• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅତି ଦାରୁଣ, ହୃଦୟ ବିଦାରକ ଚିତ୍ର। ଚାରିଆଡ଼େ ଧ୍ୱଂସର ତାଣ୍ଡବ । ଷ୍ଟ୍ରେଚର୍‌ରେ ଜଣେ ଆସନ୍ନ ପ୍ରସବା । ନିସ୍ତେଜ, ନିଃସହାୟ ହୋଇ ପଡିଛନ୍ତି, ଆଖିରେ ଆଶା ନାହିଁ, ଜଳଜଳ ଆତଙ୍କର ଚିହ୍ନ ଦେଖିବାକୁ ମିଳିଛି । ଦୁଇ ସପ୍ତାହ ପୂରି, ତୃତୀୟ ସପ୍ତାହରେ ପ୍ରବେଶ କରିଛି ଋଷ-ୟୁକ୍ରେନ ଯୁଦ୍ଧ । ଦିନ ଗଡ଼ିବା ସହ ଯୁଦ୍ଧ ବିଭୀଷିକା ବଢ଼ୁଛି, ଲୋକଙ୍କ ଦୁର୍ଦ୍ଦଶା ବି ବଢ଼ୁଛି । ଋଷ, ସାଧାରଣ ୟୁକ୍ରେନୀୟଙ୍କ ବିରୋଧରେ ବି ଦମନଲୀଳା ଚଳାଇଥିବା ଅଭିଯୋଗ ହେଉଥିବା ବେଳେ, ବିବାଦ ଘନେଇଛି ମାରିଉପୋଲ ମ୍ୟାଟର୍ନିଟି ହସ୍ପିଟାଲରେ । ଋଷୀୟ ଏୟାଷ୍ଟ୍ରାଇକ୍‌କୁ ନେଇ ସେପଟେ ତୁର୍କୀରେ ଆଜି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ପରସ୍ପରକୁ ଭେଟି ବିବାଦର ସମାଧାନ ପାଇଁ ଆଲୋଚନା କରିଥିଲେ ମଧ୍ୟ, କେହି କାହା ସର୍ତ୍ତ ମାନିବାକୁ ରାଜି ନହେବାରୁ ତାହା ନିଷ୍ଫଳ ହୋଇଛି ।

ଦକ୍ଷିଣ ୟୁକ୍ରେନୀୟ ସହର ମାରିଓପୋଲର ଏକ ମ୍ୟାଟର୍ନିଟି ବା ପ୍ରସୂତି ହସ୍ପିଟାଲରେ ଋଷ ସେନା ଏୟାରଷ୍ଟ୍ରାଇକ୍ କରିଛି । ଏହାପରେ ଖିନ୍‌ଭିନ୍ ହୋଇଯାଇଛି ହସ୍ପିଟାଲ କୋଠା । ଚୁରମାର ହୋଇଯାଇଛି ହସ୍ପିଟାଲ ଆସବାବପତ୍ର । ଆକ୍ରମଣରେ ଏକ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୭ ଜଣ ଆହତ ହୋଇଛନ୍ତି । ବହୁ ଶିଶୁ, ମହିଳା, ଡାକ୍ତର ଓ କର୍ମଚାରୀ ଧ୍ୱଂସାବଶେଷ ତଳେ ଏବେବି ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି । କେବଳ ମାରିଉପୋଲ୍ ନୁହେଁ, କିଭ୍‌ର ପଶ୍ଚିମ ପଟେ ଥିବା ଝାଇତୋମିର୍ ସହରର ୨ଟି ହସ୍ପିଟାଲ ଉପରେ ବି ବୋମା ବର୍ଷଣ କରିଛି ଋଷ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ଯୁଦ୍ଧ ଆରମ୍ଭ ଠାରୁ ୟୁକ୍ରେନ୍‌ର ୧୮ଟି ହସ୍ପିଟାଲ ଓ ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଋଷୀୟ ଆକ୍ରମଣର ଶିକାର ହୋଇଛି ।

ହସ୍ପିଟାଲ ଉପରେ ଆକ୍ରମଣ ଋଷର ଗଣହତ୍ୟାର ପ୍ରମାଣ ଏବଂ ଏହା ଜଘନ୍ୟ ଯୁଦ୍ଧ ଅପରାଧ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି । ଜାତିସଂଘ ମଧ୍ୟ ଏହାର ନିନ୍ଦା କରିଛି । ଅନ୍ୟପକ୍ଷରେ କ୍ରେମ୍‌ଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ୍, ଗଣହତ୍ୟା ଅଭିଯୋଗକୁ ଖଣ୍ଡନ କରିବା ସହ ହସ୍ପିଟାଲ ଉପରେ ଆକ୍ରମଣର କାରଣ ଓ ସବିଶେଷ ସୂଚନା ଋଷୀୟ ସେନାକୁ ମଗାଯିବ ବୋଲି କହିଛନ୍ତି ।

 

ତେଣେ ବିବାଦର ସମାଧାନ ଲାଗି ଆଜି ପ୍ରଥମଥର ପାଇଁ ତୁର୍କୀରେ ପରସ୍ପରକୁ ଭେଟିଛନ୍ତି ୟୁକ୍ରେନ୍ ଓ ଋଷର ବୈଦେଶିକ ମନ୍ତ୍ରୀ । ଆଣ୍ଟାଲିଆରେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଓ ଋଷୀୟ ପ୍ରତିପକ୍ଷ ସର୍ଗେଇ ଲାଭ୍ରୋଭ୍ ଯୁଦ୍ଧର ସମାପ୍ତି ପାଇଁ ମୁହାଁମୁହିଁ ଆଲୋଚନା କରିଥିବା ବେଳେ, ତୁର୍କୀ ବୈଦେଶିକ ମନ୍ତ୍ରୀ ମେଭ୍‌ଲଟ୍ କାଭୁସୋଗ୍ଲୁ ମଧ୍ୟସ୍ଥ ଭାବେ ବୈଠକରେ ଯୋଗ ଦେଇଥିଲେ । ତେବେ ଏହି ବୈଠକ ମଧ୍ୟ ନିଷ୍ଫଳ ଯାଇଛି । ଋଷ ୨୪ ଘଣ୍ଟା ପାଇଁ ବି ଯୁଦ୍ଧ ବିରତି ଲାଗି ରାଜି ହୋଇନଥିବା ବେଳେ, ୟୁକ୍ରେନ୍ କଦାପି ଆତ୍ମସମର୍ପଣ କରିବ ନାହିଁ ବୋଲି ଚରମବାଣୀ ଶୁଣାଇ ଦେଇଛି ।

ୟୁକ୍ରେନ୍-ଋଷିଆ ଯୁଦ୍ଧ ତୃତୀୟ ସପ୍ତାହରେ ପ୍ରବେଶ କରିଛି । ଉଭୟ ପକ୍ଷରୁ ହଜାର ହଜାର ସୈନ୍ୟ ପ୍ରାଣ ହରାଉଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ବି ଯାଉଛି । ଜଣ ଜଣ କରି ମୃତକଙ୍କ ଶେଷକୃତ୍ୟ ସମ୍ଭବ ହେଉନଥିବାରୁ କୁଢ଼ କୁଢ଼ ଶବକୁ ଗାତ ଖୋଳି ଏକାଠି ପୋତାଯାଉଥିବା ଦେଖିବାକୁ ମିଳିଛି ।