• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଇସ୍ରାଏଲ-ପାଲେଷ୍ଟାଇନ ମହାଯୁଦ୍ଧରେ ନୂଆ ମୋଡ଼ ।ମଧ୍ୟସ୍ଥତା ପାଇଁ କସରତ ଆରମ୍ଭ କଲା କତାର୍ । ଦୋହା ଓ ଗାଜାରେ ଥିବା ହମାସ୍ ଅଧିକାରୀଙ୍କ ସହ କତାର୍ ମଧ୍ୟସ୍ଥ କଥା ହୋଇଥିବା, ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।ସର୍ତ୍ତ ରହିଛି ଯେ, ହମାସ୍ ଆତଙ୍କୀ ଅପହରଣ କରି ଗାଜା ପଟ୍ଟିରେ ରଖିଥିବା ଇସ୍ରାଏଲୀ ମହିଳା ଓ ଶିଶୁଙ୍କୁ ଛାଡ଼ିବେ ।

ପ୍ରତିବଦଳରେ ଇସ୍ରାଏଲ ନିଜ ଜେଲରେ ବନ୍ଦୀ ରଖିଥିବା ୩୬ ପାଲେଷ୍ଟାଇନ୍ ମହିଳା ଓ ଶିଶୁ ନାଗରିକଙ୍କୁ ମୁକ୍ତ କରିବ । ଏନେଇ କତାର୍ ଆମେରିକା ସହିତ ମଧ୍ୟ ଯୋଗାଯୋଗ କରିଥିବା ସୂଚନା ମିଳିଛି ।ତେବେ ଇସ୍ରାଏଲ କହିଛି ଯେ, ତାଙ୍କ ସହ ଏଭଳି କୌଣସି ଆଲୋଚନା ହୋଇନାହିଁ । ତେଣେ ଇଜିପ୍ଟ ମଧ୍ୟ ଯୁଦ୍ଧସ୍ଥିତି ସୁଧାରିବାକୁ ଓ ପଣବନ୍ଦୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଉଭୟ ହମାସ୍ ଓ ଇସ୍ରାଏଲ ସହ ଯୋଗାଯୋଗରେ ଥିବା କୁହାଯାଉଛି ।

ସେପଟେ ସମୟ ଯେତେ ବିତୁଛି ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଘମାଘୋଟ ପରିସ୍ଥିତି ଅଧିକ ବିଗୁଡ଼ୁଛି । ହମାସ୍ ଆତଙ୍କବାଦୀଙ୍କ ଉପରେ ହମଲାକୁ ଅଧିକ ଜୋରଦାର କରିଛି ଇସ୍ରାଏଲ୍ । ଗାଜାପଟ୍ଟି ଉପରେ ଘନ ଘନ ବୋମାମାଡ଼ ପରେ ଏବେ ସ୍ଥଳ ପଥରେ ଅପରେସନ୍ ଆରମ୍ଭ ହୋଇଛି । ଗତକାଲି ରାତିରୁ ଇସ୍ରାଏଲ୍ ସେନା ଗାଜାରେ ପ୍ରବେଶ କରିବା ସହ ଏନକାଉଣ୍ଟର୍ ଆରମ୍ଭ କରିଛି । ହମାସ୍ର ଆତଙ୍କୀ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରାଯାଉଛି । ତା’ସହ ବିଭିନ୍ନ ସ୍ଥାନରେ ଅପହୃତ ହୋଇଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ଚାଲିଛି ।

ଅନ୍ୟପଟେ ବନ୍ଧକ ରଖିଥିବା ଶହ ଶହ ଇସ୍ରାଏଲ୍ ନାଗରିକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି ହମାସ୍ । ଗାଜା ଉପରେ ଏୟାର ଷ୍ଟ୍ରାଇକକୁ ବନ୍ଦ ନକଲେ ଏହାର ଚରମ ପରିସ୍ଥିତି ଭୋଗିବାକୁ ପଡ଼ିବ ବୋଲି ବିବୃତି ଜାରି କରିଛନ୍ତି ହମାସ୍ ଆତଙ୍କବାଦୀ । ଗାଜା ସୀମାରେ ଗତ ଦୁଇ ଦିନ ତଳେ ଏକ ନେଚର୍ ପାର୍ଟି ଚାଲିଥିବାବେଳେ ଶତାଧିକ ସଂଖ୍ୟାରେ ଥିବା ଇସ୍ରାଏଲ୍ ଓ ଅନ୍ୟ ଦେଶର ନାଗରିକଙ୍କୁ ଅପହରଣ କରିଛନ୍ତି ହମାସ୍ ଆତଙ୍କବାଦୀ । ଏମାନଙ୍କୁ ମୁକୁଳାଇବା ଏବେ ଇସ୍ରାଏଲ୍ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।