• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ପରଲୋକ ଖବରକୁ ଖଣ୍ଡନ କଲେ ତାଙ୍କ ପରିବାର ଲୋକ । ଟ୍ୱିଟ୍ କରି ସୂଚନା ଦେଲେ ଯେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ସେ ଲେଖିଛନ୍ତି ମୁସାରଫ ଚିକିତ୍ସାଧିନ ଅଛନ୍ତି, କିନ୍ତୁ ଭେଣ୍ଟିଲେଟରରେ ନାହାନ୍ତି । ତାଙ୍କ ଅବସ୍ଥା ଏମିତି ଏକ ସ୍ଥିତିରେ ରହିଛି, ଯେଉଁଠି ଆରୋଗ୍ୟ ହେବାର କୌଣସି ସମ୍ଭାବନା ନାହିଁ ।

ଶରୀରର ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗ ଠିକ ଭାବେ କାମ କରୁନାହିଁ । ମୁସାରଫଙ୍କ ପରଲୋକ ହୋଇଯାଇଥିବା ନେଇ ବିଭିନ୍ନ ବିଦେଶୀ ମିଡିଆ ଖବର ପ୍ରସାରଣ କରିଥିଲେ । ପରଲୋକକୁ ନେଇ ଚର୍ଚ୍ଚା ପରେ ପରିବାର ଲୋକଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।  ଖୋଦ୍‌ ପରଭେଜ୍‌ ମୁସାରଫଙ୍କ ଟ୍ୱିଟର ହାଣ୍ଡେଲରୁ ଏନେଇ ସୂଚନା ଦିଆଯାଇଛି । ତେବେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟଜନିତ ସମସ୍ୟା ଯୋଗୁଁ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Pervez MusharrafPervez Musharraf

ସୂଚନାଯୋଗ୍ୟ, ଦେଶଦ୍ରୋହ ମାମଲାରେ ମୁସାରଫଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ ପାକିସ୍ତାନର ସ୍ୱତନ୍ତ୍ର କୋର୍ଟ । ତିନି ଜଣିଆ ଖଣ୍ଡପୀଠର ଦୁଇଜଣ ବିଚାରପତି ତାଙ୍କର ମୃତ୍ୟୁ ଦଣ୍ଡ ଶୁଣାଇଥିଲେ । ମୁସାରଫ ରାଷ୍ଟ୍ରପତି ଥିବା ସମୟରେ ୨୦୦୭ ନଭେମ୍ବର ୩ରେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରୁଥିଲେ । ଏହି ଜରୁରୀକାଳୀନ ପରିସ୍ଥିତ ଅସାମ୍ବିଧାନିକ ଥିବା ସହ ଦେଶଦ୍ରୋହ କାର୍ଯ୍ୟ ବୋଲି କୋର୍ଟ ଦର୍ଶାଇଥିଲେ । 

୨୦୧୩ ଡିସେମ୍ବରରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା । ୨୦୧୪ ମାର୍ଚ୍ଚ ୩୧ ତାରିଖରେ ମୁସାରଫଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ପେଶାଓ୍ଵାର ଉଚ୍ଚ ନ୍ୟାୟାଳୟଙ୍କ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱାଧୀନ ସ୍ୱତନ୍ତ୍ର ଅଦାଲତଙ୍କ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ । ଏହି ସମୟରେ ମୁସାରଫ ପାକିସ୍ତାନରୁ ଦୁବାଇରେ ରହୁଥିଲେ ।