• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ୱାଶିଂଟନରେ ଶୁଭୁଛି ମୋଦି ମୋଦି ନାରା । ଆଉ କିଛି ସମୟ ପରେ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ । ଏହା ପୂର୍ବରୁ ହ୍ୱାଇଟହାଉସ ବାହାରେ ପ୍ରବାସୀ ଭାରତୀୟଙ୍କ ଭିଡ଼ ଦେଖିବାକୁ ମିଳିଛି । ହାତରେ ତ୍ରିରଙ୍ଗା ଧରି ସେମାନେ ମୋଦିଙ୍କ ଅପେକ୍ଷାରେ ଅଛନ୍ତି । ବନ୍ଦେ ମାତରମ ଓ ମୋଦି ମୋଦି ନାରା ଶୁଭୁଛି । ହ୍ୱାଇଟ ହାଉସର ଓଭାଲ୍ ଅଫିସ ଅର୍ଥାତ୍ ଆମେରିକା ରାଷ୍ଟ୍ରପତିଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଦ୍ୱିପାକ୍ଷିକ ବୈଠକ ହେବାକୁ ଥିବାବେଳେ, ସେଥିରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା ଓ କୂଟନୈତିକ ସଂପର୍କ ସୁଦୃଢ଼ କରିବା ଦିଗରେ ଆଲୋଚନା କରିବେ ମୋଦି ଓ ବାଇଡେନ୍ ।

ମହାକାଶ ଗବେଷଣା, ଟେକ୍ନୋଲୋଜି, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟ ଓ ଶିକ୍ଷା ସୁରକ୍ଷା ସମେତ ବିଶ୍ୱର ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ମଧ୍ୟ ଏଥିରେ ସାମିଲ ହୋଇପାରେ ବୋଲି ଆଶା କରାଯାଉଛି । ଦ୍ୱିପାକ୍ଷିକ ବୈଠକ ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ଉଭୟ ରାଷ୍ଟ୍ରମୁଖ୍ୟ । ପ୍ରଧାନମନ୍ତ୍ରୀ ବନିବା ପରେ ଏହା ମୋଦିଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ ବୋଲି କୁହାଯାଉଛି । ଏଥିରେ ଜଣେ ଆମେରିକୀୟ ଓ ଜଣେ ଭାରତୀୟ ସାମ୍ବାଦିକଙ୍କ ଗୋଟିଏ ଲେଖାଏଁ ପ୍ରଶ୍ନର ଉତ୍ତର ରଖିବେ ମୋଦି । ତେବେ ସାରା ବିଶ୍ୱର ନଜର ରହିଛି ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ମୋଦିଙ୍କ ସମ୍ବୋଧନ ଉପରେ । ଦୁଇ ଦୁଇଥର ଆମେରିକୀୟ କଂଗ୍ରେସକୁ ସମ୍ବୋଧନ କରିବାରେ ମୋଦି ପାଲଟିବେ ପ୍ରଥମ ଭାରତୀୟ ନେତା । ୟୁଏସ୍ କ୍ୟାପିଟଲରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଛି ।

ଏଥିରେ ଆମେରିକୀୟ କଂଗ୍ରେସମ୍ୟାନ୍ ଓ ସିନେଟରମାନଙ୍କ ସହିତ ଦର୍ଶକ ଗ୍ୟାଲେରିରେ ବହୁ ପ୍ରତିଷ୍ଠିତ ଭାରତୀୟ ବଂଶୋଦ୍ଭବ ମାନେ ମଧ୍ୟ ଉପସ୍ଥିତ ରହିବେ । ଏହାପୂର୍ବରୁ ୨୦୧୬ରେ ଆମେରିକା କଂଗ୍ରେସକୁ ସମ୍ବୋଧନ କରିଥିଲେ ମୋଦି । ଏହାପରେ ହ୍ୱାଇଟହାଉସ ସାଉଥ ଲନରେ ବାଇଡେନ ଦଂପତିଙ୍କ ଦ୍ୱାରା ଆୟୋଜିତ ଷ୍ଟେଟ୍ ଡିନର ବା ରାଜକୀୟ ନୈଶ୍ୟଭୋଜିରେ ଯୋଗଦେବେ ମୋଦି । ଏଥିରେ ପ୍ରାୟ ୪ଶହ ଅତିଥି ସାମିଲ ହେବେ । ମୋଦିଙ୍କ ପାଇଁ ସ୍ୱତନ୍ତ୍ର ନିରାମିଷ ଖାଦ୍ୟ ପ୍ରସ୍ତୁତ କରାଯାଇଛି ।

ଭାରତର ଜାତୀୟ ପତାକାକୁ ଦୃଷ୍ଟିରେ ରଖି ପ୍ରତି ଟେବୁଲକୁ ସବୁଜ ଓ ନାରଙ୍ଗୀ ରଙ୍ଗର ଫୁଲରେ ସଜାଯିବ ବୋଲି ସୂଚନା ମିଳିଛି । ମୋଦିଙ୍କୁ ପରସାଯିବ ମାଣ୍ଡିଆ କେକ୍, ପୋଡ଼ା ମକାମଞ୍ଜି ସାଲାଡ୍, ତରଭୁଜ ଓ ଖଟା ଆଭୋକାଡୋ । ଏଥିସହ ମେନକୋର୍ସରେ ରହିଛି ପୋର୍ଟୋବେଲୋ ମଶ୍ରୁମ୍. କ୍ରିମି ସାଫ୍ରନ୍-ଇନଫ୍ୟୁଜ୍ଡ ରିଜୋଟୋ, ଲେମନ୍-ଡିଲ୍ ୟଗର୍ଟ ସସ୍, କ୍ରିସ୍ପଡ ମିଲେଟ୍ କେକ୍ ଓ ସମର୍ ସ୍କ୍ୱାଶ୍ ଇତ୍ୟାଦି ।