• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପାକିସ୍ତାନ ସଂସଦରେ ହାଇଡ୍ରାମା। ଇମ୍ରାନଙ୍କ ଗୁଗଲୀରେ ବିରୋଧୀ ତାଜୁବ୍। ଯାହା କେହି ଭାବିନଥିଲେ ତାହା ହେଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନରୁ ଗାଦିରୁ ହଟାଇବାକୁ ଏକ୍ ହୋଇଥିବା ବିରୋଧୀ ମେଣ୍ଟକୁ ଇମ୍ରାନ୍ ଚକମା ଦେଇଛନ୍ତି। ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତି କାସିମ୍ ସୁରି ଖାରଜ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିଥିବା ନୋ କନ୍ଫିଡେନ୍ସ ମୋସନ୍, ବିରୋଧୀ ରାଷ୍ଟ୍ରର ପ୍ରାୟୋଜିତ କହି ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି ଉପବାଚସ୍ପତି। 

ଉପବାଚସ୍ପତିଙ୍କ ଏପରି ନିଷ୍ପତି ପରେ ପ୍ରଧାନମନ୍ତ୍ରୀ ତୁରନ୍ତ ସଂସଦକୁ ଭାଙ୍ଗିବାକୁ ସୁପାରିସ୍ କରିଥିଲେ। ଏହାପରେ ପାକ୍ ରାଷ୍ଟ୍ରପତି ଆରିଫ୍ ଅଲ୍ବି ପାକିସ୍ତାନ ନ୍ୟାସନାଲ୍ ଆସେମବ୍ଲି ବା ସଂସଦ ଭଙ୍ଗ କରିଥିଲେ। ଫଳରେ ପାକିସ୍ତାନରେ ଆଗାମୀ ୩ ମାସ ଭିତରେ ନିର୍ବାଚନ ହେବାକୁ ସ୍ଥିର ହୋଇଛି। ସେ ପର୍ଯ୍ୟନ୍ତ ଇମ୍ରାନ୍ ଖାନ୍ କାମଚଳା ପ୍ରଧାନମନ୍ତ୍ରୀ ରହିବେ ବୋଲି ଧାର୍ଯ୍ୟ ହୋଇଛି। ଯାହା ବିରୋଧୀଙ୍କୁ ହଜମ ହୋଇନି। ଇମ୍ରାନ୍ ଖାନ୍‌କୁ ହଟେଇବାକୁ ବିରୋଧୀ ମେଣ୍ଟ କରିଥିବା ସବୁ ପ୍ଲାନ ଫସର ଫାଟିବା ପରେ ସଙ୍ଗେସଙ୍ଗେ ସେମାନେ ସଂସଦ ଭିତରେ ଆରମ୍ଭ କରିଦେଇଥିଲେ ନାରାବାଜି।

ଉପବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ଇମ୍ରାନଙ୍କୁ ତୁରନ୍ତ ଗାଦିରୁ ହଟାଇବାକୁ ଦାବି କରିଥିଲେ। ଏମିତିକି ବିରୋଧୀ ଦଳ ସଦସ୍ୟମାନେ ସଂସଦ ଭିତରେ ମନକୁ ମନ ଇମ୍ରାନ୍‌ଙ୍କ ବିରୋଧରେ ଭୋଟ୍ ଦେଇଥିଲେ। ସଂସଦ ଭିତରେ ପ୍ରବଳ ହୋ ହଲ୍ଲା କରିଥିଲେ ବିରୋଧୀ। ହେଲେ ଉପବାଚସ୍ପତି ବିରୋଧୀଙ୍କ ଦାବିକୁ କର୍ଣ୍ଣପାତ ନକରିବାରୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଶୁଣାଣି ଆରମ୍ଭ କରିଥିଲେ। ହେଲେ ଶୁଣାଣି ସ୍ଥଗିତ ରଖିଛନ୍ତି କୋର୍ଟ। ୫ ଏପ୍ରିଲ୍ ମଙ୍ଗଳବାର ପୁଣି ଶୁଣାଣି ହେବ।

ମାମଲା କୋର୍ଟରେ ରହିଥିବାବେଳେ ଉପବାଚସ୍ପତିଙ୍କ ନିଷ୍ପତି ଅସାମ୍ବିଧାନିକ କହି ବିରୋଧୀ ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରି ଭୋଟିଂ କରିବାକୁ ଦାବି କରିଛନ୍ତି। ସେହିପରି ବିରୋଧୀ ଦଳ ମେଣ୍ଟ ନେତା ସେହବାଜ ସରିଫ୍‌କୁ ପ୍ରଧାନମନ୍ତ୍ରୀ ଘୋଷଣା କରିଦେଇଛନ୍ତି। ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ଇମ୍ରାନ୍ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ସେ ବାରମ୍ବାର କହିଥିଲେ ଯେ କିଛି ଚମତ୍କାର ହେବ ଆଉ ବିରୋଧୀ ମାତ୍ ଖାଇବେ।

ଏବେ ତାହା ହିଁ ହୋଇଛି। ଇମ୍ରାନ୍‌ଙ୍କ କରିସ୍ମାରେ ବିରୋଧୀ ଚିତ୍ ମାରିଛନ୍ତି। ତେବେ ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତି ଖାରଜ କରିବା ପରେ ଇମ୍ରାନ୍ ଆଶ୍ୱସ୍ତ ହୋଇଛନ୍ତି। ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ତାଙ୍କୁ ହଟାଇବା ପାଇଁ ଯେଉଁ ବିଦେଶୀ ଷଡ଼ଯନ୍ତ୍ର ହୋଇଥିଲା ତାହା ଫସର ଫାଟିଛି। ବିଦେଶୀ ରାଷ୍ଟ୍ର ସହ ବିରୋଧୀ ହାତ ମିଳାଇ ଦେଶର ଅନିଷ୍ଟ କରିବାକୁ ଚାହୁଁଛନ୍ତି। ଯାହା ସେ ହେବାକୁ ଦେବେ ନାହିଁ। ଆପଣମାନେ ଭୋଟ ପାଇଁ ପ୍ରସ୍ତୁତ ରୁହନ୍ତୁ ଏବଂ ଆପଣମାନେ ହିଁ ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବେ ବୋଲି ଦେଶ ବାସୀଙ୍କୁ ସମ୍ବୋଧନ କରିବା ସମୟରେ କହିଛନ୍ତି ଇମ୍ରାନ୍।

ସେପଟେ ଇମ୍ରାନ୍‌ଙ୍କୁ ଗିରଫ କରିବାକୁ ଦାବି ଉଠିଛି। ପାକିସ୍ତାନ ନ୍ୟାସନାଲ Assemblyରେ ଇମ୍ରାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ଇମ୍ରାନ୍ ଦେଶବାସୀଙ୍କୁ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ କହିଥିଲେ। ବିଦେଶୀ ରାଷ୍ଟ୍ର ସହ ହାତ ମିଳାଇ ଦେଶ ଭିତରର କିଛି ଦୁର୍ନୀତିଗ୍ରସ୍ତ ବିରୋଧୀ ତାଙ୍କୁ ହଟାଇବାକୁ ଚାହୁଁଥିବା ଅଭିଯୋଗ କରି ସେ ଏହାର ଜୋରଦାର ପ୍ରତିବାଦ୍ ଓ ବିକ୍ଷୋଭ କରିବାକୁ କହିଥିଲେ। ସେପଟେ ଇମ୍ରାନ୍‌ଙ୍କ ଦଳ ପିଟିଆଇ ଲୋକଙ୍କୁ ଉସୁକାଇ ଦେଶରେ ହିଂସା ସୃଷ୍ଟି କରିବାକୁ ଚାହୁଁଥିବା ଅଭିଯୋଗ କରି ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍ ସରିଫ୍‌ଙ୍କ ଝିଅ ମରିୟମ୍ ନଓ୍ବାଜ୍ ସରିଫ୍।

ଲଣ୍ଡନ୍‌ରେ ଇମ୍ରାନ୍‌ଙ୍କ କିଛି ସମର୍ଥକ ନଓ୍ବାଜ୍ ସରିଫଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ଆସିଥିଲା। ଲୋକଙ୍କୁ ଉସକାଇବା, ଉତ୍ତେଜିତ କରିବା ଓ ଦେଶଦ୍ରୋହ ମାମଲାରେ ଇମ୍ରାନଙ୍କୁ ଗିରଫ କରିବାକୁ ଅନ୍ୟନେତା ମାନେ ମଧ୍ୟ ଦାବି କରିଛନ୍ତି। ସେପଟେ ଏପ୍ରିଲ୍ ୩ରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲେ ଇମ୍ରାନ୍ ଗାଦିଚ୍ୟୁତ ହେବା ଏକପ୍ରକାର ନିଶ୍ଚିତ ଥିଲା। ତେବେ ସେ ଶେଷ ବଲ୍ ଯାଏଁ ଖେଳ ଜାରି ରଖିବେ ଏବଂ ତାଙ୍କ ପାଖରେ ଏବେବି ଶେଷ ଟ୍ରମ୍ପ୍ କାର୍ଡ ଅଛି ବୋଲି ପୂର୍ବରୁ କହି ଆସୁଥିଲେ ଇମ୍ରାନ୍। ଶେଷରେ ସେଇ ଟ୍ରମ୍ପକାର୍ଡ ଖେଳିଥିଲେ ଇମ୍ରାନ।

ସେପଟେ ପାର୍ଲାମେଣ୍ଟ ଭଙ୍ଗ ଘୋଷଣା ପରେ, ପାକିସ୍ତାନ ନ୍ୟାସନାଲ ଆସେମ୍ଲି ବାହାରେ ଇମ୍ରାନଙ୍କ ସମର୍ଥକ ନାରାବାଜି କରଥିଲେ। ତାସହ ଆସେମବ୍ଲି ଭିତରେ ଦେଖିବାକୁ ମିଳିଥିଲା ବିରୋଧୀଙ୍କ ହାଇ-ଡ୍ରାମା। ଏହି ଦିନକୁ କଳା ଦିବସ ବୋଲି କହିଲେ ବିରୋଧୀ ଦଳ ନେତା ତଥା ପ୍ରଧାନମନ୍ତ୍ରୀ ପଦ ଆଶାୟୀ ଶେହବାଜ ଶରିଫ୍। ତେବେ ସଂସଦ ଭଙ୍ଗ ନିଷ୍ପତ୍ତିର ଯଥାର୍ଥତା ଯାଞ୍ଚ ପାଇଁ ପାକିସ୍ତାନ ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲା ବିଚାରକୁ ନେଇଛନ୍ତି।

ତାସହ ବିରୋଧୀଙ୍କ ଅଭିଯୋଗର ଶୁଣାଣି ପାଇଁ ସ୍ପେଶାଲ୍ ବେଞ୍ଚ ଗଠନ ହୋଇଛି ଏବଂ ମାମଲାର ଶୁଣାଣି ହେଉଛି। ସେପଟେ ଆଉ ଏକ ରାଜନୈତିକ ଗୋଟିଚାଳନା କରିଥିଲେ ଇମ୍ରାନ୍। ତାଙ୍କ ସୁପାରିଶ କ୍ରମେ ମହମ୍ମଦ ସରଓ୍ୱାରଙ୍କ ସ୍ଥାନରେ ନୂଆ ପଞ୍ଜାବ ଗଭର୍ଣ୍ଣର ଭାବେ ଓମାର୍ ସର୍ଫରାଜ୍ ଚିମାଙ୍କୁ ନିଯୁକ୍ତ କରିଛନ୍ତି ପାକିସ୍ତାନ ରାଷ୍ଟ୍ରପତି। ସେପଟେ ପାକିସ୍ତାନର ରାଜନୈତିକ ଅସ୍ଥିରତାକୁ ନେଇ ଚର୍ଚ୍ଚା ଲାଗିରହିଛି।