିଷି ସୁନକ ହୁଅନ୍ତୁ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ।

ଲିଜ୍ ଟ୍ରସ୍ ଇସ୍ତଫା ଦେଇଥିବା ବେଳେ ଭାରତୀୟ ବଂଶୋଦ୍ଭବ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ରିଷି ସୁନକଙ୍କ ପ୍ରତି ବ୍ରିଟେନବାସୀଙ୍କ ବିଶ୍ୱାସ ବଢୁଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ରେସରେ ଲିଜ୍ ଟ୍ରସଙ୍କ ଠାରୁ ପ୍ରାୟ ମାସକ ତଳେ ପରାଜିତ ହୋଇଥିଲେ ସୁନକ । ବର୍ତ୍ତମାନ ସମୟରେ ବ୍ରିଟେନରେ ଆର୍ଥିକ ସଂକଟ ଦେଖାଦେବା ପରେ ଦେଶକୁ ସେଥିରୁ ମୁକୁଳାଇବା ପାଇଁ ଲୋକେ ପୁଣି ତାଙ୍କୁ ଖୋଜୁଛନ୍ତି । ବୋରିସ ଜନସନଙ୍କୁ ପ୍ରଧାନମନ୍ତ୍ରୀତ୍ୱ କାଳରେ ଅର୍ଥମନ୍ତ୍ରୀ ଥିଲେ ସୁନକ୍ । ସେତେବେଳେ ସୁନକ୍ ନିଜର ବିଚକ୍ଷଣ ପ୍ରତିଭା ପ୍ରଦର୍ଶନ କରିବା ସହିତ କରୋନା ଲକଡାଉନ ବେଳେ ଅର୍ଥନୀତିକୁ ସୁଦୃଢ଼ ରଖିବାରେ ସଫଳ ହୋଇପାରିଥିଲେ ।

ଆଉ ଏହି କାରଣରୁ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଥିଲେ ସୁନକ । ବର୍ତ୍ତମାନ ଅର୍ଥନୀତି ଦୁର୍ବଳ ହେଉଥିବା ବେଳେ ବ୍ରିଟେନବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ସୁନକ । ଟ୍ରସଙ୍କ ଅର୍ଥନୀତି ବ୍ୟବସ୍ଥା ବ୍ରିଟେନର ଆର୍ଥିକ ସ୍ଥିତିକୁ ଦେବାଳିଆ କରୁଥିବା ଅଭିଯୋଗ ହୋଇଥିଲା । ଟିକସ୍ କାଟ୍ ଓ ଅଧିକ ଋଣ ଭଳି ପଦକ୍ଷେପ ଯୋଗୁଁ ଡଲାର୍ ତୁଳନାରେ ପାଉଣ୍ଡ୍ ଅଧିକ ଦୁର୍ବଳ ହୋଇଛି । ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ଉଚ୍ଚା ହୋଇଛି ଯାହା କରୋନା ମହାମାରୀ ଭିତରେ ବି ହୋଇନଥିଲା ।