• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଶ୍ୱରେ ଗୁଞ୍ଜରିତ ହେଉଛି ଭାରତ ବର୍ଷର ଯଶ । ମୋଦିଙ୍କ ନେତୃତ୍ୱରେ ଦେଶର ଭବିଷ୍ୟତ ସୁଦୃଢ଼ ହେବା ସହ ଦେଶ ବିକାଶ ଆଡ଼କୁ ଗତି କରୁଛି । ଏଥିପାଇଁ ପ୍ରଧାନମନ୍ତ୍ରୀ (PM Modi)ଙ୍କୁ ଅନେକ ଦେଶ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିସାରିଛନ୍ତି । ତେବେ ଏହି ସମ୍ମାନର ତାଲିକା ଦିନକୁ ଦିନ ଲମ୍ବି ଚାଲିଛି । ଏବେ ଉଭୟ ପାପୁଆ ନ୍ୟୁ ଗିନି(Papua New Guinea) ଏବଂ ଫିଜି (Fiji)  ଦେଶ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛନ୍ତି । ଫିଜି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ 'ସାଥୀ ଅଫ୍ ଅର୍ଡର ଅଫ୍ ଫିଜି'ରେ ସମ୍ମାନିତ କରିଥିବାବେଳେ ଆୟୋଜକ ଦେଶ ପାପୁଆ ନ୍ୟୁ ଗିନି, ସର୍ବୋଚ୍ଚ ସମ୍ମାନ 'The Grand Companion of the Order of Logohu' ପ୍ରଦାନ କରିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାପାନରୁ ଯାଇ ସିଧା ପାପୁଆ ନ୍ୟୁ ଗିନି ପହଞ୍ଚିଛନ୍ତି । ପହଞ୍ଚିବା ତୁରନ୍ତ ପରେ ହିଁ ଆଜି ସେଠାରେ ଥିବା ତୃତୀୟ ଇଣ୍ଡୋ-ପାସିଫିକ୍ ଦ୍ୱୀପ ସହଯୋଗ (FIPIC) ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେଙ୍କ ସହ ସମ୍ମିଳନୀର ସହ ଅଧ୍ୟକ୍ଷତା କରୁଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି , ଜେମ୍ସ ମାରାପେ ଭାରତକୁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ଦେଖିପାରିବେ । ଭାରତ ପକ୍ଷରୁ ପାପୁଆ ନ୍ୟୁ ଗିନି ଦେଶକୁ ସାହାଯ୍ୟ ଯୋଗାଇ ଦେବାକୁ ଆଶ୍ୱାସନା ଦେଇଛନ୍ତି ।

୨୦୧୪ ରେ ମୋଦିଙ୍କ ଫିଜି ଗସ୍ତ ସମୟରେ FIPICର ଆରମ୍ଭ ହୋଇଛି । ଏହି ଶିଖର ସମ୍ମିଳନୀ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି, ଯେତେବେଳେ ଚୀନ୍ ଏହି ଅଞ୍ଚଳରେ ସାମରିକ ଏବଂ କୂଟନୈତିକ ପ୍ରଭାବ ବଢ଼ାଇବାକୁ ଚେଷ୍ଟା କରୁଛି ।

ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେଙ୍କ ଉଦ୍ଦେଶ୍ୟରେ ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, 'ଭାରତ ଆପଣଙ୍କ ବିକାଶ ସହଭାଗୀ ହୋଇଥିବାରୁ ଗର୍ବିତ । ମାନବିକ ସହାୟତା ହେଉ କିମ୍ବା ବିକାଶ ଦିଗରେ, ଆପଣ ଭାରତକୁ ଏକ ନିର୍ଭରଯୋଗ୍ୟ ବନ୍ଧୁ ତଥା ଅଂଶୀଦାର ଭାବରେ ଦେଖିପାରିବେ ଏବଂ ବିଶ୍ୱାସ କରିପାରିବେ । ଆମେ ଆମର ଅଭିଜ୍ଞତା ଏବଂ ସାମର୍ଥ୍ୟକୁ ବିନା ଦ୍ୱିଧାରେ ବାଣ୍ଟିବାକୁ ପ୍ରସ୍ତୁତ । ଡିଜିଟାଲ୍ ଟେକ୍ନୋଲୋଜି, ସ୍ପେସ୍ ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ସୁରକ୍ଷା , ଖାଦ୍ୟ ନିରାପତ୍ତା, ଜଳବାୟୁ ପରିବର୍ତ୍ତନ ପରି ପ୍ରତ୍ୟେକ କ୍ଷେତ୍ରରେ ଭାରତ ଆପଣଙ୍କ ଦେଶ ସହ ଅଛି’ ବୋଲି ମୋଦି କହିଛନ୍ତି ।

ସୂଚନାଯୋଗ୍ୟ ଗତକାଲି ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ ପପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ । ରବିବାର ପପୁଆ ନ୍ୟୁ ଗିନିର ମୋରିସବେ ଏୟାରପୋର୍ଟରେ ପହଞ୍ଚିଥିଲେ ମୋଦି । ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରଥମଥର ପାଇଁ କୌଣସି ସେହି ଦ୍ୱୀପକୁ ଯାତ୍ରା କରିଥିଲେ । ଜାପାନ G7 ସମ୍ମିଟରେ ଯୋଗ ଦେବାକୁ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହି ଦ୍ୱୀପକୁ ଗସ୍ତ କରିଥିଲେ ।