• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରୁଷ୍‌ର ଘନ ଘନ ଆକ୍ରମଣରେ ଥରହର ୟୁକ୍ରେନ୍ । ପ୍ରଥମେ କିଭ୍, ପରେ ଖାରକିଭ୍ । ମାଟିରେ ମିଶୁଛି ଗୋଟିଏ ପରେ ଗୋଟିଏ ସହର । ଏହାରି ଭିତରେ ଯୁଦ୍ଧ ଭୂଇଁରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ଜାରି ରହିଛି ଉଦ୍ୟମ । ଆଜି ଗୋଟିଏ ଦିନରେ ୩ହଜାର ଛାତ୍ରଛାତ୍ରୀ ଫେରିବେ ।

ସାତ ଦରିଆ ପାରରେ ଯୁଦ୍ଧ ଚାଲିଛି । ହେଲେ ଏଠି ଆଖିରୁ ଲୁହ ଶୁଖୁନି । ୟୁକ୍ରେନରେ ମେଡିକାଲ ପାଠ ପଢୁଥିବା ପୁରୀର ଯଜ୍ଞେଶ ରୋମାନିଆ ଆସିଗଲେଣି । ହେଲେ ତିନି ଦିନ ହେଲା ଭାରତ ଫେରିପାରୁ ନାହାଁନ୍ତି । ନାତିର ଫେରିବା ବାଟକୁ ଚାହିଁ ରହିଛନ୍ତି ଜେଜେ, ଜେଜେମା ।

ପ୍ରତି ମୁହୂର୍ତ୍ତରେ ଆଶଙ୍କା ଅଜଣା ଭୟରେ ଭୟଭୀତ ପୁରୀର ଆଉ ଏକ ପରିବାର । ଯୁଦ୍ଧଭୂଇଁ ୟୁକ୍ରେନର ଖାରକିଭରୁ ଫେରି ଆସିଥିଲେ ବି ଝିଅ ପ୍ରେରଣା ଏଯାଏଁ ଘରକୁ ଫେରିନି । ତାକଥା ମନେ ପଡିଲେ ଆଖିରୁ ଲୁହ ଗଡ଼ିଯାଉଛି, କୋହ ସମ୍ଭାଳି ହେଉନି ।

ଠିକ୍‌ ସମାନ ସ୍ଥିତି ଆଉ ଏକ ପରିବାରର । ପାଠ ପଢିବାକୁ ଯାଇ ୟୁକ୍ରେନରେ ଫଶିଥିବା ଝିଅ ଚନ୍ଦ୍ରିକା ସହ କେବେ ଦେଖା ହେବ ସେହି ଦିନକୁ ଚାତକ ପରି ଚାହିଁ ରହିଛନ୍ତି ବାପା-ମାଆ । ସେହିପରି ଭଦ୍ରକର ରଶ୍ମିରଂଜନ, ବଲାଙ୍ଗୀର ଜଗନ୍ନାଥପଡାର ଚନ୍ଦନ ଦାସ ଏବଂ କଟକ ଜରିପଡାର ସ୍ୱୟଂ ପ୍ରଧାନଙ୍କୁ ୟୁକ୍ରେନରୁ ସୁରକ୍ଷିତ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ପରିବାର ।

ଭୟ, ଆତଙ୍କ ଓ ମୃତ୍ୟୁ ଆଶଙ୍କାର ସେହି ଯୁଦ୍ଧ ଭୂଇଁରୁ ସୁରକ୍ଷିତ ଭାବେ ଘରେ ପହଞ୍ଚିଛନ୍ତି ରାଉରକେଲା ଆନନ୍ଦ ଭବନ ଲେନ୍‌ର ମହମ୍ମଦ ଯେସାନ । ହେଲେ ଆଖି ବନ୍ଦ କଲେ ମନେ ପଡିଯାଉଛି ୟୁକ୍ରେନ୍‌ରେ ବିତାଇଥିବା ସେହି ଭୟଙ୍କର ମୁହୂର୍ତ୍ତ ।

୫ ବର୍ଷ ପୂର୍ବରୁ ମେଡିକାଲ୍ ପାଠ ପଢିବାକୁ ୟୁକ୍ରେନ ଯାଇଥିବା ଯାଜପୁର ମାଣତିର ଗାଁର ମନିଷ ପଣ୍ଡା ବି ଫେରିଆସିଛନ୍ତି ଜନ୍ମମାଟିକୁ । ଋଷ ମିସାଇଲ ମାଡରେ ଛାରଖାର ହୋଇଯାଇଥିବା ଖାରକିଭ ସହରରେ ରହୁଥିଲେ ମନିଷ । ଏବେ ଟିଭିରେ ଧ୍ୱସ୍ତବିଧ୍ୱସ୍ତ ସହରର ଚିତ୍ର ଦେଖିମନେ ପକାଉଛନ୍ତି ବିତାଇଥିବା ମୁହୂର୍ତ୍ତକୁ । ଯେଉଁଠି ସେ ପଢୁଥିଲେ, ରହୁଥିଲେ ତାହା ଏବେ ଧ୍ୱସ୍ତ ବିଧ୍ୱସ୍ତ ।

ଏହାରି ଭିତରେ ଜୋରଦାର ହୋଇଛି ଭାରତର ଅପରେସନ ଗଙ୍ଗା ଅଭିଯାନ । ୟୁକ୍ରେନ୍‌ରୁ ଉଦ୍ଧାର ଛାତ୍ରଛାତ୍ରୀଙ୍କୁ ନେଇ ଭାରତ ଆସୁଛି ଏୟାର ଇଣ୍ଡିଆ ଓ ବାୟୁ ସେନାର ସ୍ୱତନ୍ତ୍ର ବିମାନ । ଆଜି ବୁକାରେଷ୍ଟରୁ ୧୮୩ ଜଣ ଭାରତୀୟଙ୍କୁ ଆଣି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଛି ବିମାନ ।

ସେହିପରି ୨୦୮ ଭାରତୀୟଙ୍କୁ ଆଣି ନୋଏଡ଼ା ନିକଟ ହିଣ୍ଡନ ଏୟାରବେସ୍‌ରେ ପହଞ୍ଚିଛି ବାୟୁସେନାର ବିମାନ ସି-୧୭ ଗ୍ଲୋବ୍‌ମାଷ୍ଟର । ବୁଦାପେଷ୍ଟରୁ ସୁରକ୍ଷିତ ଭାବେ ଭାରତୀୟ ନାଗରିକଙ୍କୁ ନେଇ ନୂଆଦିଲ୍ଲୀ ଆସିଛି ବାୟୁସେନାର ସ୍ୱତନ୍ତ୍ର ବିମାନ । ଆଜି ଗୋଟିଏ ଦିନରେ ୩ ହଜାର ଛାତ୍ରଛାତ୍ରୀ ଭାରତ ଫେରିବେ ବୋଲି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ।