• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚୌଦ୍ୱାର: ୟୁକ୍ରେନ୍‌ରେ ଫସିଛି କଟକ ଝିଅ । କଟକ ଚୌଦ୍ୱାରର ଝିଅ ଯାଇଥିଲେ ୟୁକ୍ରେନ୍‌ରେ ଡାକ୍ତରୀ ପାଠ ପଢ଼ିବାକୁ, ଆଉ ଏବେ ସେ କାର୍କୋଭ୍ ନ୍ୟାସନାଲ୍ ୟୁନିଭର୍ସିଟିର ତୃତୀୟ ବର୍ଷର ଛାତ୍ରୀ । କେତେ ଖୁସିରେ ବାପା ମାଆ ପଠାଇଥିଲେ ଝିଅକୁ ବିଦେଶରେ ପାଠ ପଢ଼େଇ ବଡ଼ ମଣିଷ କରିବେ । ହେଲେ ଏବେ ସେହି ବାପା ମାଆ, ଝିଅ ପାଇଁ ପଡ଼ିଛନ୍ତି ଚିନ୍ତାରେ । ନା ଭୋକ ହେଉଛି ନା ଶୋଷ । ଝିଅକୁ ଦିନ ରାତି ଝୁରୁଛନ୍ତି । କାଳେ କେତେବେଳେ କ’ଣ ଘଟିବ ସେଥିପାଇଁ ବାରମ୍ବାର କରୁଛନ୍ତି ଭିଡିଓ କଲ । ଆଉ ମନକୁ ବୁଝାଉଛନ୍ତି ।

ସୂଚନାଯୋଗ୍ୟ, ୟୁକ୍ରେନ୍‌-ଋଷ ମଧ୍ୟ ଲାଗିଥିବା ଭୟଙ୍କର ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ୟୁକ୍ରେନ୍‌ ଉପରେ ଆକ୍ରମଣ କରିଛି ଋଷିଆ । ଘନ ଘନ କରୁଛି ବୋମା ବର୍ଷା । ଫଳରେ ଅଧା ୟୁକ୍ରେନ୍‌ ଏବେ ଛିନ୍‌ଛତ୍ର ହୋଇଯାଇଛି । ଅଶାନ୍ତ ହୋଇ ପଡ଼ିଛି ସାରା ଦେଶ । ଏହାରି ଭିତରେ ୟୁକ୍ରେନ୍‌ରେ ପାଠ ପଢ଼ିବାକୁ ଯାଇଥିବା ଅନେକ ଛାତ୍ରଛାତ୍ରୀ ଫଶି ରହିଛନ୍ତି । ନା ବାହାରକୁ ବାହାରି ପାରୁଛନ୍ତି ନା ଘରେ ରହିପାରୁଛନ୍ତି । କେଉଁ ମୁହୁର୍ତ୍ତରେ ମିସାଇଲ ମାଡ଼ ହେବ ସେନେଇ ସମସ୍ତେ ଆଶଙ୍କାରେ । ସେହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫଶିରହିଛନ୍ତି ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ । ଆଉ ସେମାନଙ୍କ ମଧ୍ୟରେ ରହିଛନ୍ତି କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଳକ୍ କହ୍ନେଇପୁର ପଞ୍ଚାୟତ କନମିରା ଗ୍ରାମର ଝିଅ ପ୍ରିୟଙ୍କା ପ୍ରୀୟଦର୍ଶନୀ ଜେଠୀ ।

ପ୍ରିୟଙ୍କାଙ୍କ ପାଇଁ ଏବେ ଚିନ୍ତାରେ ପୁରା ପରିବାର । ବାପା ମାଆଙ୍କ ଆଖିରୁ ଲୁହ ସୁଖୁନି । ଝିଅ କେମିତି ସୁରକ୍ଷିତ ଘରକୁ ଫେରିବ ସେନେଇ ସବୁବେଳେ ପ୍ରାର୍ଥନା କରୁଛନ୍ତି । ଏମିତିକି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଝିଅକୁ ସୁରକ୍ଷିତ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । କହ୍ନେଇପୁରର ଧୀରେନ୍ଦ୍ର କୁମାର ଜେଠୀ ଓ ଲବଙ୍ଗଲତା ନାୟକଙ୍କ ବଡ଼ ଝିଅ ପ୍ରିୟଙ୍କା । ସେ ୟୁକ୍ରେନର କାର୍କୋଭ୍ ନ୍ୟାସନାଲ୍ ୟୁନିଭର୍ସିଟିର ତୃତୀୟ ବର୍ଷର ଡାକ୍ତରୀ ଛାତ୍ରୀ । ସେ ୨୦୧୯ରୁ ୟୁକ୍ରେନ୍‌ରେ ରହି ଡାକ୍ତରୀ ପାଠ ପଢ଼ୁଛନ୍ତି ।

ପ୍ରଥମ ଦୁଇ ବର୍ଷ ତ କିଛି ଅସୁବିଧା ନଥିଲା । ହେଲେ ଏବେ ଆସି ପହଞ୍ଚିଛି ବଡ଼ ବିପଦ । ୟୁକ୍ରେନ୍‌ ଉପରେ ଘନ ଘନ ମିସାଇଲ ମାଡ଼ କରୁଛି ଋଷ । ଆଉ ମିସାଇଲ ମାଡ଼ ଭୟରେ ନିଜର ସୁରକ୍ଷା ପାଇଁ ବଙ୍କର ଭିତରେ ପଶିଛନ୍ତି ହଜାର ହଜାର ଛାତ୍ରଛାତ୍ରୀ । ଆଉ ସେମିତି ଏକ ବଙ୍କର ଭିତରେ ରହିଛନ୍ତି ପ୍ରିୟଙ୍କା । ଝିଅର ଏଭଳି ସ୍ଥିତିକୁ ନେଇ ବାପା ଧୀରେନ୍ଦ୍ର ଓ ମାଆ ଲବଙ୍ଗଲତା ଆଶଙ୍କାରେ ଦିନ କାଟୁଛନ୍ତି । ଆଉ ଝିଅ ସୁରକ୍ଷିତ ଅଛି କି ନାହିଁ ଜାଣିବା ପାଇଁ ବାରମ୍ବାର ମୋବାଇଲରେ କରୁଛନ୍ତି ଭିଡିଓ କଲିଂ ।

ତେବେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ବଢ଼ିଛି ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ଦୁର୍ଦ୍ଦଶା। ପ୍ରମୁଖ ସହର କିଭ୍ ଓ ଖାରକିଭ୍‌ରେ ୟୁକ୍ରେନ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରବାସୀ ଭାରତୀୟମାନେ ଏବେ ପଡ଼ୋଶୀ ଦେଶ ରୋମାନିଆ, ହଙ୍ଗେରୀ ଓ ପୋଲାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି ।

ଯେଉଁମାନେ ପଶ୍ଚିମ ୟୁକ୍ରେନରେ ଥିଲେ ସେମାନେ ସହଜରେ ପଡ଼ୋଶୀ ଦେଶରେ ପହଞ୍ଚି ପାରୁଛନ୍ତି । ହେଲେ ଯେଉଁମାନେ କିଭ୍, ଖାରକିଭ୍ ଓ ସୁମି ଭଳି ସହରରେ ରହିଛନ୍ତି ସେମାନେ ୧୨୦୦ରୁ ୧୬୦୦ କିଲୋମିଟର ଦୂର ବୁକାରେଷ୍ଟ, ବୁଦାପେଷ୍ଟ ଯିବାକୁ ପଡୁଛି । ସପ୍ତାହେ ହେଲା ଆକ୍ରମଣ ଜାରି ରହିଥିବାରୁ ୟୁକ୍ରେନରେ ରହୁଥିବା ଭାରତୀୟମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ଘୋର ଖାଦ୍ୟ ସଙ୍କଟର ସାମ୍ନା କରୁଥିବା ସୂଚନା ମିଳିଛି । ଅନ୍ୟପକ୍ଷେ, ରୋମାନିଆକୁ ଭାରତ ପଠାଇଛି ସହାୟତା । ଭାରତୀୟ ବାୟୁସେନାର C-17 ପରିବହନ ବିମାନ ଖାଦ୍ୟ ସାମଗ୍ରୀ ଏବଂ ଜରୁରୀ ସାମଗ୍ରୀ ନେଇ ପହଞ୍ଚିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now