/odishatv-khabar/media/post_attachments/uploadimage/library/16_9/16_9_0/Earthquake_1756712062.jpg)
Earthquake
ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପରେ ଛାରଖାର ହୋଇଛି ଦେଶ। ଗତ କାଲି ରାତିରେ ପୂର୍ବ ଆଫଗାନିସ୍ତାନରେ ଭୂମିକମ୍ପ ହୋଇଥିବା ବେଳେ ଏହି ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏଯାବତ୍ ୬୨୨ ଜଣଙ୍କର ମୃତ୍ୟୁ ସଂଖ୍ୟା ଛୁଇଁଥିବା ବେଳେ ୪୦୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଜଣେ ତାଲିବାନ ମନ୍ତ୍ରୀଙ୍କ କହିବାନୁସାରେ, ଅନେକ ଆହତ ଲୋକଙ୍କୁ ଉଦ୍ଧାର କରାଗଲାଣି। ଆହୁରି ମୃତାହତଙ୍କ ସଂଖ୍ୟା ବଢିପାରେ। ଭଗ୍ନାବଶେଷ ମଧ୍ୟରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।
ଭୂକମ୍ପରେ ଅନେକ କୋଠାବାଡି ଭାଙ୍ଗିରୁଜି ଛାରଖାର ହୋଇ ଯାଇଛି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମା ନିକଟସ୍ଥ ପୂର୍ବ ଆଫଗାନିସ୍ତାନର କୁନାର ପ୍ରଦେଶରେ ୬.୦ ତୀବ୍ରତାର ଭୟଙ୍କର ଭୂମିକମ୍ପ ହୋଇଥିଲା। ଜର୍ମାନ ରିସର୍ଚ୍ଚ ସେଂଟର ଫର ଜିଓସାଇନ୍ସେସ୍ (ଜିଏଫଜେଡ୍) ଅନୁସାରେ, ଭୂମିକମ୍ପଟି ୧୦ କିଲୋମିଟର (୬.୨୧ ମାଇଲ) ଗଭୀରତାରେ ଥିଲା। ଯୁକ୍ତରାଷ୍ଟ୍ର ଭୂତାତ୍ତ୍ୱିକ ସର୍ଭେ ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ବାସାଉଲଠାରୁ ୩୬ କିଲୋମିଟର (୨୨ ମାଇଲ) ଉତ୍ତରରେ ଥିଲା ଏବଂ ଏହା ୧୦ କିଲୋମିଟର (୬.୨ ମାଇଲ) ଗଭୀରତାରେ ଥିଲା। ୬.୦ ତୀବ୍ରତାର ଭୂମିକମ୍ପ ଆସିବା ପରେ ୪.୭, ୪.୩, ୫.୦ ଏବଂ ୫.୦ ତୀବ୍ରତାର ପୁଣି ଝଟକା ଅନୁଭୂତ ହୋଇଥିଲା।
ଏଥିରେ ସର୍ବାଧିକ କୁନାର ପ୍ରଦେଶର ନୁର ଗାଲ, ସାଉକି, ୱାଟପୁର, ମାନୋଗି ଏବଂ ଚାପା ଦାରା ଜିଲ୍ଲାରେ କ୍ଷୟକ୍ଷତି ହୋଇଛି। କୁନାର ପ୍ରଦେଶର ତିନୋଟି ଗାଁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯାଇଛି ଏବଂ ଅନ୍ୟ ଅନେକ ଗ୍ରାମ ଗୁଡିକୁ ମଧ୍ୟ ପ୍ରବଳ କ୍ଷତି ସହିବାକୁ ପଡ଼ିଥିଲା।
ଏହି ଭୂମିକମ୍ପ ଝଟକା କାବୁଲରୁ ପାକିସ୍ତାନର ରାଜଧାନୀ ଇସଲାମାବାଦ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଯାହା ପ୍ରାୟ ୩୭୦ କିଲୋମିଟର ଦୂର। କିଛି ସେକେଣ୍ଡ ପାଇଁ ଅନେକ କୋଠାବାଡି ଦୋହଲାଇ ଦେଇଥିଲା ବୋଲି ରିପୋର୍ଟ ମିଳିଛି। କେବଳ ପାକିସ୍ତାନ ନୁହେଁ, ବରଂ ଉତ୍ତର ଭାରତ ଓ ଦିଲ୍ଲୀ ଏନସିଆରରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ, ୨୦୨୩ ଅକ୍ଟୋବର ୭ ତାରିଖରେ ଆଫଗାନିସ୍ତାନରେ ୬.୩ ମାଗ୍ନିଚ୍ୟୁଡ୍ର ଏକ ଭୂମିକମ୍ପ ହୋଇଥିଲା। ତାଲିବାନ ସରକାର ଅନୁମାନ କରିଥିଲେ ଯେ ଏଥିରେ ଅତି କମରେ ୪,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା।
ଜାତିସଂଘ କହିଥିଲା ଯେ, ପ୍ରାୟ ୧,୫୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ଆଫଗାନିସ୍ତାନରେ ନିକଟ ଅତୀତରେ ହୋଇଥିବା ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)